India China Border Tension:ଅରୁଣାଚଳରେ ଚୀନ୍ ସହ ମୁହାଁମୁହିଁ
ଅରୁଣାଚଳ ପ୍ରଦେଶରେ ଭାରତ ଓ ଚୀନ୍ ସେନା ମଧ୍ୟରେ ଗତ କିଛି ମାସ ଧରି ମୁହାଁମୁହିଁ ସ୍ଥିତି ଜାରି ରହିଥିବା କହିଛନ୍ତି ITBP ଡିଜି ଶତ୍ରୁଜିତ କପୁର। ସୀମାରେ ଉତ୍ତେଜନାକୁ ନେଇ କଂଗ୍ରେସ ମଧ୍ୟ ସରକାରଙ୍କୁ ପ୍ରଶ୍ନ କରିଛି।
ଭାରତ-ଚୀନ୍ ସୀମାରେ ପୁଣି ଉତ୍ତେଜନା। ଅରୁଣାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ଭାରତୀୟ ଓ ଚୀନ୍ ସେନା ମୁହାଁମୁହିଁ ହେବା ସହ ଟକ୍କର ସ୍ଥିତି ଏବେ ବି ଜାରି ରହିଥିବା କହିଛନ୍ତି ଭାରତ-ତିବ୍ବତ ସୀମା ପୁଲିସ (ITBP)ର ମହାନିର୍ଦ୍ଦେଶକ ଶତ୍ରୁଜିତ କପୁର। ଗୁରୁବାର ରାଜସ୍ଥାନର ଅଲୱରସ୍ଥିତ ସେଣ୍ଟ୍ରାଲ ଟ୍ରେନିଂ କଲେଜରେ ହିମବୀର ସମ୍ମାନ ସମାରୋହରେ ଯୋଗଦେଇ ସେ ଏହି ସୂଚନା ଦେଇଛନ୍ତି। କପୁରଙ୍କ କହିବା ଅନୁସାରେ, ଜୁଲାଇ ଶେଷ ଭାଗରୁ ଅରୁଣାଚଳ ପ୍ରଦେଶର ଅପର ସୁବନସିରି ଜିଲ୍ଲାର ଅସାଫିଲା ଓ ମାଜା ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ପରିସ୍ଥିତିକୁ ଦେଖି ଭାରତ ମଧ୍ୟ ସୀମାରେ ସୈନ୍ୟ ମୁତୟନ ବଢ଼ାଇଛି। ଜୁଲାଇରୁ ଏପର୍ଯ୍ୟନ୍ତ ଉଭୟ ଦେଶ ମଧ୍ୟରେ WMCC, ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ଆଲୋଚନା ଓ କୋର୍ କମାଣ୍ଡରସ୍ତରୀୟ ବୈଠକ ହୋଇଥିଲେ ମଧ୍ୟ ସୀମାରେ ତିକ୍ତତା ହ୍ରାସ ପାଇନାହିଁ। ପ୍ଟେମ୍ବରରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିଥିବା ସମୟରେ ମଧ୍ୟ ଏହି ମୁହାଁମୁହିଁ ସ୍ଥିତି ରହିଥିବା ରିପୋର୍ଟ ହୋଇଛି। ସାମରିକ ଆଧୁନିକୀକରଣ ଉପରେ ଗୁରୁତ୍ୱ ଦେଇ କପୁର କହିଛନ୍ତି, ଚୀନ୍ ସେନା ଆଧୁନିକୀକରଣ ଓ ନିବେଶ କ୍ଷେତ୍ରରେ ଅନେକ ଆଗରେ ଥିବାରୁ ପାରମ୍ପରିକ ଯୁଦ୍ଧ କୌଶଳରେ ତା’ର ମୁକାବିଲା କଷ୍ଟକର। ତେଣୁ ITBP ଡ୍ରୋନ୍ ନିର୍ମାଣ, ଡ୍ରୋନ୍ ବିରୋଧୀ ବ୍ୟବସ୍ଥା ଓ ସୀମାରେ ଭୂତଳ ସୁରକ୍ଷିତ ଆଶ୍ରୟସ୍ଥଳ ନିର୍ମାଣ ଉପରେ କାମ କରୁଛି। ନୂଆ ‘ଶୌର୍ଯ୍ୟ’ କମାଣ୍ଡୋ ଦଳକୁ ମଧ୍ୟ ସୀମାରେ ମୁତୟନ କରାଯାଇଛି। ଏହି ପ୍ରସଙ୍ଗରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଘେରିଛି। ସାଂସଦ ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ ୨୦୨୦ ଜୁନ୍ ୧୯ରେ ଚୀନ୍କୁ ନେଇ ପ୍ରଧାନମନ୍ତ୍ରୀ ଦେଇଥିବା ବିବାଦୀୟ ‘କ୍ଲିନ୍ଚିଟ୍’ର ମୂଲ୍ୟ ଭାରତ ଦେଉଛି। ସାଂସଦ ଜେବି ମାଥେର ମଧ୍ୟ ପ୍ରଶ୍ନ ଉଠାଇ କହିଛନ୍ତି, ଜୁଲାଇରୁ ଘଟଣା ଘଟୁଥିବାବେଳେ ଦେଶ ଅକ୍ଟୋବରରେ ଏହା ଜାଣିଲା। ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଏନେଇ କାହିଁକି ବିବୃତି ଦେଇନାହାନ୍ତି, ତାହା ମଧ୍ୟ ସେ ପ୍ରଶ୍ନ କରିଛନ୍ତି।
