Mission 360 Delimitation Bill: ଡିଲିମିଟେସନ ବିଲ୍- ସମର୍ଥନ ନେଇ ବିରୋଧୀଙ୍କ ବଦଳିବ କି ସ୍ୱର?
ବିଲ୍ ପାରିତ ପାଇଁ ଦୁଇ ତୃତୀୟାଂଶ ବହୁମତ ଦରକାର। ତେବେ ବିଲ୍ କୁ ନେଇ ବିରୋଧୀଙ୍କ ସ୍ୱର ବଦଳିବାର ଆଭାସ ବି ମିଳୁଛି। ୱାଇଏସଆରସିପି କ୍ଷେତ୍ରୀୟ ସନ୍ତୁଳନ ସର୍ତ୍ତରେ ସମର୍ଥନର ସଙ୍କେତ ଦେବାକୁ ରାଜି ଥିଲା ବେଳେ ଡିଏମକେ ଓ ଶରଦ ପାଓ୍ୱାରଙ୍କ ପାର୍ଟି ବି ରାସ୍ତା ଖୋଲା ରଖିଛନ୍ତି। ବିଜେଡି କହିଲା, ରାଜ୍ୟ ସ୍ୱାର୍ଥକୁ ଦେଖି ନେବ ନିଷ୍ପତ୍ତି।

ସଂସଦର ବସିବ ସ୍ୱତନ୍ତ୍ର ଅଧିବେଶନ। ୩୦ରେ ଲୋକସଭା ଓ ୨ରେ ରାଜ୍ୟସଭାର ସ୍ୱତନ୍ତ୍ର ଅଧିବେଶନ ବସିବ। ଏଥିରେ ପୁନର୍ବାର ସୀମା ପୁନଃନିର୍ଦ୍ଧାରଣ ମୁଦ୍ଦାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏଥର ଡିଲିମିଟେସନ ବିଲ୍ ପାରିତ ହେବ ବୋଲି ଆଶାବାଦୀ ସରକାର। କାରଣ ବିଲ୍ ପାରିତ ପାଇଁ ଦୁଇ ତୃତୀୟାଂଶ ବହୁମତ ଦରକାର। ତେବେ ବିଲ୍ କୁ ନେଇ ବିରୋଧୀଙ୍କ ସ୍ୱର ବଦଳିବାର ଆଭାସ ବି ମିଳୁଛି। ୱାଇଏସଆରସିପି କ୍ଷେତ୍ରୀୟ ସନ୍ତୁଳନ ସର୍ତ୍ତରେ ସମର୍ଥନର ସଙ୍କେତ ଦେବାକୁ ରାଜି ଥିଲା ବେଳେ ଡିଏମକେ ଓ ଶରଦ ପାଓ୍ୱାରଙ୍କ ପାର୍ଟି ବି ରାସ୍ତା ଖୋଲା ରଖିଛନ୍ତି। ଏଥିରୁ ବିଜେପି ଏଥର ଦୁଇ ତୃତୀୟାଂଶ ବହୁମତ ପାଇବ ବୋଲି ଆଶାବାଦୀ। ଡିଏମକେ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଶରଦ ପାଓ୍ୱାର), ଟିଏମସି ଓ ଶିବସେନାରୁ ଅଲଗା ହୋଇଥିବା ଗୋଷ୍ଠୀ ବି ସରକାରଙ୍କୁ ସମର୍ଥନ ଦେବାକୁ ସକରାତ୍ମକ ସଙ୍କେତ ଦେଇଛନ୍ତି। ସରକାରଙ୍କ ଭରସା ଅଛି, ଏଥର ବିଧେୟକ ସମର୍ଥନରେ ଆବଶ୍ୟକୀୟ ସଂଖ୍ୟା ଜୁଟାଇପାରିବେ। ସରକାର ଓ ତାଙ୍କ ସହଯୋଗୀଙ୍କ ପାଖରେ ଏବେ ୨୯୯ ସାଂସଦ ଅଛନ୍ତି। ଆସାମରେ ଉପନିର୍ବାଚନ ଜିତିବା ପରେ ବିଜେପିକୁ ଗୋଟିଏ ସିଟ୍ ଫାଏଦା ମିଳିଛି। ସେପଟେ ଶିରୋମଣି ଅକାଳୀ ଦଳ ୬ ବର୍ଷ ପରେ ଏନଡିଏକୁ ଫେରିବା ପରେ ଆଉ ଏକ ସିଟ୍ ଯୋଡ଼ି ହୋଇଗଲା। ଏହା ବ୍ୟତୀତ ଟିଏମସିରୁ ଅଲଗା ଗୋଷ୍ଠୀର ୨୦ ସଦସ୍ୟ ଓ ଏକନାଥ ସିନ୍ଦେଙ୍କ ନେତୃତ୍ୱ ଶିବସେନାର ୬ ସଦସ୍ୟ ବି ସରକାରଙ୍କ ସହ ରହିବେ। ଡିଏମକେର