ସପ୍ତାହସାରା ଧୋଇବ ବର୍ଷା, ୨୪ ଘଣ୍ଟାରେ ଆସୁଛି ଲଘୁଚାପ: ଓଡ଼ିଶାର ୧୫ ଜିଲ୍ଲାକୁ 'ଅରେଞ୍ଜ ଆଲର୍ଟ' ଜାରି କଲା IMD
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ସକ୍ରିୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ଆସନ୍ତା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଭୁବନେଶ୍ୱର : ଓଡ଼ିଶାରେ ଥମିବାର ନାଁ ନେଉନି ବର୍ଷା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ସକ୍ରିୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ଆସନ୍ତା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା କିଛି ଦିନ ମଧ୍ୟରେ ବର୍ଷାର ପରିମାଣ ଓ ବିସ୍ତୃତି ବୃଦ୍ଧି ପାଇବ। ବିଶେଷ କରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ କ୍ରମାଗତ ଭାବେ ବାଦଲଫଟା ବର୍ଷା ସମ୍ଭାବନା ରହିଛି। ସ୍ଥିତିକୁ ଦୃଷ୍ଟିରେ ରଖି IMD ପକ୍ଷରୁ ପ୍ରବଳ ବର୍ଷା ସମ୍ଭାବନା ଥିବା ୧୫ରୁ ଉଦ୍ଧ୍ୱର୍ ଜିଲ୍ଲା ପାଇଁ 'ଅରେଞ୍ଜ ଆଲର୍ଟ' ଜାରି କରାଯାଇଛି।
ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବା ସହ ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ଶଙ୍କା ରହିଛି। ତେଣୁ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବାକୁ କଡ଼ା ଚେତାବନୀ ଦିଆଯାଇଛି।
ବନ୍ୟା ସ୍ଥିତି ଆହୁରି ସଙ୍ଗୀନ ହେବା ଆଶଙ୍କା:
ରାଜ୍ୟର ଅନେକ ନଦୀଅବବାହିକାରେ ଆଗରୁ ଜଳସ୍ତର ଉପରମୁହାଁ ଥିବା ବେଳେ ଏହି ନୂଆ ଲଘୁଚାପ ଯଦି ଅଧିକ ଘନୀଭୂତ ହୁଏ, ତେବେ ବର୍ତ୍ତମାନର ବନ୍ୟା ସ୍ଥିତି ଆହୁରି ଭୟାବହ ରୂପ ନେଇପାରେ। ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ନାଗାବଳୀ ଓ ବଂଶଧାରା ଭଳି ପ୍ରମୁଖ ନଦୀଗୁଡ଼ିକରେ ଜଳସ୍ତର ବିପଦ ସଙ୍କେତ ଟପିବା ସହ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିବ। ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଗୁରୁତର ହେବା ସହ ନଦୀବନ୍ଧ ଭାଙ୍ଗି ନୂଆ ନୂଆ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ଦେଖାଦେଇଛି। ପରିସ୍ଥିତିକୁ ନଜରରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ଓ ଜରୁରୀକାଳୀନ ଉଦ୍ଧାର ପଦକ୍ଷେପ ନେବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ନିର୍ଦ୍ଦେଶ ଦେଇଛନ୍ତି।
