୩ ଦିନ ନିଖୋଜ MSC ଛାତ୍ରୀଙ୍କ ଶବ ପ୍ରେମିକଙ୍କ ବାଥରୁମରୁ ଉଦ୍ଧାର
ବାରଣାସୀରେ ଚାଞ୍ଚଲ୍ୟ: ନିଖୋଜ MSC ଛାତ୍ରୀଙ୍କ ମୃତଦେହ ପ୍ରେମିକଙ୍କ ଘରୁ ମିଳିଲା। ବିବାହକୁ ନେଇ ବିବାଦ! ୩ ଦିନ ପରେ ପ୍ରେମିକଙ୍କ ଘରୁ ମିଳିଲା MSC ଛାତ୍ରୀଙ୍କ ଶବ।

ବାରଣାସୀ: ତିନି ଦିନ ଧରି ନିଖୋଜ ଥିବା ଜଣେ MSC ଛାତ୍ରୀଙ୍କ ମୃତଦେହ ପ୍ରେମିକଙ୍କ ଭଡ଼ା ଘରର ବାଥରୁମରୁ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ଶ୍ରେୟା ଉପାଧ୍ୟାୟ ବୋଲି ଜଣାପଡ଼ିଛି। ସେ ବାପା-ମାଆଙ୍କ ଏକମାତ୍ର ଝିଅ ଥିଲେ ଏବଂ ଜଗତପୁର ପିଜି କଲେଜରେ MSC ପ୍ରଥମ ବର୍ଷରେ ପଢ଼ୁଥିଲେ। ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଘଟଣାକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଅଭିଯୁକ୍ତ ପ୍ରେମିକ ବିବେକ ଚୋବେ ନିଜ ଗାଁର ସରପଞ୍ଚ ପଦ ପାଇଁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା କୁହାଯାଉଛି। ଶ୍ରେୟା ଓ ବିବେକ ସମ୍ପର୍କୀୟ ମଧ୍ୟ ଥିବା ସୂଚନା ମିଳିଛି। ପୋଲିସ ତଦନ୍ତ ଅନୁସାରେ, ଶ୍ରେୟାଙ୍କ ବାପା ତାଙ୍କ ବିବାହ ଗାଁର ଅନ୍ୟ ଜଣେ ଯୁବକଙ୍କ ସହ ଠିକ୍ କରିଥିଲେ। ଏହାକୁ ନେଇ ଶ୍ରେୟା ଓ ବିବେକଙ୍କ ମଧ୍ୟରେ ମତଭେଦ ହୋଇଥିବା ଆଶଙ୍କା କରାଯାଉଛି।
ସୂଚନା ଅନୁସାରେ, ଅଗଷ୍ଟ ୧୮ ତାରିଖ ସକାଳେ ଶ୍ରେୟା ଘରୁ କଲେଜ ଯାଇଥିଲେ। କିନ୍ତୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ। ଆଖପାଖ ଅଞ୍ଚଳ, ସମ୍ପର୍କୀୟ ଓ ବନ୍ଧୁଙ୍କ ଘରେ ଖୋଜାଖୋଜି କରିବା ପରେ ମଧ୍ୟ ଶ୍ରେୟାଙ୍କ ସନ୍ଧାନ ମିଳିନଥିଲା। ଶେଷରେ ପରିବାର ପକ୍ଷରୁ ପୋଲିସକୁ ନିଖୋଜ ଅଭିଯୋଗ ଦିଆଯାଇଥିଲା। ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ଶ୍ରେୟାଙ୍କ ମୋବାଇଲ ଫୋନକୁ ସର୍ଭିଲାନ୍ସରେ ରଖିଥିଲା। ଏଥିରୁ ତାଙ୍କ ଶେଷ ଲୋକେସନ ବଚ୍ଛାଂଵ ଅଞ୍ଚଳର ମାଲବୀୟ ଇଣ୍ଟର କଲେଜ ନିକଟରେ ଥିବା ଜଣାପଡ଼ିଥିଲା। ତଦନ୍ତ ସମୟରେ ଚୋଳପୁରରେ ରହୁଥିବା ବିବେକ ଚୋବେ ମଧ୍ୟ ସେହି ସମୟରେ ନିଖୋଜ ଥିବା ପୋଲିସ ଜାଣିବାକୁ ପାଇଥିଲା। ଏହାପରେ ଶ୍ରେୟାଙ୍କ ମାଆ ଓ ଜଣେ ସମ୍ପର୍କୀୟଙ୍କୁ ସାଙ୍ଗରେ ନେଇ ପୋଲିସ ବିବେକ ରହୁଥିବା ଭଡ଼ା ଘରେ ପହଞ୍ଚିଥିଲା। ସେଠାରେ ବାଥରୁମରୁ ଶ୍ରେୟାଙ୍କ ମୃତଦେହ ମିଳିଥିବାରୁ ପରିବାର ଲୋକେ ହତବାକ୍ ହୋଇଯାଇଥିଲେ। ପରିବାର ପକ୍ଷରୁ ବିବେକଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣାଯାଇଛି। ପୋଲିସର ପ୍ରାଥମିକ ରିପୋର୍ଟ ଅନୁସାରେ, ଧାରୁଆ ଅସ୍ତ୍ରରେ ଶ୍ରେୟାଙ୍କ ବେକ କାଟିବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ପରିବାରର ଅଭିଯୋଗ ଓ ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ବିବାହକୁ ନେଇ ବିବାଦ ଏବଂ ବିବେକଙ୍କ ରାଜନୈତିକ ଆକାଂକ୍ଷା ଘଟଣାର ସମ୍ଭାବ୍ୟ କାରଣ ହୋଇଥାଇପାରେ। ତେବେ ଘଟଣାର ପ୍ରକୃତ କାରଣ ଓ ହତ୍ୟାର ସମ୍ପୂର୍ଣ୍ଣ ରହସ୍ୟ ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
