ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଆଦିବାସୀଙ୍କ ବିକ୍ଷୋଭ
ଟିଟିଲାଗଡ଼ରେ ନିଜ ଦାବି ନେଇ ଆଦୀବାସୀଙ୍କ ରଣହୁଙ୍କାର। ଅନ୍ୱେଷା ଯୋଜନା ଚାଲୁ ଓ ଜଙ୍ଗଲ ଜମି ଅଧିକାର ଦାବିରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ। ପୋଲିସ ସହ ଠେଲାପେଲା।
ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଆଦିବାସୀଙ୍କ ତୀବ୍ର ବିକ୍ଷୋଭ। ପାରମ୍ପରିକ ଅସ୍ତ୍ରଶସ୍ତ୍ର ଓ ବାଦ୍ୟଯନ୍ତ୍ର ଧରି ସହରରେ ବିଶାଳ ଶୋଭାଯାତ୍ରା କରିବା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କଲେ ହଜାର ହଜାର ଆଦିବାସୀ। ଅନ୍ୱେଷା ଯୋଜନା ପୁନଃ ଚାଲୁ କରିବା, ଜଙ୍ଗଲ ଜମି ଅଧିକାର ସୁନିଶ୍ଚିତ କରିବା, ଆଦିବାସୀ ଜମି କିଣାବିକା ବନ୍ଦ କରିବା ସହ ବିଭିନ୍ନ ଦାବି ଉଠାଇଛି ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ। ଦାବି ପୂରଣ ନହେଲେ ଆଗକୁ ଆହୁରି ବ୍ୟାପକ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ। ବାଜୁଛି ପାରମ୍ପରିକ ବାଦ୍ୟ, ହାତରେ ଖଣ୍ଡା, ଧନୁତୀର, ବର୍ଛା ଭଳି ପାରମ୍ପରିକ ଅସ୍ତ୍ରଶସ୍ତ୍ର। ଆଉ ତା ସହ ଆଦିବାସୀ ସଂଘର ନାରା ବି ଚାଲିଛି । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଆଦିବାସୀ କଲ୍ୟାଣ ସଂଘର ଆହ୍ୱାନରେ ହଜାର ହଜାର ଆଦିବାସୀ ବିଶାଳ ଶୋଭାଯାତ୍ରା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଅନ୍ୱେଷା ଯୋଜନା ଶୀଘ୍ର ଆରମ୍ଭ, ଜଙ୍ଗଲ ଜମି ଅଧିକାର ପ୍ରଦାନ, ଆଦିବାସୀ ଜମି କିଣାବିକା ବନ୍ଦ ଓ ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାର ବନ୍ଦ କରିବା ଦାବିରେ ବିକ୍ଷୋଭ କରିଥିଲେ। ଟିଟିଲାଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଗେଟ୍ ସମ୍ମୁଖରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ପୋଲିସ ଗେଟ୍ ବନ୍ଦ କରିଥିବା ବେଳେ ଆଦିବାସୀ ମହିଳା ମାନେ ପରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି କାର୍ଯ୍ୟାଳୟ ଭିତରେ ପଶି ନାରାବାଜି କରିଥିଲେ l ଯାହାକୁ ନେଇ ପୋଲିସ ପ୍ରଶାସନ କିଛି ସମୟ ଧରି ନାକେଦମ ହୋଇଥିଲା।
ଟିଟିଲାଗଡ଼ର ଆରାଧ୍ୟ ଦେବୀ ମା’ ଘଣ୍ଟାଶୁଣି ମନ୍ଦିରରୁ ଆରମ୍ଭ ହୋଇଥିବା ଏହି ବିଶାଳ ଶୋଭାଯାତ୍ରା ବ୍ଲକ ସଭାପତି ପଦ୍ମନ ପ୍ରଧାନୀଙ୍କ ନେତୃତ୍ୱରେ ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଆଦିବାସୀ ସଂଘର ସଦସ୍ୟମାନେ। ଆନ୍ଦୋଳନ ସମୟରେ ଉପଜିଲ୍ଲାପାଳ ଉପସ୍ଥିତ ନଥିବାରୁ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଥିଲା। ଆଦିବାସୀଙ୍କ ଜମି ସୁରକ୍ଷା ଓ ଅଧିକାର ପ୍ରସଙ୍ଗରେ ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ କରି ଏକ ମାସ ମଧ୍ୟରେ ଉପଜିଲ୍ଲାପାଳଙ୍କ ବଦଳି ଦାବି କରିଛି ସଂଘ। ଦାବି ପୂରଣ ନହେଲେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ତାଲା ପକାଇବା ସହ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି।
ଅନ୍ୟପଟେ, ଆନ୍ଦୋଳନକାରୀଙ୍କ କହିବା ଅନୁସାରେ, ରାଜ୍ୟରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଓ ଦେଶର ରାଷ୍ଟ୍ରପତି ମଧ୍ୟ ଜଣେ ଆଦିବାସୀ ହୋଇଥିଲେ ସୁଦ୍ଧା ଆଦିବାସୀ ସମ୍ପ୍ରଦାୟର ବିଭିନ୍ନ ସମସ୍ୟାର ସମାଧାନ ହେଉନାହିଁ। ଏହାକୁ ନେଇ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯିବା ସହ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି।
