Bengaluru Mass Murder:ବେପତ୍ନୀଙ୍କ ପରିବାରର ୭ଜଣଙ୍କୁ ମର୍ଡର କଲା କ୍ୟାବ୍ ଡ୍ରାଇଭର
ପ୍ରାୟ ବାପ ଘରକୁ ଯାଉଥିବାରୁ ସୁନୀତାଙ୍କ ସହ ଶେଖରର ଝଗଡ଼ା ହୁଏ। ଏଥିରେ ହସ୍ତକ୍ଷେପ କରି ସୁନୀତାଙ୍କ ମାଆ ଓ ଭାଇ ବି ସୁନୀତାଙ୍କୁ ସମର୍ଥନ କରନ୍ତି। ଏଥିରେ କ୍ଷୁବ୍ଧ ଶେଖର ଶେଷରେ ପତ୍ନୀର ପୁରା ପରିବାରକୁ ଖତମ କରିବାକୁ ଚରମ ନିଷ୍ପତ୍ତି ନେଇଥିଲା।

ବେଙ୍ଗାଲୁରୁରେ ବର୍ବରତା। ପାରିବାରିକ ବିବାଦରୁ ଶାଶୁ, ଶାଳକ, ଶାଳୀ ସମେତ ୭ ଜଣଙ୍କୁ ନିର୍ମମ ହତ୍ୟା କଲା କ୍ୟାବ୍ ଡ୍ରାଇଭର। ପତ୍ନୀ ଓ ୭ ବର୍ଷର ପୁଅକୁ ବି ଛାଡିଲାନି। ପାର୍ଟି ବାହାନାରେ ଘରକୁ ଡାକି ନରସଂହାର କଲା। ଆଉ ଶବକୁ ଅଲଗା ଅଲଗା ଜାଗାରେ ଫିଙ୍ଗିଲା। ପତ୍ନୀ ନିଜ ବାପ ଘର ଯାଉଥିବାରୁ ଏଥିରେ କ୍ଷୁବ୍ଧ ଥିଲା କ୍ୟାବ୍ ଡ୍ରାଇଭର ଇନ୍ଦୁଶେଖର। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ମୁତାବକ, ୨୦ ବର୍ଷ ତଳେ ସୁନୀତାଙ୍କୁ ବିବାହ କରିଥିଲା ଶେଖର। ପ୍ରାୟ ବାପ ଘରକୁ ଯାଉଥିବାରୁ ସୁନୀତାଙ୍କ ସହ ଶେଖରର ଝଗଡ଼ା ହୁଏ। ଏଥିରେ ହସ୍ତକ୍ଷେପ କରି ସୁନୀତାଙ୍କ ମାଆ ଓ ଭାଇ ବି ସୁନୀତାଙ୍କୁ ସମର୍ଥନ କରନ୍ତି। ଏଥିରେ କ୍ଷୁବ୍ଧ ଶେଖର ଶେଷରେ ପତ୍ନୀର ପୁରା ପରିବାରକୁ ଖତମ କରିବାକୁ ଚରମ ନିଷ୍ପତ୍ତି ନେଇଥିଲା। ଶେଖର ଆଗ ଶିଳବଟା ବା ଶିଳପୁଆରେ ପତ୍ନୀକୁ ହତ୍ୟା କରିଥିଲା। ଶବକୁ କପଡ଼ାରେ ଗୁଡ଼ାଇ ନନ୍ଦି ହିଲ୍ସ ପାଖରେ ଫିଙ୍ଗିଦେଲା। ଏହା ପରେ ସୁନୀତାଙ୍କ ମୋବାଇଲ ସ୍ୱିଚଅଫ୍ କରି ପଡ଼ୋଶୀଙ୍କୁ କହିଥିଲା, ସୁନୀତା ବୁଲିବାକୁ ଯାଇଛି। ଏହା ପର ଦିନ ନିଜ ଦୁଇ ଶାଳକ ଶିବକୁମାର ଓ ଶଙ୍କରକୁ ପାର୍ଟି ବାହାନାରେ ଘରକୁ ଡାକି ସେମାନଙ୍କୁ ବି ମାରିଦେଲା। ଏହା ପରେ ଦୁହିଁଙ୍କ ପତ୍ନୀ ଦିବ୍ୟା ଓ ନଳିନୀ, ଶାଶୁ ରୂପବତୀ ଓ ଶିବକୁମାରର ୭ ବର୍ଷର ପୁଅକୁ ବି ମାରିଦେଲା। ତେବେ ଏ ମାମଲା ଗୁରୁବାର ସମସ୍ତଙ୍କ ସାମ୍ନାକୁ ଆସିଲା। ଯେବେ ନଳିନୀଙ୍କ ମାଆ ଶ୍ରୀରାମପୁରା ଥାନାରେ ନିଖୋଜ ଏତଲା ଦେଲେ। ଆଉ ତଦନ୍ତ ପରେ ସାମୂହିକ ହତ୍ୟାକାଣ୍ଡ କଥା ପୁଲିସକୁ ଜଣାପଡିଥିଲା। ଅଭିଯୁକ୍ତ ଶେଖର ରକ୍ତର ଛିଟା ଲୁଚାଇବାକୁ କେମିକାଲ ବ୍ୟବହାର କରିଥିଲା। ଶବକୁ ଅଲଗା ଅଲଗା ଜାଗାରେ ଠିକଣା ଲଗାଇବାକୁ କାର୍ ବ୍ୟବହାର କରିଥିଲା। ହତ୍ୟାରେ ବ୍ୟବହୃତ ଗ୍ରାଇଣ୍ଡିଂ ଷ୍ଟୋନ୍ ଓ କାରକୁ ଜବତ କରିଛି ପୁଲିସ। ପୁଲିସ ନନ୍ଦି ହିଲ୍ସ ପାଖରୁ ୭ ବର୍ଷ ପୁଅ ପୁନୀତର ଶବ ଜବତ କରିଛି। ବାକି ଶବକୁ ଖୋଜୁଛି। ବୈବାହିକ ଜୀବନରେ ଅସୁଖୀ ଓ ତଥାକଥିତ ଶାଶୁ ଘରର ଦଖଲଅନ୍ଦାଜକୁ ନେଇ କ୍ଷୁବ୍ଧ ଥିଲା ଶେଖର। ସେଥିଲାଗି ଦୁଇ ଦିନ ଭିତରେ ଜଣେ ପରେ ଜଣେ ୭ ଜଣକୁ ରାଜାଜୀନଗରସ୍ଥିତ ଘରକୁ ଡାକି ମାରିଦେଲା।
