Tribal Leader Nisha Suicide:ନିଶାଙ୍କୁ ମାରିଦେଲା ବ୍ୟବସ୍ଥା ଓ ଜମିମାଫିଆ!
ତାଙ୍କ ମୃତ୍ୟୁ ଲାଗି ସିଷ୍ଟମ ଓ ଜମି ମାଫିଆ ଦାୟୀ କହି କାନ୍ଦି କାନ୍ଦି ଜୀବନ ହାରିଲେ ନିଶା। ଝାଡ଼ଖଣ୍ଡର ଆଦିବାସୀ ଅଧିକାର କର୍ମୀ ତଥା ନେତ୍ରୀ ନିଶା କୁମାରୀ ଭଗତଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଶୁକ୍ରବାର ରାଞ୍ଚିର ପିଠୋରିଆସ୍ଥିତ ନିଜ ଘରେ ତାଙ୍କର ମୃତ୍ୟୁ ହୋଇଥିଲା।ନିଜ ସମାଜର ଅଧିକାର ଲାଗି ସେ ନିରନ୍ତର ସଂଘର୍ଷ କରୁଥିଲେ। କିନ୍ତୁ ତାଙ୍କ ସହ କେହି ସାଥ୍ ଦେଲେନି।

ଝାଡ଼ଖଣ୍ଡର ବିଶିଷ୍ଟ ଆଦିବାସୀ ନେତ୍ରୀ ନିଶା ଭଗତଙ୍କ ଆତ୍ମହତ୍ୟା। ଫେସବୁକ ଲାଇଭରେ ଆସି କହିଲେ, ତାଙ୍କ ମୃତ୍ୟୁ ପାଇଁ କିଏ ଦାୟୀ। ହେମନ୍ତ ସରକାର, ପ୍ରଶାସନ ଓ କିଛି ବ୍ୟକ୍ତିଙ୍କ ଉପରେ ଲଗାଇଲେ ଗମ୍ଭୀର ଆରୋପ। ନିଜ ସମାଜର ଅଧିକାର ଲାଗି ସେ ନିରନ୍ତର ସଂଘର୍ଷ କରୁଥିଲେ। କିନ୍ତୁ ତାଙ୍କ ସହ କେହି ସାଥ୍ ଦେଲେନି। ତାଙ୍କ ମୃତ୍ୟୁ ଲାଗି ସିଷ୍ଟମ ଓ ଜମି ମାଫିଆ ଦାୟୀ କହି କାନ୍ଦି କାନ୍ଦି ଜୀବନ ହାରିଲେ ନିଶା। ଝାଡ଼ଖଣ୍ଡର ଆଦିବାସୀ ଅଧିକାର କର୍ମୀ ତଥା ନେତ୍ରୀ ନିଶା କୁମାରୀ ଭଗତଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଶୁକ୍ରବାର ରାଞ୍ଚିର ପିଠୋରିଆସ୍ଥିତ ନିଜ ଘରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପୂର୍ବରୁ ସେ ଫେସବୁକ୍ରେ ଲାଇଭ୍ ଆସି ଆଦିବାସୀ ସମାଜ, ଜମି ମାଫିଆ ଏବଂ ଝାଡ଼ଖଣ୍ଡ ସରକାରଙ୍କ କାର୍ଯ୍ୟପ୍ରଣାଳୀକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ତାଙ୍କ ମୃତ୍ୟୁ ପରେ ଝାଡ଼ଖଣ୍ଡର ରାଜନୈତିକ ମହଲରେ ଶୋକ ସହିତ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଆଜି ତାଙ୍କ ଗାଁ ଗୁମଲାରେ ପହଞ୍ଚି ଝାଡ଼ଖଣ୍ଡର ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି, ଅର୍ଜୁନ ମୁଣ୍ଡା ଓ ରଘୁବର ଦାସ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହା ସହ ରାଜନୀତିକ, ସାମାଜିକ ଓ ସଂଗଠନାତ୍ମକ କ୍ଷେତ୍ରରେ ଜଡ଼ିତ ଲୋକେ ବି ଆଜି ତାଙ୍କର ଶେଷଦର୍ଶନ କରିଛନ୍ତି।
କିଏ ଏହି ନିଶା ଭଗତ?