ଦୁଇ ନେତା ଗୁରୁବାର ସ୍ପଷ୍ଟ କରିଛନ୍ତି, ଦଳ ପ୍ରତି ମୁଦ୍ଦାରେ ବିଜେପିକୁ ବିରୋଧ କରିବାର ନୀତି ଆପଣାଇବନି। ପରିସୀମା ଆଧାରରେ ଲୋକସଭା ଆସନ ସଂଖ୍ୟା ବଢାଇବା ନେଇ ସହମତି ପ୍ରକାଶ ପାଇପାରେ। କିନ୍ତୁ ତାମିଲନାଡୁର ଏବେକାର ଆସନ ସୁରକ୍ଷିତ ରହିବା ଜରୁରୀ। ଦକ୍ଷିଣବର୍ତ୍ତୀ ରାଜ୍ୟକୁ ଜନସଂଖ୍ୟା ନିୟନ୍ତ୍ରଣରେ ଭଲ କାମ କରିବାର ସଜ୍ଜା ମିଳିବା ଉଚିତ ନୁହେଁ। ଏ ସବୁ ରାଜ୍ୟ ଜନସଂଖ୍ୟା ନିୟନ୍ତ୍ରଣରେ ଭଲ ସଫଳତା ହାସଲ କରିଛନ୍ତି। ସେଥିଲାଗି ଏମାନଙ୍କର ରାଜନୈତିକ କ୍ଷତି ହେବା କଥା ନୁହେଁ। ସିଟ୍ ସଂଖ୍ୟା ବଢୁ,ଆପତ୍ତି ନାହିଁ। କିନ୍ତୁ ପ୍ରତିଶତ ସୁରକ୍ଷିତ ରହୁ। ଡିଏମକେ ଫେବୃଆରୀ ୨୦୨୪ରେ ଡିଲିମିଟେସନ ବିରୁଦ୍ଧରେ ତାମିଲନାଡ଼ୁ ବିଧାନସଭାରେ ପ୍ରସ୍ତାବ ପାରିତ କରିଥିଲା। ଏଥିରେ ୨୦୨୬ର ନୂଆ ଜନଗଣନା ଆଧାରରେ ଡିଲିମିଟେସନକୁ ବିରୋଧ କରାଯାଇଥିଲା। ପ୍ରସ୍ତାବରେ କୁହାଯାଇଥିଲା, ଯଦି କୌଣସି ଜରୁରୀ କାରଣରୁ ସିଟ ସଂଖ୍ୟା ବଦଳାଇବାକୁ ପଡ଼େ, ତାହେଲେ ଏବେ ଥିବା ଆସନ ଅନୁପାତର ହାରକୁ ସୁରକ୍ଷିତ ରଖାଯିବ। ଏହି ଅନୁପାତ ଉଭୟ ବିଧାନସଭା ଓ ଲୋକସଭାରେ କାଏମ ରଖାଯାଉ। ଏଥିଲାଗି ୧୯୭୧ ଜନସଂଖ୍ୟା ଆଧାରରେ ହୋଇଥିବା ବ୍ୟବସ୍ଥାକୁ କାଏମ ରଖାଯିବା କଥା ଉଠିଥିଲା। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ସାଂସଦ ସୁପ୍ରିୟା ସୁଲେ ଏହି ମୁଦ୍ଦା ଉପରେ କହିଛନ୍ତି ଯେ, ତାଙ୍କ ଦଳ ସବୁବେଳେ ଦେଶର ବ୍ୟାପକ ହିତକୁ ଧ୍ୟାନରେ ରଖି ନିଷ୍ପତ୍ତି ନିଏ। ଡିଲିମିଟେସନ ବିଲ୍ ଉପରେ ସବୁଦଳର ସହମତି ହୋଇପାରେ। ଏବେ ଦେଖିବା ସଂଖ୍ୟା ଗଣିତ। ଲୋକସଭାରେ ମୋଟ୍ ୫୪୦ ଆସନ ଅଛି। ୩ଟି ସିଟ୍ ଖାଲି ଅଛି। ଅର୍ଥାତ ସଦନରେ ୫୩୭ ସଦସ୍ୟ ଅଛନ୍ତି। ସମ୍ୱିଧାନ ସଂଶୋଧନ ବିଧେୟକ ପାରିତ ଲାଗି ଅତି କମରେ ୩୬୦ ସାଂସଦଙ୍କ ସମର୍ଥନ ଜରୁରୀ। ଏହା ପୂର୍ବରୁ ୧୬ରୁ ୧୮ ଏପ୍ରିଲ ଅଧିବେଶନରେ ସମ୍ୱିଧାନର ୧୩୧ତମ ସଂଶୋଧନ ବିଧେୟକ ଲୋକସଭାରେ ପାରିତ ହୋଇପାରିନଥିଲା। ସେତେବେଳେ ବିରୋଧୀ ଇଣ୍ଡିମେଣ୍ଟର ୨୩୦ ସାଂସଦ ଏହି ବିଧେୟକ ବିରୁଦ୍ଧରେ ମତଦାନ କରିଥିଲେ। ସେପଟେ ସତ୍ତାରୁଢ଼ ଏନଡିଏର ୨୯୮ ସାଂସଦ ଏହା ପକ୍ଷରେ ଭୋଟ ଦେଇଥିଲେ। ୧୧ ସାଂସଦ ମତଦାନ ବେଳେ ଅନୁପସ୍ଥିତ ରହିଲେ। ସେତେବେଳେ ସଂସଦରେ ମୋଟ୍ ୫୨୮ ସଦସ୍ୟ ଥିଲେ। ବିଧେୟକ ପାରିତ ପାଇଁ ୩୫୨ ଭୋଟ୍ ଜରୁରୀ ଥିଲା। ଲୋକସଭାରେ ବିଧେୟକ ପାରିତ ପରେ ଏହାକୁ ରାଜ୍ୟସଭାରେ ଆଗତ କରାଯାଏ। ରାଜ୍ୟସଭାର ବୈଠକ ଡିସେମ୍ୱର ୨ରେ ହେବ। ରାଜ୍ୟସଭାରେ ମୋଟ୍ ୨୪୫ ସଦସ୍ୟ ଅଛନ୍ତି। ଏଥିରେ ଏନଡିଏର ୧୪୨ ସାଂସଦ ଅଛନ୍ତି। ସମ୍ୱିଧାନ ସଂଶୋଧନ ବିଧେୟକ ପାରିତ ପାଇଁ ୧୬୧ ସଦସ୍ୟଙ୍କ ସମର୍ଥନ ଜରୁରୀ। ଏମିତି ଦେଖିଲେ ସତ୍ତାରୁଢ ଏନଡିଏକୁ ଆଉ ୧୯ ସାଂସଦଙ୍କ ଆବଶ୍ୟକ ପଡ଼ିବ। ରାଜ୍ୟସଭାରେ ଡିଏମକେର ୮, ଶଦର ପାଓ୍ୱାରଙ୍କ ଆରସିପିର ଜଣେ ସାଂସଦ ଅଛନ୍ତି। ସେପଟେ ସମ୍ୱିଧାନ ଦିବସ ଅବସରରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକରାକୁ ନେଇ ଘେରିଛି କଂଗ୍ରେସ। ଅପରେସନ ଲୋଟସର ୧୦୫ ଦିନ ପରେ ଅଧିବେଶନ ଡାକିବାକୁ ସରକାର ଘୋଷଣା କରିଛନ୍ତି। ଅପରେସନ ଲୋଟସ ଜରିଆରେ କିଛି ଦିନ ହେଲା ବିରୋଧୀ ଦଳର କିଛି ସାଂସଦଙ୍କ ପଟ୍ଟ ପରିବର୍ତ୍ତନ କରିବାରେ ସଫଳ ହୋଇଛନ୍ତି ସରକାର। ସେଥିଲାଗି ଭାବୁଛନ୍ତି,ଏଥର ବହୁମତରେ ଡିଲିମିଟେସନ ବିଲକୁ ପାରିତ କରିଦେବେ।ଏ ସମ୍ପର୍କରେ କଳ୍ପନାଜଳ୍ପନା ଚାଲିଥିବା ବେଳେ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ ସ୍ପଷ୍ଟ ଶବ୍ଦରେ ଦଳର ଆଭିମୁଖ୍ୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଆଗାମୀ ସ୍ୱତନ୍ତ୍ର ଅଧିବେଶନରେ ନିର୍ଦ୍ଦିଷ୍ଟ ଭାବରେ କେଉଁ ପ୍ରସଙ୍ଗ ଆଲୋଚନା ହେବ ତାହାର ସୂଚନା ଆମକୁ ମିଳିନାହିଁ। ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଓ ସୂଚନା ମିଳିବା ପରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ସଂସଦୀୟ ଦଳ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ । ବିଜେଡି ସର୍ବଦା ରାଜ୍ୟ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଆସିଛି ଓ ଭବିଷ୍ୟତରେ ବି ଏଥିରୁ କଦାପି ବିଚ୍ୟୁତ ହେବ ନାହିଁ ବୋଲି ମଙ୍ଗରାଜ କହିଛନ୍ତି ।
