SpiceJet Staff Remark:ସ୍ପାଇସ୍ଜେଟ୍ କର୍ମଚାରୀଙ୍କ ମନ୍ତବ୍ୟକୁ ନେଇ ବିବାଦ
“ସ୍ପାଇସ୍ଜେଟ୍ ଶସ୍ତା, ସେଥିପାଇଁ ଆସିଛନ୍ତି!” ଯାତ୍ରୀଙ୍କ ସହ ଏୟାରଲାଇନ୍ସ କର୍ମଚାରୀଙ୍କ ଯୁକ୍ତିତର୍କ ବେଳେ ଏହିଭଳି ମନ୍ତବ୍ୟ ଦେଇଛନ୍ତି ସ୍ପାଇସ୍ଜେଟ୍ କର୍ମଚାରୀ | ବିମାନ ବିଳମ୍ବକୁ ନେଇ ଆରମ୍ଭ ହୋଇଥିବା ଯୁକ୍ତିତର୍କ ଏବେ ଯାତ୍ରୀଙ୍କ ସମ୍ମାନ ଓ ଗ୍ରାହକ ସେବାକୁ ନେଇ ବଡ଼ ପ୍ରଶ୍ନ ଉଠାଇଛି। ମନ୍ତବ୍ୟର ଭିଡିଓ ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆରେ ତୀବ୍ର ପ୍ରତିକ୍ରିୟା।
ନୂଆଦିଲ୍ଲୀ: “ସ୍ପାଇସ୍ଜେଟ୍ ଶସ୍ତା, ସେଥିପାଇଁ ଆସିଛନ୍ତି!” ଯାତ୍ରୀଙ୍କୁ ଏୟାରଲାଇନ୍ସ କର୍ମଚାରୀଙ୍କ ଏଭଳି ମନ୍ତବ୍ୟକୁ ନେଇ ଦିଲ୍ଲୀ ବିମାନବନ୍ଦରରେ ହଙ୍ଗାମା। ଘଟଣାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଯାତ୍ରୀଙ୍କ ପ୍ରତି ବିମାନ କମ୍ପାନୀର ବ୍ୟବହାର ଓ ଗ୍ରାହକ ସେବାକୁ ନେଇ ବିତର୍କ ଆରମ୍ଭ ହୋଇଛି। ଅକ୍ଟୋବର ୨୫ରେ ସାମ୍ନାକୁ ଆସିଥିବା ଏହି ଭିଡିଓରେ ସ୍ପାଇସ୍ଜେଟ୍ କାଉଣ୍ଟର ନିକଟରେ କିଛି ଯାତ୍ରୀ ଓ ଏୟାରଲାଇନ୍ସ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହେଉଥିବା ଦେଖାଯାଉଛି। ଭିଡିଓରେ ଜଣେ ମହିଳା ଯାତ୍ରୀ କର୍ମଚାରୀଙ୍କୁ ପ୍ରଶ୍ନ କରୁଥିବା ବେଳେ ଅନ୍ୟ କିଛି ଯାତ୍ରୀ “Shame on SpiceJet” ବୋଲି ନାରା ଦେଉଥିବା ଶୁଣିବାକୁ ମିଳୁଛି। ସୋସିଆଲ୍ ମିଡିଆରେ ପ୍ରସାରିତ ଭିଡିଓ ଅନୁଯାୟୀ, ବିମାନ ବିଳମ୍ବକୁ ନେଇ ବିବାଦ ଆରମ୍ଭ ହୋଇଥିବା କୁହାଯାଉଛି। ଏହି ସମୟରେ ଜଣେ କର୍ମଚାରୀ ଯାତ୍ରୀଙ୍କୁ“ସ୍ପାଇସ୍ଜେଟ୍ ସସ୍ତା ହୈ, ଇସଲିଏ ଆଏ ହୋ ଆପ୍।” ବୋଲି କହିଥିବା ଅଭିଯୋଗ ହୋଇଛି। ଅର୍ଥାତ୍, ସ୍ପାଇସ୍ଜେଟ୍ ଶସ୍ତା ଥିବାରୁ ଯାତ୍ରୀ ଏହି ବିମାନ କମ୍ପାନୀକୁ ବାଛିଛନ୍ତି ବୋଲି ମନ୍ତବ୍ୟ ଦିଆଯାଇଥିବା ଦାବି କରାଯାଉଛି।ଏହାର ଜବାବରେ ଜଣେ ମହିଳା ଯାତ୍ରୀ କର୍ମଚାରୀଙ୍କ ଦରମାକୁ ନେଇ ମଧ୍ୟ ମନ୍ତବ୍ୟ ଦେଉଥିବା ଭିଡିଓରେ ଶୁଣିବାକୁ ମିଳୁଛି। ସେ କହୁଛନ୍ତି, “ଇନ୍ ଲୋଗୋଁ କି ସାଲାରୀ ୨୦-୨୫ ହଜାର ହୋଗି।” ଅର୍ଥାତ୍, ଏମାନଙ୍କ ଦରମା ୨୦ରୁ ୨୫ ହଜାର ଟଙ୍କା ହୋଇଥିବ ବୋଲି ସେ କହୁଛନ୍ତି। ଏହି ସମୟରେ ବିମାନବନ୍ଦରରେ CISF ଯବାନମାନେ ମଧ୍ୟ ନିକଟରେ ଉପସ୍ଥିତ ଥିବା ଦେଖାଯାଉଛି। ଭିଡିଓଟି ଏକ X ଆକାଉଣ୍ଟରେ ସେୟାର୍ ହେବା ପରେ ଅଧିକ ଚର୍ଚ୍ଚାକୁ ଆସିଥିଲା। କିଛି ସୋସିଆଲ୍ ମିଡିଆ ବ୍ୟବହାରକାରୀ କର୍ମଚାରୀଙ୍କ ଏଭଳି ମନ୍ତବ୍ୟକୁ ଅପମାନଜନକ ଓ ଅବୃତ୍ତିଗତ ବୋଲି ସମାଲୋଚନା କରିଛନ୍ତି। ଯାତ୍ରୀଙ୍କ ସମ୍ମାନ କେବଳ ଦାମୀ ଟିକେଟ୍ କିଣୁଥିବା ଲୋକଙ୍କ ପାଇଁ ନୁହେଁ ବୋଲି ଜଣେ ବ୍ୟବହାରକାରୀ ମତ ଦେବା ସହ ସ୍ପାଇସ୍ଜେଟ୍ ଓ DGCAକୁ ଘଟଣାର ତଦନ୍ତ କରିବାକୁ ଆହ୍ୱାନ ଦେଇଛନ୍ତି। ତେବେ ଭାଇରାଲ୍ ଭିଡିଓରୁ ଘଟଣାର ସମ୍ପୂର୍ଣ୍ଣ କ୍ରମ କିମ୍ବା ଯୁକ୍ତିତର୍କର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ସ୍ପାଇସ୍ଜେଟ୍ ପକ୍ଷରୁ ଏହି ଘଟଣାରେ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଆସିଥିବା ସୂଚନା ଦିଆଯାଇନାହିଁ।
