ଟୋଲପ୍ଲାଜାରେ ଏଲପିଜି ଟାଙ୍କର ପିଟି ହେବା ଘଟଣା, ୫ ମୃତ
ୟୁପିର କୌସାମ୍ୱି ଜିଲ୍ଲାର ସିହୋରି ଟୋଲପ୍ଲାଜାରେ ଗ୍ୟାସ ଲିକ ଦୁର୍ଘଟଣା। ଆସିଲା ସିସିଟିଭି ଫୁଟେଜ। ପୁରୁଣା ଭିଡ଼ିଓ ବୋଲି ସ୍ପଷ୍ଟ କଲା ଏନଏଚଏଆଇ। ଆଇଓସିଏଲକୁ ସୋକଜ୍ ନୋଟିସ କରିଥିଲା ଏନଏଚଏଆଇ।
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର କୌସାମ୍ୱି ଜିଲ୍ଲାରେ ଟୋଲପ୍ଲାଜାରେ ଡିଭାଇଡରରେ ଏକ ଏଲପିଜି ବୋଝେଇ ଟ୍ୟାଙ୍କର ପିଟି ହେବା ପରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଥିଲେ। ଏହି ଦୁର୍ଘଟଣା ଜୁନ୍ ୨୬ ତାରିଖ ସକାଳ ପ୍ରାୟ ୬ଟା ୪୦ ମିନିଟ୍ରେ ଘଟିଥିବା ବେଳେ ସେହିଦିନର ସିସିଟିଭି ଫୁଟେଜ ବର୍ତ୍ତମାନ ସାମ୍ନାକୁ ଆସିଛି। ଏହା ପୁରୁଣା ଭିଡ଼ିଓ ହୋଇଥିବା ନେଇ ସ୍ପଷ୍ଟ କରିଛି ଏନଏଚଏଆଇ। ଏହି ଦୁର୍ଘଟଣାରେ ଆଇଓସିଏଲକୁ ସୋକଜ୍ ନୋଟିସ ଜାରି କରିଥିଲା ଏନଏଚଏଆଇ।
ସିସିଟିଭି ଫୁଟେଜର ୨୪ ସେକେଣ୍ଡର ଏହି ଭିଡିଓରେ ଦୁଇଟି ଟ୍ୟାଙ୍କର ଟୋଲ ପ୍ଲାଜା ଆଡ଼କୁ ଆସୁଥିବା ଦେଖାଯାଉଛି। ସେଥିମଧ୍ୟରୁ ଗୋଟିଏ ଟ୍ୟାଙ୍କର ହଠାତ୍ ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇ ଟୋଲ ପ୍ଲାଜାରେ ପଶିଯାଉଛି। କାନପୁରରୁ ପ୍ରତାପଗଡ଼ ଯାଉଥିବା ଏହି ଟ୍ୟାଙ୍କରରୁ ଗ୍ୟାସ ଲିକ୍ ହେବା ପରେ ଭୟଙ୍କର ବିସ୍ଫୋରଣ ଘଟିଥିଲା।
ବିସ୍ଫୋରଣ ପରେ ନିଆଁ ଏତେ ଭୟଙ୍କର ଥିଲା ଯେ ପ୍ରାୟ ଦୁଇ କିଲୋମିଟର ଦୂରରୁ ମଧ୍ୟ ଏହାର ଲେଲିହାନ ଶିଖା ଦେଖାଯାଉଥିଲା। ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାର ସମସ୍ତ ଅଗ୍ନିଶମ ବାହିନୀ ସହ ସିଭିଲ ପୋଲିସକୁ ମୁତୟନ କରାଯାଇଥିଲା।
ଏହି ଦୁର୍ଘଟଣାରେ ୪୦ ବର୍ଷୀୟ ଟ୍ୟାଙ୍କର ଚାଳକ ଧର୍ମେନ୍ଦ୍ର ଦୁବେ ଏବଂ ଟୋଲ ପ୍ଲାଜା କର୍ମଚାରୀ ଆଲୋକ ସିଂହଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଅନ୍ୟ କେତେକ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରୟାଗରାଜର ଅନିଲ କୁମାରଙ୍କର ଜୁଲାଇ ୧ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବେଳେ, ପରବର୍ତ୍ତୀ ଦିନ ତାଙ୍କ ଦୁଇ ସହକର୍ମୀଙ୍କର ମଧ୍ୟ ମୃତ୍ୟୁ ହଗୋଇଥିଲା। ଅନ୍ୟପଟେ, ଦୁର୍ଘଟଣାରେ ଟୋଲ ପ୍ଲାଜା ନିକଟରେ ପାର୍କିଂ ହୋଇଥିବା ୧୬ଟି ମୋଟରସାଇକେଲ ଓ ୨ଟି କାରରେ ମଧ୍ୟ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଥିଲା।
