Odisha Bandh Success : ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲା ଇଣ୍ଡିଆ ବ୍ଲକ୍
ଇଣ୍ଡିଆ ବ୍ଲକ୍ର ଆହ୍ୱାନରେ ଗତକାଲି ପାଳିତ ଓଡ଼ିଶା ବନ୍ଦକୁ ସଫଳ କରିଥିବା ରାଜ୍ୟବାସୀଙ୍କୁ ମେଣ୍ଟ ପକ୍ଷରୁ ଧନ୍ୟବାଦ ଜଣାଯାଇଛନ୍ତି। ଖଣିଜ ରାଜସ୍ୱ ଅଧିକାର, ଭୋଟର ତାଲିକା ସଂଶୋଧନ, ଶିକ୍ଷା ବ୍ୟବସ୍ଥାର ସୁଧାର ଓ ବନ୍ୟା ପ୍ରଭାବିତଙ୍କୁ ସହାୟତା ଦାବିରେ ଆନ୍ଦୋଳନକୁ ଆଗକୁ ବଢ଼ାଇବାକୁ ମେଣ୍ଟ ଚେତାବନୀ ଦେଇଛି।

ଇଣ୍ଡିଆ ବ୍ଲକ୍ର ଆହ୍ୱାନରେ ଗତକାଲି ପାଳିତ ଓଡ଼ିଶା ବନ୍ଦକୁ ସଫଳ କରିଥିବା ରାଜ୍ୟବାସୀଙ୍କୁ ମେଣ୍ଟ ପକ୍ଷରୁ ଧନ୍ୟବାଦ ଜଣାଯାଇଛନ୍ତି। ଖଣିଜ ରାଜସ୍ୱ ଅଧିକାର, ଭୋଟର ତାଲିକା ସଂଶୋଧନ, ଶିକ୍ଷା ବ୍ୟବସ୍ଥାର ସୁଧାର ଓ ବନ୍ୟା ପ୍ରଭାବିତଙ୍କୁ ସହାୟତା ଦାବିରେ ଆନ୍ଦୋଳନକୁ ଆଗକୁ ବଢ଼ାଇବାକୁ ମେଣ୍ଟ ଚେତାବନୀ ଦେଇଛି।ଇଣ୍ଡିଆ ବ୍ଲକ୍ର ଆହ୍ୱାନରେ ଗତକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପାଳିତ ହୋଇଥିବା ଓଡ଼ିଶା ବନ୍ଦକୁ ସଫଳ କରିବାରେ ସହଯୋଗ କରିଥିବା ରାଜ୍ୟବାସୀଙ୍କୁ ଇଣ୍ଡିଆ ବ୍ଲକ୍ ପକ୍ଷରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଯାଇଛି। ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଥିବା ଏବଂ ବିଭିନ୍ନ ଦାବି ପ୍ରତି ଜନସମର୍ଥନ ମିଳିଥିବା ନେଇ ମେଣ୍ଟର ନେତାମାନେ ଏକ ମିଳିତ ବିବୃତିରେ ଦାବି କରିଛନ୍ତି | ଓଡ଼ିଶା ସମେତ ଖଣିଜ ସମ୍ପଦରେ ସମୃଦ୍ଧ ରାଜ୍ୟଗୁଡ଼ିକର ରାଜସ୍ୱ ଅଧିକାରକୁ ନେଇ ଇଣ୍ଡିଆ ବ୍ଲକ୍ ପ୍ରଶ୍ନ ଉଠାଇଛି। ମେଣ୍ଟର ଅଭିଯୋଗ ଅନୁଯାୟୀ, ସୁପ୍ରିମକୋର୍ଟଙ୍କ ୨୫ ଜୁଲାଇ ୨୦୨୪ର ରାୟ ଆଧାରରେ ଓଡ଼ିଶା ପ୍ରାୟ ୧ ଲକ୍ଷ ୧୦ ହଜାର କୋଟି ଟଙ୍କାର ବକେୟା ରାଜସ୍ୱ ପାଇବାକୁ ହକ୍ଦାର। ଏହା ସହିତ ଖଣିଜ ଉତ୍ତୋଳନରୁ ବାର୍ଷିକ ଅତିରିକ୍ତ ରାଜସ୍ୱ ମିଳିବା ଉଚିତ ବୋଲି ମେଣ୍ଟ ଦାବି କରିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଇନରେ କରାଯାଇଥିବା ସଂଶୋଧନକୁ ବିରୋଧ କରି ଏହାକୁ ରଦ୍ଦ କରିବା ପାଇଁ ଦାବି ଉଠାଯାଇଛି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ମଧ୍ୟ ଇଣ୍ଡିଆ ବ୍ଲକ୍ ଅସନ୍ତୋଷ ପ୍ରକାଶ କରିଛି। ମେଣ୍ଟର ଅଭିଯୋଗ ହେଉଛି, ଏହି ପ୍ରକ୍ରିୟା ଯୋଗୁଁ ବହୁ ସାବାଳକ ନାଗରିକଙ୍କ ନାମ ଭୋଟର ତାଲିକାରୁ ବାଦ୍ ପଡ଼ିବାର ଆଶଙ୍କା ରହିଛି ଏବଂ ଏହା ଭୋଟଦାନ ଅଧିକାରକୁ ପ୍ରଭାବିତ କରିପାରେ। ଏହି ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ପାଇଁ ମେଣ୍ଟ ଦାବି କରିଛି।