Tantra ritual missing head : ଅନ୍ଧବିଶ୍ୱାସର ଅନ୍ଧାରୀ କାଣ୍ଡ, ସମାଧି ଖୋଳି ନେଇଗଲେ ମୁଣ୍ଡ
ତନ୍ତ୍ର ସାଧନା ସନ୍ଦେହରେ ମୃତ ଯୁବତୀଙ୍କ ସମାଧି ଖୋଳି ମୁଣ୍ଡ କାଟିନେଲେ ଦୁର୍ବୃତ୍ତ ! ନବରଙ୍ଗପୁରର ଏହି ଅମାନବୀୟ ଘଟଣାକୁ ନେଇ ଚାଞ୍ଚଲ୍ୟ, ତଦନ୍ତ ଆରମ୍ଭ କଲା ପୋଲିସ।
ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅଧୀନ ନନ୍ଦାହାଣ୍ଡି ବ୍ଲକର ନରସିଂହଗୁଡ଼ା ଗ୍ରାମରୁ ଏକ ଅତ୍ୟନ୍ତ ଅମାନବୀୟ ଓ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ତନ୍ତ୍ର ସାଧନା ସନ୍ଦେହରେ ଜଣେ ମୃତ ଯୁବତୀଙ୍କ ସମାଧି ଖୋଳି ତାଙ୍କ ମୁଣ୍ଡ କାଟି ନେଇଥିବା ଅଭିଯୋଗ ହୋଇଛି।ସୂଚନା ଅନୁଯାୟୀ, ଗ୍ରାମର ଅବିବାହିତା ଯୁବତୀ ନୀଳାନ୍ଦ୍ରୀ ମାଝୀଙ୍କର ଗତ ସେପ୍ଟେମ୍ବର ୨୬ ତାରିଖରେ ହାଡ଼ଫୁଟି ରୋଗରେ ମୃତ୍ୟୁ ହୋଇଥିଲା। ତାଙ୍କ ଶରୀରରେ ଠାକୁରାଣୀଙ୍କ ଆବିର୍ଭାବ ହୋଇଥିବା ବିଶ୍ୱାସ କରି ପରିବାର ଲୋକେ ଶବଦାହ ନକରି ଶ୍ମଶାନରେ ସମାଧି ଦେଇଥିଲେ। ଅନ୍ଧବିଶ୍ୱାସ ଓ ତାନ୍ତ୍ରିକ କ୍ରିୟାର ଆଶଙ୍କାରେ ପରିବାର ଲୋକେ ୨୧ ଦିନ ପର୍ଯ୍ୟନ୍ତ ସମାଧି ଜଗି ରହିଥିଲେ। ତେବେ ମୃତ୍ୟୁର ୪୨ ଦିନ ପରେ ରାତିରେ କିଛି ଅଜ୍ଞାତ ଦୁର୍ବୃତ୍ତ ସମାଧି ଖୋଳିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଦୁଇଟି କୁକୁଡ଼ା ବଳି ଦିଆଯାଇ ପୂଜାର୍ଚ୍ଚନା କରାଯିବା ପରେ ମୃତଦେହରୁ ମୁଣ୍ଡ କାଟି ନିଆଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ତେନ୍ତୁଳିଖୁଣ୍ଟି ପୋଲିସ, ସାଇଣ୍ଟିଫିକ୍ ଟିମ୍ ଏବଂ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ତଥା ଅତିରିକ୍ତ ତହସିଲଦାର ସୀମାଞ୍ଚଳ ପାତ୍ର ଘଟଣାସ୍ଥଳରେ ପହଞ୍ଚି ସମାଧିରୁ ମୃତଦେହ ବାହାର କରି ତଦନ୍ତ ଆରମ୍ଭ କରିଛନ୍ତି। ତନ୍ତ୍ର ସାଧନା, ବଶୀକରଣ କିମ୍ବା ଗୁପ୍ତଧନ ପ୍ରାପ୍ତି ଭଳି ଅନ୍ଧବିଶ୍ୱାସକୁ କେନ୍ଦ୍ର କରି ଏହି ଜଘନ୍ୟ କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାର ପ୍ରକୃତ କାରଣ ଓ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
