NTPC ପ୍ଲାଣ୍ଟରେ ମଧ୍ୟରାତ୍ରିରେ ଭୟଙ୍କର ବିସ୍ଫୋରଣ: ନିଆଁର ଶିଖା ଭିତରେ ଝୁଲସିଗଲେ ୫ ଶ୍ରମିକ, ୨ ଜଣଙ୍କ ଅବସ୍ଥା ଅତି ସଙ୍କଟାପନ୍ନ!
କଣିହାସ୍ଥିତ NTPC (ତାଳଚେର ସୁପର ଥର୍ମାଲ ପାୱାର ଷ୍ଟେସନ) ପ୍ଲାଣ୍ଟରେ ଏକ ଅଭାବନୀୟ ଓ ଭୟଙ୍କର ଦୁର୍ଘଟଣା ଘଟିଛି। ୟୁନିଟ୍-୧ ର ବଙ୍କର-ବି (Bunker-B) ରେ ହଠାତ୍ ବିସ୍ଫୋରଣ ଘଟି ୫ ଜଣ କାର୍ଯ୍ୟରତ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି।

ଅନୁଗୋଳ : ଅନୁଗୋଳ ଜିଲ୍ଲା କଣିହାସ୍ଥିତ NTPC (ତାଳଚେର ସୁପର ଥର୍ମାଲ ପାୱାର ଷ୍ଟେସନ) ପ୍ଲାଣ୍ଟରେ ଏକ ଅଭାବନୀୟ ଓ ଭୟଙ୍କର ଦୁର୍ଘଟଣା ଘଟିଛି। ୟୁନିଟ୍-୧ ର ବଙ୍କର-ବି (Bunker-B) ରେ ହଠାତ୍ ବିସ୍ଫୋରଣ ଘଟି ୫ ଜଣ କାର୍ଯ୍ୟରତ ଶ୍ରମିକ ଗୁରୁତର ଭାବେ ଆହାତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ (ଶନିବାର ଭୋର ସମୟରେ) ବଙ୍କର-ବି ନିକଟରେ ଶ୍ରମିକମାନେ କାର୍ଯ୍ୟ କରୁଥିବା ସମୟରେ ହଠାତ୍ ଏହି ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଘଟଣାସ୍ଥଳରେ କାର୍ଯ୍ୟରତ ୫ ଜଣ ଶ୍ରମିକ ଗୁରୁତର ଭାବେ ଝୁଲସି ଯାଇଥିଲେ। ଦୁର୍ଘଟଣା ପରେ NTPCର ସୁରକ୍ଷା କର୍ମୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହାତ ଶ୍ରମିକମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପ୍ରଥମେ NTPC ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ତାଳଚେର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ୨ ଜଣ ଶ୍ରମିକଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଉନ୍ନତମାନର ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଗ୍ୟାସ୍ ଲିକ୍ କିମ୍ବା ବୈଷୟିକ ତ୍ରୁଟି ଯୋଗୁଁ ଏହି ବିସ୍ଫୋରଣ ଘଟିଥାଇପାରେ ବୋଲି ପ୍ରାଥମିକ ଆକଳନ କରାଯାଉଛି। ଘଟଣାପରେ NTPC ର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିବା ସହ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
