Stealing on Trains for Gf : ପ୍ରେମିକାଙ୍କ ସଉକ ପାଇଁ ଟ୍ରେନ୍ରେ ଚୋରି
ବାପା ଏୟାରଫୋର୍ସରେ ଅଧିକାରୀ, ନିଜେ B.Tech ଗ୍ରାଜୁଏଟ୍। ତଥାପି ଟ୍ରେନ୍ର AC କୋଚ୍ରେ ଯାତ୍ରୀଙ୍କ ବ୍ୟାଗ୍ ଚୋରି କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଦୀପକ ମୌର୍ଯ୍ୟ। ପୋଲିସ ୩୪ଟି ବ୍ୟାଗ୍ ସମେତ ପ୍ରାୟ ୮.୨୬ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରିଛି।
ଗ୍ୱାଲିୟର: ବାପା ଏୟାରଫୋର୍ସରେ ଅଧିକାରୀ, ନିଜେ ବି.ଟେକ୍ ଗ୍ରାଜୁଏଟ୍। ହେଲେ ଟ୍ରେନ୍ର AC କୋଚ୍ରେ ଯାତ୍ରୀଙ୍କ ବ୍ୟାଗ୍ ଚୋରି କରିବା ଅଭିଯୋଗରେ ଏବେ ପୋଲିସ ହେପାଜତରେ ଜଣେ ଇଞ୍ଜିନିୟର। ମଧ୍ୟପ୍ରଦେଶର ଗ୍ୱାଲିୟରରେ ରେଳବାଇ ପୋଲିସ (GRP) ଦୀପକ ମୌର୍ଯ୍ୟ ନାମକ ଯୁବକଙ୍କୁ ଗିରଫ କରିଛି। ତାଙ୍କଠାରୁ ୩୪ଟି ବ୍ୟାଗ୍ ସମେତ ଲାପଟପ୍, ମୋବାଇଲ୍ ଓ ଅନ୍ୟାନ୍ୟ ସାମଗ୍ରୀ ମିଶାଇ ପ୍ରାୟ ୮ ଲକ୍ଷ ୨୬ ହଜାର ଟଙ୍କାର ସାମଗ୍ରୀ ଜବତ ହୋଇଛି। ପ୍ରେମିକାଙ୍କ ଦାମୀ ସଉକ ପୂରଣ କରିବା ପାଇଁ ସେ ଚୋରି କରୁଥିବା ଅଭିଯୋଗ ହୋଇଛି। ପୋଲିସ ସୂଚନା ଅନୁସାରେ, ଦୀପକ ଦାମୀ ପୋଷାକ ପିନ୍ଧି ସାଧାରଣ ଯାତ୍ରୀଙ୍କ ଭଳି ଦୂରଗାମୀ ଟ୍ରେନ୍ର AC କୋଚ୍ରେ ଯାତ୍ରା କରୁଥିଲେ। ଯାତ୍ରୀଙ୍କ ଗତିବିଧି ଉପରେ ନଜର ରଖି ସୁଯୋଗ ମିଳିଲେ ବ୍ୟାଗ୍ ଉଠାଇ ନେଇ ପରବର୍ତ୍ତୀ ଷ୍ଟେସନ୍ରେ ଓହ୍ଲାଇ ପଡ଼ୁଥିବା ଅଭିଯୋଗ ରହିଛି। ଗ୍ୱାଲିୟର ରେଳ ଷ୍ଟେସନରେ GRP ଯାଞ୍ଚ ସମୟରେ ଏକ ଟ୍ରଲି ବ୍ୟାଗ୍ ଧରିଥିବା ଦୀପକଙ୍କ ଉପରେ ପୋଲିସର ସନ୍ଦେହ ହୋଇଥିଲା। ସେ ଟିକେଟ୍ ଦେଖାଇପାରି ନଥିବାରୁ ଏବଂ ବ୍ୟାଗ୍ରେ କ’ଣ ଅଛି ସେ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ପଚରାଉଚରା କରାଯାଇଥିଲା। ପରେ ତାଙ୍କ ଠିକଣାରେ ଚଢ଼ାଉ କରି ବିପୁଳ ସାମଗ୍ରୀ ଜବତ କରାଯାଇଥିଲା। ପୋଲିସ ତଦନ୍ତରେ GT ଏକ୍ସପ୍ରେସ୍ରେ ଯାତ୍ରୀଙ୍କ ବ୍ୟାଗ୍ ଚୋରି ସମ୍ପର୍କିତ ଦୁଇଟି ଘଟଣାରେ ମଧ୍ୟ ତାଙ୍କ ସମ୍ପୃକ୍ତି ଯାଞ୍ଚ ହେଉଛି। ଜବତ ସାମଗ୍ରୀର ପ୍ରକୃତ ମାଲିକଙ୍କୁ ଚିହ୍ନଟ କରିବା ସହ ଅନ୍ୟ ଚୋରି ଘଟଣା ଏବଂ ଏଥିରେ ଅନ୍ୟ କେହି ସାମିଲ ଅଛନ୍ତି କି ନାହିଁ, GRP ତଦନ୍ତ ଜାରି ରଖିଛି।
