ବେଆଇନ ଗଞ୍ଜେଇ କାରବାର ଅଡିଓ ଭାଇରାଲ: ପୋଲିସ ଲିଙ୍କ୍କୁ ନେଇ ପ୍ରଶ୍ନ
ବୌଦ୍ଧରେ ୪ ଲକ୍ଷ ଟଙ୍କାର ଗଞ୍ଜେଇ କାରବାର ନେଇ ଭାଇରାଲ ଅଡିଓ, ପୋଲିସ ଲିଙ୍କ୍କୁ ନେଇ ଉଠିଲା ପ୍ରଶ୍ନ । ଭାଇରାଲ ଅଡିଓର ସତ୍ୟତା ଯାଞ୍ଚ ଦାବି । ସତ ସାମ୍ନାକୁ ଆସିଲେ କାର୍ଯ୍ୟାନୁଷ୍ଠାନ ହେବା ନେଇ କହିଲେ ବୌଦ୍ଧ ଏସପି ।
ବୌଦ୍ଧ: ବେଆଇନ ଗଞ୍ଜେଇ କାରବାରକୁ ନେଇ ଏକ ଅଡିଓ ଭାଇରାଲ ହେବା ପରେ ବୌଦ୍ଧ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। ଭାଇରାଲ ଅଡିଓରେ ଗଞ୍ଜେଇ ଭର୍ତ୍ତି ଏକ ଗାଡ଼ି ପୋଲିସ ପାଟ୍ରୋଲିଂ ସମୟରେ ଧରାପଡ଼ିବା ଏବଂ ଗାଡ଼ିରେ ଥିବା ଗଞ୍ଜେଇ କିଏ ଦେଇଥିଲା, ତାହାକୁ ନେଇ କିଛି ବ୍ୟକ୍ତିଙ୍କ ମଧ୍ୟରେ କଥାବାର୍ତ୍ତା ହେଉଥିବା ଦାବି କରାଯାଉଛି। ସୂଚନା ଅନୁସାରେ, ଜଗନ୍ନାଥ ରୋଡ୍ର ହାଟଗାଁ ନିକଟରେ ପୋଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ଭର୍ତ୍ତି ଏକ ଗାଡ଼ି ଧରାପଡ଼ିଥିଲା। ଏହି ଘଟଣାରେ ପ୍ରାୟ ୧ କ୍ୱିଣ୍ଟାଲ ୨୦ କିଲୋଗ୍ରାମ ଗଞ୍ଜେଇ ସହ ଦୁଇଜଣ ବ୍ୟକ୍ତି ଧରାପଡ଼ିଥିବା କୁହାଯାଉଛି। ଏହି ଘଟଣା ପରେ ଭାଇରାଲ ହୋଇଥିବା ଅଡିଓରେ ପ୍ରାୟ ଚାରିଜଣ ବ୍ୟକ୍ତି କଥା ହେଉଥିବା ଶୁଣାଯାଉଛି। କଥାବାର୍ତ୍ତାରେ ‘ଜଗଦଳା’, ‘ନଳିନୀ ସାର୍’, ‘ପ୍ରାଣ’ ଏବଂ ଜଣେ ‘ସାହେବ’ଙ୍କ ନାଁ ବାରମ୍ବାର ଉଚ୍ଚାରଣ ହେଉଥିବା ଦାବି କରାଯାଉଛି। ଏଥିସହ ୪ ଲକ୍ଷ ଟଙ୍କାର କାରବାର, ଟେପ୍ରେ ପ୍ୟାକ୍ କରାଯାଇଥିବା ଗଞ୍ଜେଇ ଏବଂ ଚାରି ଦିନ ପୂର୍ବରୁ ଗଞ୍ଜେଇ ଛାଡ଼ିବା ସମ୍ପର୍କରେ କଥାବାର୍ତ୍ତା ହେଉଥିବା ଶୁଣିବାକୁ ମିଳୁଥିବା କୁହାଯାଉଛି। ତେବେ ଏହି ଭାଇରାଲ ଅଡିଓର ସତ୍ୟତା ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ। ଅଡିଓଟି ପ୍ରକୃତରେ କାହାର, ଏଥିରେ କଥା ହେଉଥିବା ବ୍ୟକ୍ତିମାନେ କିଏ ଏବଂ ଅଡିଓରେ ହେଉଥିବା ଦାବିଗୁଡ଼ିକର ସତ୍ୟତା କେତେ, ତାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ କାରବାରକୁ ନେଇ ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ଚର୍ଚ୍ଚା ହୋଇଆସିଛି। କିଛିଦିନ ତଳେ ଗଞ୍ଜେଇ ମାଫିଆଙ୍କ ସହ ଲିଙ୍କ୍ ଅଭିଯୋଗକୁ ନେଇ ଜଣେ ଥାନା ଅଧିକାରୀଙ୍କୁ DGP ନିଲମ୍ବନ କରିଥିବା ଘଟଣା ମଧ୍ୟ ଚର୍ଚ୍ଚାରେ ଥିଲା। ଭାଇରାଲ ଅଡିଓକୁ ନେଇ ବୌଦ୍ଧ SP କୌଣସି ବିସ୍ତୃତ ପ୍ରତିକ୍ରିୟା ଦେଇନଥିଲେ ମଧ୍ୟ ଘଟଣା ସମ୍ପର୍କରେ ସେ ଅବଗତ ଥିବା କହିଛନ୍ତି। ଯଦି ତଦନ୍ତରେ କୌଣସି ପୋଲିସ କର୍ମଚାରୀଙ୍କ ଗଞ୍ଜେଇ କାରବାର ସହ ସମ୍ପୃକ୍ତି ପ୍ରମାଣିତ ହୁଏ, ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଆଇନଜୀବୀମାନଙ୍କ ମତରେ, ଅଡିଓର ସତ୍ୟତା ଯାଞ୍ଚ କରି ଏଥିରେ ଥିବା ବ୍ୟକ୍ତିମାନଙ୍କ ପରିଚୟ ଓ ଭୂମିକା ସ୍ପଷ୍ଟ କରାଯିବା ଆବଶ୍ୟକ। ଯଦି ଅଡିଓରେ ଥିବା ଅଭିଯୋଗ ତଦନ୍ତରେ ସତ୍ୟ ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନିଆଯିବା ଦରକାର। ଏବେ ସମସ୍ତଙ୍କ ନଜର ପୋଲିସ ତଦନ୍ତ ଉପରେ। ଭାଇରାଲ ଅଡିଓ ପଛର ସତ୍ୟ କ’ଣ ଏବଂ ଗଞ୍ଜେଇ କାରବାର ସହ କାହାର ସମ୍ପୃକ୍ତି ରହିଛି କି ନାହିଁ, ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
