ମା ବିରଜାଙ୍କ ରଥଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି
ଯାଜପୁରର ମା’ ବିରଜାଙ୍କ ନଅଦିନିଆ ବିଜୟା ରଥଯାତ୍ରାକୁ ନେଇ ଚଳଚଞ୍ଚଳ ବିରଜା କ୍ଷେତ୍ର। ୮୯୮ ଖଣ୍ଡ କାଠରେ ନିର୍ମିତ ୫୬ ଫୁଟ ଉଚ୍ଚ ରଥ ପ୍ରସ୍ତୁତିରେ ବ୍ୟସ୍ତ ମହାରଣା କାରିଗର। ଶ୍ରଦ୍ଧାଳୁଙ୍କ ଆଗମନକୁ ନେଇ ମନ୍ଦିର ଓ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି।
ଯାଜପୁର: ଆଉ କେଇଟା ଦିନର ଅପେକ୍ଷା। ମା’ଙ୍କ ଦର୍ଶନ ଓ ବିଜୟା ରଥଯାତ୍ରାରେ ସାମିଲ ହେବାକୁ ଚାହିଁ ବସିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ନଅଦିନିଆ ବିଜୟା ରଥଯାତ୍ରାକୁ ନେଇ ଏବେ ଚଳଚଞ୍ଚଳ ହୋଇଉଠିଛି ବିରଜା କ୍ଷେତ୍ର। ଦଶହରା ଅବସରରେ ଆୟୋଜିତ ହେଉଥିବା ଏହି ସ୍ୱତନ୍ତ୍ର ରଥଯାତ୍ରା ଶକ୍ତିପୀଠର ଅନନ୍ୟ ପରମ୍ପରାକୁ ଉଜ୍ଜୀବିତ କରିଥାଏ। ମା’ଙ୍କ ବିଜୟା ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ଶୁଭ ସୁନିଆଁରୁ ବିଲ୍ୱବରଣୀ ପରମ୍ପରା ପରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟରେ ଦିନରାତି ଏକ କରି ଲାଗିପଡ଼ିଛନ୍ତି ୮ରୁ ୧୦ ଜଣ ମହାରଣା କାରିଗର। ୮୯୮ ଖଣ୍ଡ କାଠରେ ନିର୍ମିତ ଏହି ବିଜୟା ରଥରେ ରହିଛି ୧୨ଟି ଚକ।
ରଥର ଉଚ୍ଚତା ୫୬ ଫୁଟ ହୋଇଥିବା ବେଳେ ଏଥିରେ ନବଗ୍ରହ ଓ ଦଶଦିଗପାଳଙ୍କ ସ୍ଥାନ ରହିଛି। ସ୍ୱୟଂ ବ୍ରହ୍ମା ଏହି ରଥର ସାରଥୀ ହୋଇଥାନ୍ତି ବୋଲି ରହିଛି ଧାର୍ମିକ ବିଶ୍ୱାସ। ଦେଶର ପ୍ରମୁଖ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ମା’ ବିରଜାଙ୍କ ପୀଠରେ ଅନୁଷ୍ଠିତ ଏହି ନବଦିନାତ୍ମକ ରଥଯାତ୍ରାର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ। ମନ୍ଦିର ବେଢ଼ା ପରିକ୍ରମା କରେ ମା’ଙ୍କ ବିଜୟା ରଥ। ରଥ ଦଉଡ଼ି ଟାଣିବା ସହ ରଥ ଉପରେ ମା’ଙ୍କ ଦର୍ଶନ କରି ଆଶିଷ ଲାଭ କରିବାକୁ ଭକ୍ତଙ୍କ ମଧ୍ୟରେ ରହିଛି ପ୍ରବଳ ଉତ୍ସାହ। ଅନ୍ୟପଟେ, ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଏବଂ ଶ୍ରଦ୍ଧାଳୁଙ୍କ ସୁବିଧାଜନକ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ରଥଯାତ୍ରା ଯେତିକି ପାଖେଇ ଆସୁଛି, ସେତିକି ବଢ଼ୁଛି ଭକ୍ତଙ୍କ ଉତ୍କଣ୍ଠା। ଏବେ ଅପେକ୍ଷା ସେହି ପବିତ୍ର ମୁହୂର୍ତ୍ତକୁ, ଯେତେବେଳେ ଭକ୍ତି ଓ ଆସ୍ଥାର ପରିବେଶରେ ଆରମ୍ଭ ହେବ ମା’ ବିରଜାଙ୍କ ନବଦିନାତ୍ମକ ବିଜୟା ରଥଯାତ୍ରା।
