SLEEPING COMPETITION WINNER:ଶୋଇବା ପାଇଁ ମିଳିଲା ୯.୬ ଲକ୍ଷ ଟଙ୍କା
ଶୋଇବା ପାଇଁ ମିଳିଲା ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର। ଦୁଇ ମାସର ନିଆରା ସ୍ଲିପ୍ ଇଣ୍ଟର୍ନସିପ୍ ପ୍ରତିଯୋଗିତାରେ ବାଜି ମାରିଛନ୍ତି ମୁମ୍ବାଇର ଜିନିଆ ଚାଟାର୍ଜୀ। ଜିତିଛନ୍ତି ୯.୬ ଲକ୍ଷ ଟଙ୍କା।
ସାଧାରଣତଃ ଲୋକେ ଭଲ ନିଦରେ ଶୋଇବାକୁ ପସନ୍ଦ କରନ୍ତି। କିନ୍ତୁ ଶୋଇବା ପାଇଁ ଯେ ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ମିଳିପାରେ, ତାହା ହୁଏତ ଅନେକଙ୍କୁ ଆଶ୍ଚର୍ଯ୍ୟ କରିବ। ଏଭଳି ଏକ ନିଆରା ପ୍ରତିଯୋଗିତାରେ ବିଜୟୀ ହୋଇ ୯ ଲକ୍ଷ ୬୦ ହଜାର ଟଙ୍କା ଜିତିଛନ୍ତି ମୁମ୍ବାଇର ଜିନିଆ ଚାଟାର୍ଜୀ। ମ୍ୟାଟ୍ରେସ୍ ନିର୍ମାତା କମ୍ପାନୀ ୱେକଫିଟ୍ ପକ୍ଷରୁ ପ୍ରତିବର୍ଷ ଆୟୋଜନ କରାଯାଉଛି ଏହି ସ୍ଲିପ୍ ଇଣ୍ଟର୍ନସିପ୍। ଚଳିତ ବର୍ଷ ଏହାର ପଞ୍ଚମ ସଂସ୍କରଣରେ ଦେଶର ବିଭିନ୍ନ ସ୍ଥାନରୁ ୨ ଲକ୍ଷରୁ ଅଧିକ ଆବେଦନ ଆସିଥିଲା। ସେଥିମଧ୍ୟରୁ ମାତ୍ର ୧୦ ଜଣଙ୍କୁ ଚୟନ କରାଯାଇଥିଲା।ଏହି ପ୍ରତିଯୋଗିତା ପ୍ରାୟ ୬୦ ଦିନ ଧରି ଚାଲିଥାଏ। ଏଥିରେ ପ୍ରତିଯୋଗୀମାନେ ନିଜର ଶୋଇବା ସମୟ ଓ ନିଦର ଗୁଣବତ୍ତା ଉପରେ ନଜର ରଖିବା ସହ ନିୟମିତ ଦିନଚର୍ଯ୍ୟା ପାଳନ କରନ୍ତି। ଏଥିସହ ପ୍ରତି ସପ୍ତାହରେ ବିଭିନ୍ନ ମଜାଦାର ଚ୍ୟାଲେଞ୍ଜରେ ଭାଗ ନିଅନ୍ତି।‘ସ୍ଲିପ୍ ସିନେମା’ ଓ ‘ଅଣ୍ଡରକଭର ସ୍ଲିପ୍ ମିଶନ’ ଭଳି ଚ୍ୟାଲେଞ୍ଜ ଏହି ପ୍ରତିଯୋଗିତାକୁ ଆହୁରି ରୋଚକ କରିଥାଏ। ପ୍ରତି ସପ୍ତାହରେ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ‘ପ୍ରୋ ସ୍ଲିପର ଅଫ୍ ଦି ୱିକ୍’ ଭାବେ ଚୟନ କରାଯାଏ। ଏହି ସମସ୍ତ ପର୍ଯ୍ୟାୟ ଅତିକ୍ରମ କରି ଜିନିଆ ଚାଟାର୍ଜୀ ବିଜୟୀ ହୋଇଛନ୍ତି।
