ବଙ୍ଗୋପସାଗର ଲଘୁଚାପ: ବାତ୍ୟା ନୁହେଁ, ଗଭୀର ଅବପାତର ଆଶଙ୍କା
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ: ବାତ୍ୟା ନୁହେଁ, ଗଭୀର ଅବପାତ ରୂପ ନେବ ଲଘୁଚାପ! ୨୩ ଓ ୨୪ରେ ପ୍ରବଳ ବର୍ଷା, ୧୧ ଜିଲ୍ଲାକୁ ଆଲର୍ଟ।
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପକୁ ନେଇ ବଢ଼ିଛି ଚିନ୍ତା। ଲଘୁଚାପଟି ବାତ୍ୟାର ରୂପ ନନେଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାର ୧୧ଟି ଜିଲ୍ଲାରେ ବର୍ଷାର ପ୍ରଭାବ ପଡ଼ିବା ଆଶଙ୍କା ରହିଛି। ଆସନ୍ତାକାଲିଠାରୁ ବର୍ଷା ଆରମ୍ଭ ହୋଇ ୨୩ ଓ ୨୪ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ଦୁଇ ଦିନ ପରିସ୍ଥିତି ସେନସିଟିଭ୍ ରହିବାକୁ ନେଇ ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି। ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବର୍ଷା ଓ ଜଳବନ୍ଦୀ ପରିସ୍ଥିତିକୁ ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ନେବାକୁ କୁହାଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ଡ୍ୟାମ୍ର ଜଳଧାରଣ କ୍ଷମତା ସମୀକ୍ଷା କରିବାକୁ ନିର୍ଦ୍ଦେଶ ରହିଛି। ଇନ୍ଦ୍ରାବତୀ ଓ ତେଲିଙ୍ଗିରି ଡ୍ୟାମ୍ରୁ ଆବଶ୍ୟକତା ଅନୁଯାୟୀ ପାଣି କମାଇବାକୁ କୁହାଯାଇଛି। ତେବେ ବାଲିମେଳା ଓ କୋଲାବ ଡ୍ୟାମ୍ରେ ବର୍ତ୍ତମାନ ଅଧିକ ପାଣି ନଥିବା ସୂଚନା ମିଳିଛି। ସମ୍ଭାବ୍ୟ ପରିସ୍ଥିତି ଉପରେ ନଜର ରଖିବା ପାଇଁ ସମସ୍ତ ଜିଲ୍ଲାରେ କଣ୍ଟ୍ରୋଲ ରୁମ୍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଆଜିଠାରୁ ଏସ୍ଆର୍ସି କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ପରିଚାଳନା ଆରମ୍ଭ ହୋଇଛି। ପାଣି ଜମୁଥିବା ଅଞ୍ଚଳଗୁଡ଼ିକରେ ଆବଶ୍ୟକ ମାନବବଳ ଓ ମେସିନ୍ ପ୍ରସ୍ତୁତ ରଖିବାକୁ ମଧ୍ୟ ପ୍ରଶାସନକୁ କୁହାଯାଇଛି। ବର୍ଷାଜନିତ ବିପଦ ଆଶଙ୍କା ଥିବା ଅଞ୍ଚଳରେ ଗର୍ଭବତୀ ମହିଳାମାନଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ରହିଛି। ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଆଜିଠାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି। ବଙ୍ଗୋପସାଗରର ଲଘୁଚାପ ଓ ସମ୍ଭାବ୍ୟ ବର୍ଷା ପରିସ୍ଥିତିକୁ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ହୋଇଥିଲା। ବୈଠକରେ ଏସ୍ଆର୍ସି, ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ଅଗ୍ନିଶମ ଡିଜି ଓ ଆଇନଶୃଙ୍ଖଳା ଏଡିଜିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