ନିଶା ଭଗତ ଝାଡ଼ଖଣ୍ଡର ଜଣେ ପରିଚିତ ଆଦିବାସୀ ଅଧିକାର କର୍ମୀ ଓ ରାଜନୈତିକ ନେତ୍ରୀ ଥିଲେ।ସେ ଝାଡ଼ଖଣ୍ଡର ଗୁମଲା ଜିଲ୍ଲାର ବାସିନ୍ଦା ଥିଲେ। ସେ ଓରାଓଁ ଆଦିବାସୀ ସମ୍ପ୍ରଦାୟର ଥିଲେ। ଆଦିବାସୀଙ୍କ ଅଧିକାର, ପରିଚୟ, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ସେ କାମ କରୁଥିଲେ। ତାଙ୍କ ପିତା ହାଣ୍ଡୁ ଭଗତ ଝାଡ଼ଖଣ୍ଡ ଆନ୍ଦୋଳନ ସହ ଜଡ଼ିତ ଜଣେ କର୍ମୀ ଥିଲେ। ସେ ଝାଡ଼ଖଣ୍ଡ ଲୋକତାନ୍ତ୍ରିକ କ୍ରାନ୍ତିକାରୀ ମୋର୍ଚ୍ଚା (JLKM) ସହ ଜଡ଼ିତ ଥିଲେ।୨୦୨୪ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଗୁମଲା ଆସନରୁ ପ୍ରାର୍ଥୀ ହୋଇଥିଲେ।ପାଠପଢ଼ା ପରେ ସେ ଦୁର୍ଗାପୁରରେ ହୋଟେଲ ମ୍ୟାନେଜମେଣ୍ଟ ପଢ଼ିଥିଲେ ଏବଂ ପରେ ବେଙ୍ଗାଲୁରୁରେ ଚାକିରି କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଚାକିରି ଛାଡ଼ି ଆଦିବାସୀ ସମାଜର ଅଧିକାର ପାଇଁ କାମ କରିଥିଲେ।
ମୃତ୍ୟୁ ପୂର୍ବରୁ ଫେସବୁକ୍ ଲାଇଭ୍ରେ କ'ଣ କହିଥିଲେ?
ମୃତ୍ୟୁ ପୂର୍ବରୁ ନିଶା ଭଗତ ପ୍ରାୟ ୧୦ରୁ ୧୧ ମିନିଟ୍ ପର୍ଯ୍ୟନ୍ତ ଫେସବୁକ୍ ଲାଇଭ୍ରେ ଥିଲେ। ଲାଇଭ୍ରେ ସେ ଭାବପ୍ରବଣ ହୋଇ ନିଜର ସଂଘର୍ଷ ଏବଂ ଅଭିଯୋଗ ସମ୍ପର୍କରେ କହିଥିଲେ। ତାଙ୍କ ମୁଖ୍ୟ ଅଭିଯୋଗ ଥିଲା: ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ପାଇଁ ସେ ଲଢ଼େଇ କରୁଥିଲେ।ଜମି ମାଫିଆଙ୍କ ବିରୋଧରେ ସ୍ୱର ଉଠାଇବାରୁ ତାଙ୍କୁ ହଇରାଣ କରାଯାଉଥିବା ସେ ଅଭିଯୋଗ କରିଥିଲେ।ପ୍ରଶାସନ ପାଖରେ ସୁରକ୍ଷା ମାଗିଥିଲେ, କିନ୍ତୁ ଆବଶ୍ୟକ ସହଯୋଗ ମିଳିନଥିବା କହିଥିଲେ।ତାଙ୍କୁ ନେଇ ସୋସିଆଲ୍ ମିଡିଆରେ ଅପପ୍ରଚାର ଓ ଟ୍ରୋଲିଂ ହେଉଥିବା ଅଭିଯୋଗ କରିଥିଲେ।ଆଦିବାସୀଙ୍କ ପାଇଁ ଲଢ଼େଇରେ ସେ ନିଜକୁ ଏକୁଟିଆ ଅନୁଭବ କରୁଥିବା କହିଥିଲେ। ଏହି ଲାଇଭ୍ ଭିଡିଓ ମଝିରୁ ହଠାତ୍ ବନ୍ଦ ହୋଇଯାଇଥିଲା। ଏହା ପରେ ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା।
ପୋଲିସକୁ ଫୋନ୍ କରି କ'ଣ କହିଥିଲେ?
