Panchkula School Assault: ପଞ୍ଚକୁଳା ସ୍କୁଲ କାଣ୍ଡରେ ବଡ଼ ଟ୍ୱିଷ୍ଟ
ଅଭିଯୁକ୍ତ ୮ ବର୍ଷର ପୁଅକୁ ଜାମିନ ଦେଲେ ଜୁଭେନାଇଲ ଜଷ୍ଟିସ ବୋର୍ଡ। ଏହା ସହ ସୋସିଆଲ ମିଡିଆରୁ ପିଟିବାର ଭିଡ଼ିଓ ହଟାଇବାକୁ ଦେଲେ ନିର୍ଦ୍ଦେଶ।ଦୀର୍ଘ ୬ ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରିବା ପରେ ନଭେମ୍ୱର ୪ ତାରିଖରେ ଚଣ୍ଡିଗଡ଼ PGIMER ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛି ପୀଡ଼ିତା। ଝିଅ ଘରକୁ ଫେରିବା ପରେ ପରିବାର ଲୋକ ଓ ପଡ଼ୋଶୀମାନେ ଫୁଲ ବର୍ଷା କରି ତାକୁ ସ୍ୱାଗତ କରିଥିଲେ।

୬ଦିନ ପରେ ଘରକୁ ଫେରିଲା ୬ ବର୍ଷର ପୀଡ଼ିତା, ଅଭିଯୁକ୍ତ ୮ ବର୍ଷର ଛାତ୍ରକୁ ମିଳିଲା ଜାମିନ। ପଞ୍ଚକୁଳା ସ୍କୁଲ କାଣ୍ଡରେ ବଡ଼ ଟ୍ୱିଷ୍ଟ। ଅଭିଯୁକ୍ତ ୮ ବର୍ଷର ପୁଅକୁ ଜାମିନ ଦେଲେ ଜୁଭେନାଇଲ ଜଷ୍ଟିସ ବୋର୍ଡ। ଏହା ସହ ସୋସିଆଲ ମିଡିଆରୁ ପିଟିବାର ଭିଡ଼ିଓ ହଟାଇବାକୁ ଦେଲେ ନିର୍ଦ୍ଦେଶ। ସମସ୍ତ ସାର୍ବଜନୀକ ପ୍ଲାଟଫର୍ମରେ ଭାଇରାଲ ହୋଇଥିବା ଘଟଣାର ଭିଡିଓ, ଫଟୋ ହଟାଇବାକୁ ଦିଆଯାଇଛି ଆଦେଶ।ଯେଉଁଠି ଅଭିଯୁକ୍ତ ପିଲାଟିର ପରିଚୟ ପ୍ରଘଟ ହେଉଛି। ନଭେମ୍ୱର ୨୭ ସୁଦ୍ଧା ଏ ସମ୍ପର୍କିତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ପୁଲିସକୁ ବୋର୍ଡ ଦେଇଛି ନିର୍ଦ୍ଦେଶ। ପଞ୍ଚକୁଳା ସ୍କୁଲରେ ୬ ବର୍ଷର କୋମଳମତି ଛାତ୍ରୀକୁ କ୍ଲାସରୁମ ଭିତରେ ବର୍ବରତାର ସହ ପିଟିଥିଲା ୮ ବର୍ଷର ଛାତ୍ର। ବୋର୍ଡ ଆଗରେ ଅଭିଯୁକ୍ତ ଛାତ୍ରର ଜାମିନ ଦାଖଲ ବେଳେ ଯୁକ୍ତି ଦର୍ଶାଯାଇଥିଲା ଯେ, ପିଲାଟିର ଏଭଳି ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନାହିଁ। ଅବଜର୍ଭେସନ ହୋମରେ ପିଲାଟିକୁ ରଖିବା ଫଳରେ ପାଠପଢ଼ା ଓ ମାନସିକ ବିକାଶ ପ୍ରଭାବିତ ହୋଇପାରେ। ବୋର୍ଡକୁ ପିଲାଟିର ଅଭିଭାବକ ଭରସା ଦେଇଛନ୍ତି ଯେ, ସେ ପିଲାଟିର ଉଚିତ କାଉନସେଲିଂ କରିବେ। ତା ବ୍ୟବହାରରେ ସୁଧାର ଆଣିବାକୁ ପୁରା ଦାୟିତ୍ୱ ନେବେ। ବର୍ତ୍ତମାନ ସେ ସ୍କୁଲ୍ ନଯାଇ ବ୍ୟକ୍ତିଗତ ଶିକ୍ଷାଦାନ ମାଧ୍ୟମରେ ପଢ଼ିବ। ଆଉ ଏହି ଦଲିଲ ଓ ଆଶ୍ୱାସନାରେ ବିଚାର କରି ଜୁଭେନାଇଲ ଜଷ୍ଟିସ ବୋର୍ଡ ତାକୁ ଜାମିନ ଦେଇଛନ୍ତି। ଅକ୍ଟୋବର ୨୮ ତାରିଖରେ ପଞ୍ଚକୁଳା ସରକାରୀ ସ୍କୁଲର କେଜିରେ ପଢ଼ୁଥିବା ୬ ବର୍ଷର ଛାତ୍ରୀକୁ ଅତି ବର୍ବରତାର ସହ ଆକ୍ରମଣ କରିଥିଲା ୮ ବର୍ଷର ଛାତ୍ର। ପିଲାଟିର ମୁଣ୍ଡକୁ ଇଟାରେ ପିଟିଥିଲା। ବେଞ୍ଚରୁ ତଳେ ପକାଇଦେଇ ଟାଇ ଧରି ଟାଣିଥିଲା। ଆଉ ଲାତ ଭୁଷା ମାରିଥିଲା। ଆକ୍ରମଣରେ ପିଲାଟି ବେହୋସ ହୋଇପଡ଼ିଥିଲା। ଗମ୍ଭୀର ଅବସ୍ଥାରେ ଚଣ୍ଡିଗଡ଼ ପିଜିଆଇରେ ଭର୍ତ୍ତି କରାଯାଇଥିଲା। ଆଉ ଅଭିଯୁକ୍ତକୁ ଜାମିନ ମିଳିବା ଦିନ ହିଁ ସକାଳୁ ହସ୍ପିଟାଲରୁ ଡିସଚାର୍ଜ ହୋଇଛି ଛାତ୍ରୀଜଣକ। ଗୋଟିଏ ପଟେ ପୀଡ଼ିତ ଛାତ୍ରୀ ସୁସ୍ଥ ହୋଇ ଘରକୁ ଫେରିବା ଦିନ ହିଁ ଅଭିଯୁକ୍ତକୁ ଜାମିନ ଓ ତାହାର ପରିଚୟ ପ୍ରଘଟ କରୁଥିବା ସାମଗ୍ରୀ ହଟାଇବାକୁ ଆଦେଶ ମାମଲାରେ ନୂଆ ମୋଡ଼ ଦେଇଛି। ଏବେ ସମସ୍ତଙ୍କ ନଜର ବୋର୍ଡଙ୍କ ଆଦେଶ ଅନୁପାଳନ ଓ ଆଗାମୀ ଶୁଣାଣୀ ଉପରେ।
ହରିୟାଣାର ପଞ୍ଚକୁଲାରେ ସ୍କୁଲ୍ ଭିତରେ ଜଣେ ୬ ବର୍ଷର ନିରୀହ ଶିଶୁକୁ ଆକ୍ରମଣ କରାଯିବା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଦୀର୍ଘ ୬ ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରିବା ପରେ ନଭେମ୍ୱର ୪ ତାରିଖରେ ଚଣ୍ଡିଗଡ଼ PGIMER ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛି ପୀଡ଼ିତା। ଝିଅ ଘରକୁ ଫେରିବା ପରେ ପରିବାର ଲୋକ ଓ ପଡ଼ୋଶୀମାନେ ଫୁଲ ବର୍ଷା କରି ତାକୁ ସ୍ୱାଗତ କରିଥିଲେ। କିନ୍ତୁ ଶରୀରର କ୍ଷତ ଅପେକ୍ଷା ମନରେ ଲାଗିଥିବା ଭୟ ଏବେ ପରିବାର ପାଇଁ ବଡ଼ ଚିନ୍ତାର କାରଣ ହୋଇଛି। ଘରକୁ ଫେରିବା ପରେ ବି ଝିଅଟି ସମ୍ପୂର୍ଣ୍ଣ ସୁସ୍ଥ ନୁହେଁ
