ପାର୍ବଣ ଋତୁ ପୂର୍ବରୁ ଚିନ୍ତାରେ ମୂର୍ତ୍ତି କାରିଗର
ଆସୁଛି ପାର୍ବଣ ଋତୁ, ଚିନ୍ତାରେ ମୂର୍ତ୍ତି କାରିଗର। ସୋର ଅଂଚଳରେ ସବୁଠି ବନ୍ୟା ପାଣି ଯୋଗୁଁ ମିଳୁନି ଭଲ ମାଟି, ଲଗାଣ ବର୍ଷାରେ ଶୁଖୁନି ମାଟିର ମୂର୍ତ୍ତି। ଚିନ୍ତାରେ ବାଲେଶ୍ୱର ସୋରର ମୂର୍ତ୍ତି କାରିଗର।
ସୋର: ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ଚିନ୍ତାରେ ପଡ଼ିଛନ୍ତି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ମୂର୍ତ୍ତି କାରିଗର। ଚଳିତ ବର୍ଷ ଲଗାଣ ବର୍ଷା ଓ ବନ୍ୟା ପାଣି ଯୋଗୁଁ ମୂର୍ତ୍ତି ନିର୍ମାଣ ପାଇଁ ଆବଶ୍ୟକ ଭଲ ମାଟି ମିଳୁନଥିବାରୁ କାମରେ ବାଧା ସୃଷ୍ଟି ହୋଇଛି। ଅନ୍ୟପଟେ ବାଉଁଶ ସମେତ ମୂର୍ତ୍ତି ନିର୍ମାଣରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀର ଦର ମଧ୍ୟ ବଢ଼ିଥିବାରୁ କାରିଗରଙ୍କ ଚିନ୍ତା ଆହୁରି ବଢ଼ିଛି। ମିଳୁଥିବା ମାଟିରେ ମୂର୍ତ୍ତି ତିଆରି କରାଯାଉଥିଲେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ତାହା ଠିକ୍ ଭାବରେ ଶୁଖୁନାହିଁ। ଫଳରେ ତିଆରି ହୋଇଥିବା ମୂର୍ତ୍ତି ନଷ୍ଟ ହେବାର ଆଶଙ୍କା ରହିଛି।
ପାର୍ବଣ ଋତୁ ନିକଟତର ହେଉଥିବାରୁ ଧାର୍ଯ୍ୟ ସମୟ ମଧ୍ୟରେ ମୂର୍ତ୍ତି ନିର୍ମାଣ ଶେଷ ହେବ କି ନାହିଁ, ସେନେଇ ଦ୍ୱନ୍ଦ୍ୱରେ ଅଛନ୍ତି କାରିଗର। ମାଟିର ଅଭାବ, ବଢ଼ୁଥିବା ନିର୍ମାଣ ଖର୍ଚ୍ଚ ଓ ବର୍ଷା ଯୋଗୁଁ ମୂର୍ତ୍ତି ଶୁଖୁନଥିବାରୁ ଆର୍ଥିକ କ୍ଷତିର ଆଶଙ୍କା ମଧ୍ୟ ଦେଖାଦେଇଛି। ଏଭଳି ସ୍ଥିତିରେ ବର୍ଷା ଥମିବା ସହ ପାଗ ଅନୁକୂଳ ହେବାକୁ ଅପେକ୍ଷା କରିଛନ୍ତି ସୋର ଅଞ୍ଚଳର ମୂର୍ତ୍ତି କାରିଗର। ସମସ୍ୟାର ସମାଧାନ ସହ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଆଶା ରଖିଛନ୍ତି ସେମାନେ।