ରାଜ୍ୟର ଶିକ୍ଷା ବ୍ୟବସ୍ଥା ଏବଂ ପାଠ୍ୟପୁସ୍ତକରେ ତ୍ରୁଟି ଥିବା ଅଭିଯୋଗ ଉଠାଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ପଦରୁ ବହିଷ୍କାର କରିବାକୁ ଇଣ୍ଡିଆ ବ୍ଲକ୍ ଦାବି କରିଛି।ସେହିପରି, ବନ୍ୟା ପ୍ରଭାବିତ ଲୋକଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଓ ଆବଶ୍ୟକ ସହାୟତା ମିଳିନଥିବା ଅଭିଯୋଗ କରି ମେଣ୍ଟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି। ପ୍ରଭାବିତ ପରିବାରଗୁଡ଼ିକୁ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ଦାବି କରାଯାଇଛି।ଏହି ମିଳିତ ବିବୃତିରେ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମ୍ଏଲ୍) ଲିବରେସନ, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍, ସମାଜବାଦୀ ପାର୍ଟି, ଏନସିପି (ଶରଦ ପାୱାର) ଓ ରାଷ୍ଟ୍ରୀୟ ଜନତା ଦଳର ନେତାମାନେ ସାମିଲ ହୋଇଥିବା ଉଲ୍ଲେଖ କରାଯାଇଛି | କଂଗ୍ରେସର ବରିଷ୍ଠ ରାଜ୍ୟ ଉପସଭାପତି ସନ୍ତୋଷ ସିଂହ ସାଲୁଜା, ଦେବାଶିଷ ପଟ୍ଟନାୟକ, ପ୍ରବକ୍ତା ଅରବିନ୍ଦ ଦାସ, ସିପିଆଇର ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର, ସିପିଆଇ(ଏମ୍)ର ବଦ୍ରୀ ନାରାୟଣ ଦାଶ, ସିପିଆଇ(ଏମ୍ଏଲ୍) ଲିବରେସନର ଯୁଧିଷ୍ଠିର ମହାପାତ୍ର ଏବଂ ଅନ୍ୟ ନେତାମାନେ ଏହି ବିବୃତିରେ ନିଜ ମତ ରଖିଛନ୍ତି। ଇଣ୍ଡିଆ ବ୍ଲକ୍ର ଅଭିଯୋଗ ଅନୁଯାୟୀ, ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କୁ ଗିରଫ କରିବା ନିନ୍ଦନୀୟ। ଦାବିଗୁଡ଼ିକ ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ମେଣ୍ଟ ପକ୍ଷରୁ କୁହାଯାଇଛି।ରାଜ୍ୟର ସମ୍ପଦ ଉପରେ ଓଡ଼ିଶାର ଅଧିକାର, ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା, ଶିକ୍ଷା ବ୍ୟବସ୍ଥାରେ ସୁଧାର ଏବଂ ବନ୍ୟା ପ୍ରଭାବିତଙ୍କୁ ନ୍ୟାୟ ପ୍ରଦାନ ଭଳି ପ୍ରସଙ୍ଗକୁ ନେଇ ଆଗାମୀ ଦିନରେ ମଧ୍ୟ ଜନସମର୍ଥନ ଲୋଡ଼ିବ ବୋଲି ଇଣ୍ଡିଆ ବ୍ଲକ୍ର ନେତାମାନେ କହିଛନ୍ତି।