ପୀଡ଼ିତାଙ୍କ ବାପା ରସିଦଙ୍କ କହିବା ଅନୁସାରେ, ଝିଅର ସ୍ୱାସ୍ଥ୍ୟରେ ଉନ୍ନତି ହୋଇଛି। କିନ୍ତୁ ସେ ଏବେ ବି ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହିଁ। ତାକୁ ଏବେ ବି ମଝିରେ ମଝିରେ ମୁଣ୍ଡ ବୁଲାଉଛି। ପେଟରେ ଯନ୍ତ୍ରଣା ଅନୁଭବ ହେଉଛି। ଦୀର୍ଘ ସମୟ ବସିବାରେ ଅସୁବିଧା ହେଉଛି। ଶରୀରର ବିଭିନ୍ନ ସ୍ଥାନରେ ସିଲେଇ ହୋଇଛି। ପରିବାର ପକ୍ଷରୁ କୁହାଯାଇଛି ଯେ ଝିଅଟିର ମାନସିକ ଆଘାତ ମଧ୍ୟ ରହିଛି। ରାତିରେ ନିଦରୁ ଅଚାନକ ଉଠି ଡରିଯିବା ଏବଂ ପୁଣି ସ୍କୁଲ୍ ନଯିବାକୁ କହିବା ଭଳି ସମସ୍ୟା ହେଉଛି ବୋଲି କୁହାଯାଉଛି।
ପୀଡ଼ିତାଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବେ ସମାଜସେବୀ
ଏହି ଘଟଣା ପରେ ପୀଡ଼ିତାଙ୍କ ଭବିଷ୍ୟତକୁ ନେଇ ଜଣେ ସମାଜସେବୀ ସହାୟତାର ହାତ ବଢ଼ାଇଛନ୍ତି। ପଞ୍ଚକୁଲାର ସମାଜସେବୀ ଅନିଲ ଥାପର ଘୋଷଣା କରିଛନ୍ତି ଯେ ଝିଅଟି ଯେତେଦିନ ଏବଂ ଯେଉଁଠାରେ ପାଠପଢ଼ିବାକୁ ଚାହିଁବ, ତା'ର ସମସ୍ତ ଶିକ୍ଷା ଖର୍ଚ୍ଚ ସେ ବହନ କରିବେ।
ସ୍କୁଲ୍ ପ୍ରଶାସନ ବିରୋଧରେ କାର୍ଯ୍ୟାନୁଷ୍ଠାନ
ଏହି ଘଟଣା ପରେ ହରିୟାଣା ଶିକ୍ଷା ବିଭାଗ ସ୍କୁଲ୍ ପ୍ରଶାସନ ବିରୋଧରେ ପଦକ୍ଷେପ ନେଇଛି। ସ୍କୁଲ୍ର ପ୍ରିନ୍ସିପାଲଙ୍କୁ ନିଲମ୍ୱନ କରାଯାଇଛି। ଦୁଇ ଜଣ JBT ଶିକ୍ଷୟିତ୍ରୀ ସିମରନଜିତ କୌର ଓ ପୂଜା ରାଣୀଙ୍କୁ ମଧ୍ୟ ନିଲମ୍ୱନ କରାଯାଇଛି। ଘଟଣାର ତଦନ୍ତ ପାଇଁ ସରକାର ପାଞ୍ଚ ଜଣିଆ କମିଟି ଗଠନ କରିଛନ୍ତି। ସ୍କୁଲ୍ରେ ଶିଶୁ ସୁରକ୍ଷା ଓ CCTV ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ପରିବାରର ଅଭିଯୋଗ ଅନୁସାରେ, ଝିଅଟି ଆହତ ହେବା ପରେ ପ୍ରାୟ ଦୁଇ ଘଣ୍ଟା ଧରି ଏକ ବନ୍ଦ ରୁମ୍ରେ ପଡ଼ି ରହିଥିଲା। ଏତେ ସମୟ ଧରି ସ୍କୁଲ୍ କର୍ତ୍ତୃପକ୍ଷ କିପରି ଜାଣିପାରିଲେ ନାହିଁ, ତାହା ତଦନ୍ତର ମୁଖ୍ୟ ପ୍ରଶ୍ନ ହୋଇଛି। ପୋଲିସ ଦୁଇଟି ମାମଲା ରୁଜୁ କରିଛି। ଗୋଟିଏ ନାବାଳକଙ୍କ ଆଚରଣ ସମ୍ପର୍କରେ ଏବଂ ଅନ୍ୟଟି ସ୍କୁଲ୍ କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗରେ।
