Vigilance Trap : ଲାଞ୍ଚ ଟଙ୍କା ନେଉଥିଲେ, ମାଡ଼ି ବସିଲା ଭିଜିଲାନ୍ସ
ଜମି ପଞ୍ଜୀକରଣ ପାଇଁ ଲାଞ୍ଚ ମାଗିବା ପଡ଼ିଲା ମହଙ୍ଗା ! ୭ ହଜାର ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବାଲିଆପାଳ ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ର।
ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ବାଲେଶ୍ୱରର ବାଲିଆପାଳ ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ର | ଏକ ଜମିର ବିକ୍ରି କବଲା ପଞ୍ଜୀକରଣ କରିବାକୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଆଜି ତାଙ୍କୁ ଓଡ଼ିଶା ଭିଜିଲାନ୍ସ ଟିମ୍ ଧରିଛି | ସୂଚନା ଅନୁଯାୟୀ, ଜଣେ ଜମି କ୍ରେତା ୦.୧୪ ଡିସିମିଲ ପରିମିତ ବଜ୍ୟାପ୍ତି ସ୍ଥିତିବାନ କିସମ ଜମିର ବିକ୍ରି କବଲା ପଞ୍ଜୀକରଣ ପାଇଁ ସବ୍-ରେଜିଷ୍ଟ୍ରାରଙ୍କ ନିକଟକୁ ଯାଇଥିଲେ | ଆର୍ ଆଣ୍ଡ ଡିଏମ୍ ବିଭାଗର ନିୟମ ଅନୁଯାୟୀ ଏହି କିସମର ଜମିକୁ ସ୍ଥିତିବାନ ଭାବେ ବିବେଚନା କରି ପଞ୍ଜୀକରଣ କରାଯାଇପାରିବ | ଏନେଇ ବାରମ୍ବାର ଅନୁରୋଧ ସତ୍ତ୍ୱେ ଅଭିଯୁକ୍ତ ସବ୍-ରେଜିଷ୍ଟ୍ରାର ଏହାକୁ ଗୁରୁତ୍ୱ ଦେଇନଥିଲେ |
ଅଭିଯୋଗ ଅନୁସାରେ, କବଲା ପଞ୍ଜୀକରଣ ପାଇଁ ସେ ପ୍ରଥମେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ | ଜମି କ୍ରେତା ଏତେ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବାରୁ ଲାଞ୍ଚ ପରିମାଣ ୭ ହଜାର ଟଙ୍କାକୁ କମାଇଥିଲେ | ଏନେଇ ଜମି କ୍ରେତା ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଯୋଜନା ମୁତାବକ ଆଜି ଭିଜିଲାନ୍ସ ଟିମ୍ ତାଙ୍କୁ ଲାଞ୍ଚ ଟଙ୍କା ନେଉଥିବା ବେଳେ ଧରିଥିଲା | ତାଙ୍କ ନିକଟରୁ ସମସ୍ତ ୭ ହଜାର ଟଙ୍କା ଜବତ କରାଯାଇଛି | ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି ଠାବ ନେଇ ତାଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି | ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନଂ ୨୬/୨୦୨୬, ଦୁର୍ନୀତି ନିବାରଣ ଆଇନର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି | ମନୀଷା ମିଶ୍ର ୨୦୨୪ ମସିହାରେ ଚାକିରିରେ ଯୋଗ ଦେଇଥିବା ବେଳେ ବାଲିଆପାଳରେ ପ୍ରୋବେସନ୍ରେ ନିଯୁକ୍ତ ଥିଲେ। ଘଟଣାର ତଦନ୍ତ ଜାରି ରହିଛି |
