Jaipur Robbery:କଚୋଡ଼ି ଖାଇବା ପଡ଼ିଲା ମହଙ୍ଗା- ଲୁଟିନେଲେ ୨୦ ଲକ୍ଷ ଟଙ୍କା
ଭୋକ ମେଣ୍ଟାଇବା ପାଇଁ ଅଟକିଥିଲେ ବ୍ୟବସାୟୀ, ହେଲେ କିଛି ମିନିଟ୍ର ବିରତି ତାଙ୍କୁ ଦେଲା ୨୦ ଲକ୍ଷ ଟଙ୍କାର ଝଟକା। ରାଜସ୍ଥାନର ଜୟପୁରରେ ୨୦ ଟଙ୍କିଆ କଚୋଡ଼ି ଖାଉଥିବା ବେଳେ ଟଙ୍କା ବ୍ୟାଗ୍ ଲୁଟି ନେଲେ ଦୁଇ ଦୁର୍ବୃତ୍ତ।
ଜୟପୁର: ମାତ୍ର ୨୦ ଟଙ୍କାର କଚୋଡ଼ି ଖାଇବା ପାଇଁ ଅଟକିଥିଲେ ବ୍ୟବସାୟୀ। କିନ୍ତୁ ଏହି ଛୋଟିଆ ଜଳଖିଆ ବିରତି ତାଙ୍କ ପାଇଁ ପାଲଟିଗଲା ୨୦ ଲକ୍ଷ ଟଙ୍କାର କ୍ଷତିର କାରଣ। ରାଜସ୍ଥାନର ଜୟପୁରରେ ଚମ୍ପାଲାଲ ନାମକ ଜଣେ ବ୍ୟବସାୟୀ କଚୋଡ଼ି ଖାଉଥିବା ବେଳେ ତାଙ୍କ ଟଙ୍କା ବ୍ୟାଗ୍ ଲୁଟି ନେଇଛନ୍ତି ଦୁଇ ଦୁର୍ବୃତ୍ତ। ଘଟଣାର ଦୃଶ୍ୟ CCTV କ୍ୟାମେରାରେ କଏଦ ହୋଇଥିବା ବେଳେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ସୂଚନା ଅନୁଯାୟୀ, ସୋମବାର ଅପରାହ୍ଣ ପ୍ରାୟ ୪ଟା ସମୟରେ ଜୟପୁରର ନାହରଗଡ଼ ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଚମ୍ପାଲାଲ ନିଜ ସ୍କୁଟର ଅଟକାଇ କଚୋଡ଼ି ଖାଉଥିଲେ। ଏହି ସମୟରେ ୨୦ ଲକ୍ଷ ଟଙ୍କା ଥିବା ବ୍ୟାଗ୍ଟିକୁ ସେ ସ୍କୁଟର ସାମ୍ନାରେ ରଖିଥିଲେ। ଏହାର ସୁଯୋଗ ନେଇ ଅନ୍ୟ ଏକ ସ୍କୁଟରରେ ଆସିଥିବା ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ପାଖରେ ଅଟକିଥିଲେ। ପଛରେ ବସିଥିବା ଯୁବକ ଜଣକ ଆଖି ପିଛୁଳାକେ ଟଙ୍କା ବ୍ୟାଗ୍ଟିକୁ ଉଠାଇ ନେଇ ଫେରାର ହୋଇଯାଇଥିଲେ। ବ୍ୟାଗ୍ ଚୋରି ହୋଇଥିବା ଜାଣିବା ପରେ ଚମ୍ପାଲାଲ ହାତରେ କଚୋଡ଼ି ଧରି ଦୁର୍ବୃତ୍ତଙ୍କ ପଛରେ ଦୌଡ଼ିଥିଲେ। ସ୍ଥାନୀୟ ଲୋକେ ମଧ୍ୟ ଲୁଟେରାଙ୍କୁ ପିଛା କରିଥିଲେ। ହେଲେ ଉଭୟ ଖସିଯିବାରେ ସଫଳ ହୋଇଥିଲେ। ଅନ୍ୟପଟେ, ଦୁଇ ଦୁର୍ବୃତ୍ତ ହେଲମେଟ୍ ପିନ୍ଧିଥିବାରୁ ସେମାନଙ୍କୁ ଚିହ୍ନଟ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ଚମ୍ପାଲାଲଙ୍କ ଅଭିଯୋଗ ଆଧାରରେ ନାହରଗଡ଼ ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଆଖପାଖ ଅଞ୍ଚଳର CCTV ଫୁଟେଜ୍ ଯାଞ୍ଚ କରି ଲୁଟେରାଙ୍କୁ ଚିହ୍ନଟ କରିବା ସହ ଟଙ୍କା ଉଦ୍ଧାର ପାଇଁ ତଦନ୍ତ ଚଳାଇଛି