ଏହି ଘଟଣାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ନିଶା ଭଗତ ଫେସବୁକ୍ ଲାଇଭ୍ ସମୟରେ ପିଠୋରିଆ ଥାନାର ଅଧିକାରୀଙ୍କୁ ଫୋନ୍ କରିଥିବା ଖବର ମିଳିଛି।ସେ ଥାନା ଅଧିକାରୀଙ୍କୁ ନିଜର ମାନସିକ ଅବସ୍ଥା ଓ ଅଭିଯୋଗ ବିଷୟରେ ଜଣାଇଥିଲେ।ନିଜ ସୁରକ୍ଷା ଏବଂ ପୂର୍ବରୁ ଦେଇଥିବା ଅଭିଯୋଗ ଉପରେ ପ୍ରଶ୍ନ ଉଠାଇଥିଲେ।ତାଙ୍କ ଘରେ ହୋଇଥିବା ଚୋରି ଘଟଣାରେ କାହିଁକି ତଦନ୍ତ ହୋଇନାହିଁ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ। ସେ ଥାନା ଅଧିକାରୀଙ୍କୁ ନିଜ ଆତ୍ମହତ୍ୟା ସମ୍ପର୍କରେ ମଧ୍ୟ ଜଣାଇଥିଲେ।
ଘଟଣା ପରେ ପୋଲିସ କ'ଣ ପଦକ୍ଷେପ ନେଇଛି?
ଘଟଣା ପରେ ପୋଲିସ ନିଶାଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।ତାଙ୍କ ମୃତଦେହକୁ ରାଞ୍ଚିର ରାଜେନ୍ଦ୍ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ (RIMS)କୁ ପଠାଯାଇଥିଲା। ପୋଷ୍ଟମର୍ଟମ୍ ପାଇଁ ବ୍ୟବସ୍ଥା କରାଯାଇଥିଲା। ଫେସବୁକ୍ ଲାଇଭ୍ ଭିଡିଓକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ତାଙ୍କ ଫୋନ୍ କଲ୍ ଓ ପରିବାର ସଦସ୍ୟଙ୍କ ବୟାନ ଯାଞ୍ଚ କରାଯାଉଛି। ପଡ଼ୋଶୀ ଓ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି। ରାଞ୍ଚି ପୋଲିସ ଅନୁସାରେ, ପ୍ରାଥମିକ ଭାବେ ଏହା ଆତ୍ମହତ୍ୟା ଘଟଣା ମନେ ହେଉଥିଲେ ମଧ୍ୟ ଏହାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।
୫. କେଉଁ ପ୍ରସଙ୍ଗକୁ ନେଇ ନିଶା ଭଗତ ଲଢ଼େଇ କରୁଥିଲେ?
ନିଶା ଭଗତ ମୁଖ୍ୟତଃ ଆଦିବାସୀଙ୍କ ପରିଚୟ, ଧର୍ମ, ସଂସ୍କୃତି ଓ ଜମି ଅଧିକାର ପ୍ରସଙ୍ଗରେ ସ୍ୱର ଉଠାଉଥିଲେ। ସର୍ନା ଧର୍ମ କୋଡ୍: ଆଦିବାସୀଙ୍କ ପାରମ୍ପରିକ ପ୍ରକୃତି ଉପାସନା ଆଧାରିତ ସର୍ନା ଧର୍ମକୁ ଏକ ସ୍ୱତନ୍ତ୍ର ଧାର୍ମିକ ପରିଚୟ ଦେବା ଦାବିକୁ ସେ ସମର୍ଥନ କରୁଥିଲେ।
ଜଳ, ଜଙ୍ଗଲ ଓ ଜମି: ଆଦିବାସୀଙ୍କ ପାରମ୍ପରିକ ଜମି ଓ ଜଙ୍ଗଲ ଅଧିକାରର ସୁରକ୍ଷା ତାଙ୍କ ଆନ୍ଦୋଳନର ଏକ ପ୍ରମୁଖ ଅଂଶ ଥିଲା।
CNT-SPT ଆଇନ: ଆଦିବାସୀ ଜମିର ସୁରକ୍ଷା ପାଇଁ ଥିବା Chotanagpur Tenancy Act ଓ Santhal Pargana Tenancy Actର କାର୍ଯ୍ୟକାରିତା ଉପରେ ସେ ଗୁରୁତ୍ୱ ଦେଉଥିଲେ।
PESA ଆଇନ: ଆଦିବାସୀ ଅଞ୍ଚଳରେ ଗ୍ରାମସଭାର ଅଧିକାର ଓ ସ୍ଥାନୀୟ ଶାସନ ବ୍ୟବସ୍ଥାକୁ ମଜବୁତ କରିବା ଦାବି କରୁଥିଲେ।
