Bhubaneswar Firing:ରାଜଧାନୀରେ ଗୁଳିକାଣ୍ଡ। ଗୁଳିମାଡ଼ରେ ଜଣଙ୍କ ମୃତ୍ୟୁ
ବନ୍ଧୁକ ଆଣିବା ଖୁସିରେ ଭୋଜି, ସେଲିବ୍ରେସନ୍ ବେଳେ ଫୁଟିଲା ଗୁଳି; ଜେସିବି କଣ୍ଟ୍ରାକ୍ଟର ତପୁ ନାୟକ ମୃତ

ଭୁବନେଶ୍ୱର: ରାଜଧାନୀରେ ଗୁଳିକାଣ୍ଡ। ଗୁଳିମାଡ଼ରେ ଜଣଙ୍କ ମୃତ୍ୟୁ। ମୃତକ ହେଉଛନ୍ତି ଜେସିବି ମେସିନ୍ କଣ୍ଟ୍ରାକ୍ଟର ତପୁ ନାୟକ। ଧଉଳି ଥାନା ଅନ୍ତର୍ଗତ ବଡ଼ଟାଙ୍କି ଶିଶୁପାଳଗଡ଼ ଅଞ୍ଚଳରେ ଘଟିଛି ଏହି ଅଘଟଣ। ବନ୍ଧୁକ ଆଣିବା ଖୁସିରେ ଚାଲିଥିଲା ଭୋଜିଭାତ ଓ ସେଲିବ୍ରେସନ୍। ହେଲେ ହସଖୁସିର ମାହୋଲ ହଠାତ୍ ପାଲଟିଗଲା ଶୋକରେ। ସୂଚନା ଅନୁସାରେ, ରାତିରେ ଭୋଜି ଚାଲିଥିବା ବେଳେ ବନ୍ଧୁକକୁ କ୍ଲିକ୍ କରିବା ସମୟରେ ଅଚାନକ ଫୁଟିଥିଲା ଗୁଳି। ଗୁଳି ସିଧା ଯାଇ ତପୁଙ୍କ ଛାତିରେ ବାଜିଥିଲା। ଏହି ଗୁଳିକାଣ୍ଡରେ ଗୁରୁତର ହୋଇପଡ଼ିଥିଲେ ତପୁ। ଘଟଣା ପରେ ଅଭିଯୁକ୍ତମାନେ ତପୁଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ସେତେବେଳେ ତପୁ ଜୀବିତ ଥିବା ଜଣାପଡ଼ିଛି। ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ, ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରି ତପୁଙ୍କୁ ହସ୍ପିଟାଲ ନେଇଥିବା ଦୁଇଜଣଙ୍କୁ ଅଟକ ରଖିଥିଲା ପୋଲିସ। ପ୍ରଥମେ ଅଭିଯୁକ୍ତମାନେ ପୋଲିସକୁ ଭୁଲ୍ ତଥ୍ୟ ଦେଇଥିଲେ। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ କିଛି ଦୁର୍ବୃତ୍ତ ତପୁଙ୍କୁ ଗୁଳି ମାରିଥିବା କହିଥିଲେ। ହେଲେ ପୋଲିସର ତଦନ୍ତ ଓ ଲଗାତାର ପଚରାଉଚରା ପରେ ସେମାନଙ୍କ କଥାରେ ସନ୍ଦେହ ହୋଇଥିଲା। ଶେଷରେ ଘଟଣା ସମ୍ପର୍କରେ ସତ ମାନିଥିଲେ ଅଭିଯୁକ୍ତ। ତଦନ୍ତରୁ ଜଣାପଡ଼ିଛି ଯେ, ଗୁଳି ଚଳାଇଥିବା ଅଭିଯୁକ୍ତ ପିକୁନ ହିଁ ବନ୍ଧୁକ ଆଣିଥିଲା। ବନ୍ଧୁକ ଆସିବା ଖୁସିରେ ଚାଲିଥିଲା ସେଲିବ୍ରେସନ୍। ହେଲେ ସେହି ସେଲିବ୍ରେସନ୍ ହିଁ ଶେଷରେ ତପୁଙ୍କ ଜୀବନ ନେଇଗଲା। ଘଟଣାକୁ ନେଇ ଧଉଳି ଥାନା ପୋଲିସ ତଦନ୍ତ ଜାରି ରଖିଛି। ବନ୍ଧୁକ କେଉଁଠୁ ଆସିଥିଲା ଏବଂ ଏହାର ଲାଇସେନ୍ସ ଥିଲା କି ନାହିଁ, ସେନେଇ ମଧ୍ୟ ତଦନ୍ତ ଜାରି ରହିଛି।
