Lays Court Fine:ଲେଜ୍ ଚିପ୍ସ ପ୍ୟାକେଟ୍ରେ ଓଜନ ଠକେଇ ଅଭିଯୋଗ
ଚିପ୍ସ ପ୍ୟାକେଟ୍ର ଓଜନକୁ ନେଇ ଏକ ଅଭିଯୋଗ ଏବେ ଚର୍ଚ୍ଚାରେ। ପ୍ୟାକେଟ୍ରେ ୧୫ ଗ୍ରାମ୍ ଲେଖାଥିବା ବେଳେ ଓଜନ କରି ମାତ୍ର ୪ ଗ୍ରାମ୍ ଚିପ୍ସ ମିଳିଥିବା ଦାବି କରିଥିଲେ ଜଣେ ଗ୍ରାହକ। ମାମଲାରେ ପେପ୍ସିକୋକୁ କ୍ଷତିପୂରଣ ଦେବାକୁ ଆଦେଶ ଦେଇଛନ୍ତି ଗ୍ରାହକ ଆୟୋଗ।
ରାଜସ୍ଥାନ:ପାଞ୍ଚ ଟଙ୍କାର ଚିପ୍ସ ପ୍ୟାକେଟ୍କୁ ନେଇ କମ୍ପାନୀକୁ ଦେବାକୁ ପଡ଼ିବ ୮ ହଜାର ଟଙ୍କା କ୍ଷତିପୂରଣ ଓ ମାମଲା ଖର୍ଚ୍ଚ। ରାଜସ୍ଥାନର ଜୟପୁର ଜିଲ୍ଲା ଗ୍ରାହକ ବିବାଦ ସମାଧାନ ଆୟୋଗ-୨ ଏକ ମାମଲାର ଶୁଣାଣି କରି ପେପ୍ସିକୋ ଇଣ୍ଡିଆ ହୋଲ୍ଡିଂସ୍ ପ୍ରାଇଭେଟ୍ ଲିମିଟେଡ୍କୁ ଏହି ଅର୍ଥ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲେଜ୍ ଚିପ୍ସର ଏକ ପ୍ୟାକେଟ୍ରେ ନିର୍ଦ୍ଧାରିତ ଓଜନଠାରୁ ବହୁତ କମ୍ ଚିପ୍ସ ଥିବା ଅଭିଯୋଗକୁ ଆୟୋଗ ଗ୍ରହଣ କରିଛନ୍ତି। ତେବେ ଏହି ନିର୍ଦ୍ଦେଶ ଅନୁସାରେ କମ୍ପାନୀକୁ ପ୍ୟାକେଟ୍ର ମୂଲ୍ୟ ୫ ଟଙ୍କା ସୁଧ ସହ ଫେରାଇବାକୁ ମଧ୍ୟ ପଡ଼ିବ।ଅଭିଯୋଗକାରୀ ଚନ୍ଦ୍ରମନ ଜଲାନ୍ ଜୟପୁରରେ ଜଲାନ୍ ବିଲ୍ଡିଂ ଆଣ୍ଡ୍ ହାର୍ଡୱେର୍ ଷ୍ଟୋର୍ର ମାଲିକ। ୨୦୨୦ ନଭେମ୍ବର ୧୦ରେ ସେ ଅତିଥିଙ୍କୁ ଖାଦ୍ୟ ପରିବେଷଣ କରିବା ପାଇଁ ମେଟ୍ରୋ କ୍ୟାଶ୍ ଆଣ୍ଡ୍ କ୍ୟାରିରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ କିଣିଥିଲେ। ସେଥିରେ ଲେଜ୍ ଚିପ୍ସର ଏକ ପ୍ୟାକେଟ୍ ମଧ୍ୟ ଥିଲା। ଅତିଥିଙ୍କୁ ଚିପ୍ସ ଦେବା ସମୟରେ ପ୍ୟାକେଟ୍ଟି ଅସ୍ୱାଭାବିକ ଭାବେ ହାଲୁକା ଲାଗିବାରୁ ସେ ଏହାର ଓଜନ କରିଥିଲେ। ତାଙ୍କ ଦାବି ଅନୁସାରେ, ୧୫ ଗ୍ରାମ୍ ଲେଖାଥିବା ପ୍ୟାକେଟ୍ରେ ମାତ୍ର ୪ ଗ୍ରାମ୍ ଚିପ୍ସ ଥିଲା। ଦୋକାନରେ ଅଭିଯୋଗ କରିବା ପରେ ମଧ୍ୟ ସନ୍ତୋଷଜନକ ସମାଧାନ ନମିଳିବାରୁ ସେ ୨୦୨୨ ଏପ୍ରିଲ୍ ୬ରେ ଗ୍ରାହକ ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାରେ ମେଟ୍ରୋ କ୍ୟାଶ୍ ଆଣ୍ଡ୍ କ୍ୟାରି ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ ଉତ୍ପାଦନ କିମ୍ବା ପ୍ୟାକିଂ ସମୟରେ ଓଜନରେ ତ୍ରୁଟି ହୋଇଥାଇପାରେ, ତେଣୁ ଏଥିପାଇଁ ଉତ୍ପାଦକ କମ୍ପାନୀ ଦାୟୀ। ଅନ୍ୟପକ୍ଷରେ, ନୋଟିସ୍ ପାଇବା ସତ୍ତ୍ୱେ ପେପ୍ସିକୋ ଆୟୋଗଙ୍କ ନିକଟରେ ହାଜର ହୋଇନଥିଲା। ତେଣୁ କମ୍ପାନୀର ଅନୁପସ୍ଥିତିରେ ମାମଲାର ଶୁଣାଣି ହୋଇଥିଲା।ଆୟୋଗ ପେପ୍ସିକୋକୁ ମାନସିକ ଯନ୍ତ୍ରଣା ପାଇଁ ୫,୦୦୦ ଟଙ୍କା ଓ ମାମଲା ଖର୍ଚ୍ଚ ବାବଦରେ ୩,୦୦୦ ଟଙ୍କା ଦେବାକୁ କହିଛନ୍ତି। ଏହି ଅର୍ଥ ଆଦେଶର ଏକ ମାସ ମଧ୍ୟରେ ଦେବାକୁ ପଡ଼ିବ। ନିର୍ଦ୍ଧାରିତ ସମୟରେ ୮,୦୦୦ ଟଙ୍କା ଦିଆ ନଗଲେ, ଆଦେଶ ତାରିଖଠାରୁ ବାର୍ଷିକ ୬ ପ୍ରତିଶତ ସୁଧ ଲାଗୁ ହେବ। ଏହା ସହ ଆୟୋଗ ଖୁଚୁରା ବିକ୍ରେତା ମେଟ୍ରୋ କ୍ୟାଶ୍ ଆଣ୍ଡ୍ କ୍ୟାରି ବିରୋଧରେ ଥିବା ଅଭିଯୋଗକୁ ଖାରଜ କରିଛନ୍ତି।
