ଭିଜିଲାନ୍ସ ଜାଲରେ କୋଟଗଡ଼ ବ୍ଲକର ଦୁଇ ଯନ୍ତ୍ରୀ
ମନରେଗା ଠକେଇ ମାମଲା, କୋଟଗଡ଼ ବ୍ଲକର ଦୁଇ ଇଞ୍ଜିନିୟରଙ୍କୁ ଭିଜିଲାନ୍ସ ଗିରଫ, ୪୨ ଲକ୍ଷରୁ ଅଧିକ ଅର୍ଥ ହେରଫେର ଅଭିଯୋଗ ।
କୋଟଗଡ଼: ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଲକର ଦୁଇ ଯନ୍ତ୍ରୀ। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଟଙ୍କା ହେରଫେର ଅଭିଯୋଗରେ ସହକାରୀ ଯନ୍ତ୍ରୀ (AE) ପ୍ରଶାନ୍ତ କୁମାର ପାତ୍ର ଏବଂ କନିଷ୍ଠ ଯନ୍ତ୍ରୀ (JE) ପ୍ରଫୁଲ୍ଲ କୁମାର ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି । ଉଭୟଙ୍କୁ ଆଜି କୋର୍ଟରେ ହାଜର କରାଯିବ। ସୂଚନା ଅନୁସାରେ, କୋଟଗଡ଼ ବ୍ଲକରେ ମନରେଗା ଯୋଜନା ଅଧୀନରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ମଞ୍ଜୁର ହୋଇଥିବା ସରକାରୀ ଅର୍ଥରୁ ୪୨ ଲକ୍ଷ ଟଙ୍କାରୁ ଅଧିକ ହେରଫେର ଅଭିଯୋଗ ପରେ ଏହି ପଦକ୍ଷେପ ନିଆଯାଇଛି। ଧରାକୋଟ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଅମୃତ ସରୋବର (ପୋଖରୀ) ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟର ତଦନ୍ତ ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଅଭିଯୋଗ ଅନୁସାରେ ୨୦୨୩-୨୪ ରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ଏହି ଅନିୟମିତତା ଘଟିଥିଲା। ସୂଚନା ଅନୁସାରେ, ଏହି ଦୁଇ ଯନ୍ତ୍ରୀ କୋଟଗଡ଼ ବ୍ଲକରେ ଚାଲୁଥିବା ଏକାଧିକ ଉନ୍ନୟନ କାର୍ଯ୍ୟରେ ଆସିୁଥିବା ଟଙ୍କାର ଦୁର୍ବ୍ୟବହାର କରିଥିବା ସନ୍ଦେହ କରାଯାଇଛି । ସୂଚନା ଅନୁଯାୟୀ ପ୍ରକଳ୍ପଗୁଡ଼ିକ ପାଇଁ ୪୯,୮୩,୯୯୫ ଟଙ୍କା ସମ୍ପୂର୍ଣ୍ଣ ଭାବେ ପ୍ରକ୍ରିୟାକରଣ କରି ଜମା କରାଯାଇଥିଲା। କିନ୍ତୁ ଯାଞ୍ଚ ବେଳେ ବାସ୍ତବରେ ହୋଇଥିବା କାମର ମୂଲ୍ୟ ମାତ୍ର ୭,୪୨,୩୫୭ ଟଙ୍କା ଥିବା ଜଣାପଡ଼ିଥିଲା। ଅଭିଯୋଗ ଅନୁସାରେ ୪୨ ଲକ୍ଷ ଟଙ୍କାରୁ ଅଧିକ ଅର୍ଥରେ କୌଣସି ଉନ୍ନୟନ ମୂଳକ କାମ ନ ହୋଇ ହଡ଼ପ କରାଯାଇଥିଲା। ତେବେ ତଦନ୍ତ ବେଳେ ଜଣାପଡ଼ିଛି ଯେ ମନରେଗା ନିୟମ ଅନୁସାରେ କାର୍ଯ୍ୟର ବିଭିନ୍ନ ପର୍ଯ୍ୟାୟରେ ଡିଜିଟାଲ ଜିଓ-ଟ୍ୟାଗିଂ ଫଟୋ ଅପଲୋଡ୍ କରିବା ବାଧ୍ୟତାମୂଳକ ଥିବା ବେଳେ, ଏହି ଘଟଣାରେ କୌଣସି ଜିଓ-ଟ୍ୟାଗ୍ ଫଟୋ ନିଆଯାଇନଥିଲା କିମ୍ବା ଅପଲୋଡ୍ କରାଯାଇନଥିଲା। ଏହି ମାମଲାରେ ଓଡ଼ିଶା ଭିଜିଲାନ୍ସ ବ୍ରହ୍ମପୁର ଭିଜିଲାନ୍ସ ଥାନା ଏକ ମାମଲା ରୁଜୁ କରିଛି। ଦୁଇ ଯନ୍ତ୍ରୀଙ୍କୁ ଗିରଫ ପରେ କୋଟଗଡ଼ ବ୍ଲକରେ ଦୁର୍ନୀତି ମାମଲା ପୁଣି ଚର୍ଚ୍ଚାରେ ଆସିଛି ।