ହରିୟାଣା ସରକାରଙ୍କ ନୂଆ ପଦକ୍ଷେପ: ପିଲାଙ୍କ ପାଇଁ କାଉନସେଲିଂ
ଏହି ଘଟଣା ପରେ ସ୍କୁଲ୍ରେ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟକୁ ନେଇ ଗୁରୁତ୍ୱ ବଢ଼ିଛି।ହରିୟାଣା ସରକାର ସ୍କୁଲ୍ରେ ସାପ୍ତାହିକ କାଉନସେଲିଂ ଆରମ୍ଭ କରିବା ଯୋଜନା କରୁଛନ୍ତି। ଏହା ସହିତ SAATH ପ୍ରକଳ୍ପ ମାଧ୍ୟମରେ ମାନସିକ ଚାପରେ ଥିବା ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଓ ମାନସିକ ସହାୟତା ଦେବାର ପ୍ରସ୍ତାବ ରହିଛି। ଏହାର ଉଦ୍ଦେଶ୍ୟ ହେଉଛି ପିଲାଙ୍କ ଆଚରଣରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖାଗଲେ ଆଗୁଆ ଚିହ୍ନଟ କରି ଆବଶ୍ୟକ ସହାୟତା ଦେବା।
ଏହି ଘଟଣା ଦେଶ ପାଇଁ କେଉଁ ପ୍ରଶ୍ନ ଛାଡ଼ିଗଲା?
ଏହି ଘଟଣା କେବଳ ଦୁଇ ଜଣ ଶିଶୁଙ୍କ ମଧ୍ୟରେ ହୋଇଥିବା ଆକ୍ରମଣ ନୁହେଁ। ଏହା ସ୍କୁଲ୍ର ସୁରକ୍ଷା ବ୍ୟବସ୍ଥା ଓ ପିଲାଙ୍କ ମାନସିକ ବିକାଶକୁ ନେଇ ଅନେକ ପ୍ରଶ୍ନ ଉଠାଇଛି।
1. ସ୍କୁଲ୍ରେ CCTV ଥାଇ ମଧ୍ୟ ଏଭଳି ଘଟଣା କିପରି ଘଟିଲା?
2. ଶିକ୍ଷକମାନେ ପିଲାଙ୍କ ସୁରକ୍ଷା ପ୍ରତି କେତେ ସଚେତନ?
3. ଛୋଟ ପିଲାଙ୍କ ମଧ୍ୟରେ ହିଂସାତ୍ମକ ଆଚରଣର କାରଣ କ'ଣ?
4. ମୋବାଇଲ୍ ଗେମ୍ ଓ ହିଂସାତ୍ମକ ଡିଜିଟାଲ୍ କଣ୍ଟେଣ୍ଟର ପ୍ରଭାବ କେତେ?
5. ସ୍କୁଲ୍ରେ ଶିଶୁଙ୍କ ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା ଓ କାଉନସେଲିଂ କେତେ ଜରୁରୀ?
ତେବେ ମୋବାଇଲ୍ ଗେମ୍ ହିଁ ଆକ୍ରମଣର କାରଣ ବୋଲି ଏଯାଏଁ କୌଣସି ତଦନ୍ତରେ ପ୍ରମାଣିତ ହୋଇନାହିଁ। ଏଥିପାଇଁ ନାବାଳକଙ୍କ ମାନସିକ ସ୍ଥିତି ଓ ପରିବେଶକୁ ଯାଞ୍ଚ କରାଯାଉଛି।