ଧର୍ମାନ୍ତରଣ ଓ ଡିଲିଷ୍ଟିଂ: ଧର୍ମାନ୍ତରଣ କରିଥିବା ଆଦିବାସୀଙ୍କୁ ST ସଂରକ୍ଷଣ ତାଲିକାରୁ ବାଦ୍ ଦେବା ଦାବିକୁ ସେ ସମର୍ଥନ କରୁଥିଲେ। ୨୦୨୫ ଡିସେମ୍ୱରରେ ଧର୍ମାନ୍ତରଣ ଓ ଡିଲିଷ୍ଟିଂ ପ୍ରସଙ୍ଗକୁ ନେଇ ବିରୋଧ ପ୍ରଦର୍ଶନ ସମୟରେ ସେ ନିଜ ମୁଣ୍ଡର କେଶ କାଟିଥିଲେ। ନିଶା ଭଗତଙ୍କ ମୃତ୍ୟୁକୁ ନେଇ ରାଜନୈତିକ ବୟାନ
ନିଶାଙ୍କ ମୃତ୍ୟୁ ପରେ ଝାଡ଼ଖଣ୍ଡରେ ରାଜନୈତିକ ଆରୋପ-ପ୍ରତ୍ୟାରୋପ ତୀବ୍ର ହୋଇଛି। ଝାଡ଼ଖଣ୍ଡର ବିରୋଧୀ ଦଳ ନେତା ବାବୁଲାଲ ମାରାଣ୍ଡି ଏହି ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଥିଲେ। ସେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍, ପିଠୋରିଆ ଥାନାର ଅଧିକାରୀ ଏବଂ ଅଜୟ ତିର୍କୀଙ୍କ ନାମ ଉଲ୍ଲେଖ କରି ଅଭିଯୋଗ ଆଣିଥିଲେ। ସେ ଘଟଣାର ନିରପେକ୍ଷ ତଦନ୍ତ ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଝାଡ଼ଖଣ୍ଡ ବିଜେପି ସଭାପତି ଆଦିତ୍ୟ ସାହୁ ମଧ୍ୟ ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଥିଲେ। ନିଶାଙ୍କ ମୃତ୍ୟୁର ପରିସ୍ଥିତି ଜାଣିବା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ତଦନ୍ତ କରାଇବାକୁ ଦାବି କରିଥିଲେ। କେନ୍ଦ୍ରମନ୍ତ୍ରୀ ସଞ୍ଜୟ ସେଠ ମଧ୍ୟ ନିଶାଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଥିଲେ। ସେ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ଉପରେ ହଇରାଣ କରିବାର ଅଭିଯୋଗ ଆଣିଥିଲେ। ଶାସକ ମେଣ୍ଟର ସହଯୋଗୀ ଦଳ ସିପିଆଇ (ଏମ୍ଏଲ୍) ମଧ୍ୟ ଘଟଣାରେ ଶୋକ ପ୍ରକାଶ କରି ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି।
ଏବେ ସବୁଠାରୁ ବଡ଼ ପ୍ରଶ୍ନ କ'ଣ?
ନିଶା ଭଗତଙ୍କ ମୃତ୍ୟୁ ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠୁଛି। ନିଶା ଭଗତ ପୂର୍ବରୁ ପୋଲିସ ପାଖରେ କୌଣସି ଲିଖିତ ଅଭିଯୋଗ କରିଥିଲେ କି? ତାଙ୍କ ସୁରକ୍ଷା ନେଇ ପ୍ରଶାସନକୁ କେବେ ଅବଗତ କରାଯାଇଥିଲା? ତାଙ୍କ ଘରେ ହୋଇଥିବା ଚୋରି ଘଟଣାର ତଦନ୍ତ କେଉଁଠି ପହଞ୍ଚିଥିଲା? ଜମି ମାଫିଆଙ୍କ ବିରୋଧରେ ସେ ଆଣିଥିବା ଅଭିଯୋଗର ସତ୍ୟତା କ'ଣ? ଏହି ଘଟଣାରେ କାହାରି ଅବହେଳା ବା ଚାପର ଭୂମିକା ରହିଥିଲା କି?
