Train services cancelled:ଭୂସ୍ଖଳନ ଯୋଗୁଁ ରେଳସେବା ଠପ୍ : ଅଟକିଲେ ଯାତ୍ରୀ
ପାହାଡ ଧସିଲା,ଅଟକିଲା ଚକା ! ମାଳିଗୁଡା-ଛତ୍ରୀପୁଟ ଟ୍ରାକରେ ଭୟଙ୍କର ଭୂସ୍ଖଳନ,୪ଟି ଟ୍ରେନ ବାତିଲ | ଚିନ୍ତାରେ ଯାତ୍ରୀ | ଆପଣ ଆଜି ଟ୍ରେନରେ ଯାତ୍ରା କରୁଛନ୍ତି କି ? ସାବଧାନ! କାରଣ ଟ୍ରେନ ବାତିଲ ହେବାସହ ବଦଳିଛି ଟ୍ରେନର ସମୟସୂଚୀ |
ରାୟଗଡ଼ା/ଭୁବନେଶ୍ୱର : ଓଡ଼ିଶାର ରାୟଗଡ଼ା ରେଳ ମଣ୍ଡଳରେ ଦେଖିବାକୁ ମିଳିଛି ପ୍ରକୃତିର ପ୍ରକୋପ | ମାଲିଗୁଡ଼ା ଏବଂ ଛତ୍ରୀପୁଟ ଷ୍ଟେସନ ମଧ୍ୟରେ ହଠାତ୍ ପାହାଡ଼ ଧସିବା ଯୋଗୁଁ ରେଳ ଧାରଣା ଉପରେ ବିଶାଳକାୟ ପାହାଡ଼ିଆ ମାଟି ଓ ପଥର ଜମି ରହିଛି। ଫଳରେ ଏଇ ରୁଟରେ ରେଳ ଚଳାଚଳ ଠପ୍ ହୋଇଛି। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ (ECoR) ପକ୍ଷରୁ କେତୋଟି ଟ୍ରେନର ଚଳାଚଳକୁ ନିୟନ୍ତ୍ରିତ କରାଯାଇଛି।
ରେଳ ବିଭାଗର ସୂଚନା ଅନୁଯାୟୀ,ଏହି ଅଚାନକ ସୃଷ୍ଟି ହେଇଥିବା ଆପଦ ନିମନ୍ତେ ସେପ୍ଟେମ୍ବର ୨୫ ତାରିଖ ପାଇଁ ୧୦ଟି ଟ୍ରେନର ଚଳାଚଳକୁ ପ୍ରଭାବିତ ଘୋଷଣା କରିଛି। ସେଠି ମଧ୍ୟରୁ ୪ଟି ଟ୍ରେନକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଥିବାବେଳେ, ୬ଟି ଟ୍ରେନକୁ କୋରାପୁଟ ଷ୍ଟେସନ ରେ ସମାପ୍ତ ବା ସର୍ଟ-ଟର୍ମିନେଟ୍ କିମ୍ବା ସେହିଠାରୁ ହିଁ ଆରମ୍ଭ ସର୍ଟ-ଓରିଜିନେଟ୍ କରିବାକୁ ନିଷ୍ପତି ନିଆଯାଇଛି । ରଦ୍ଦ ହେଇଥିବା ଟ୍ରେନ ଗୁଡିକ କିରନ୍ଦୁଲ-ବିଶାଖାପାଟଣା ପ୍ୟାସେଞ୍ଜର ଓ ଏକ୍ସପ୍ରେସ ରହିଛି ଏବଂ କୋରାପୁଟ ପର୍ଯ୍ୟନ୍ତ ଚାଲୁଥିବା ଟ୍ରେନ ମଧ୍ୟରେ ପ୍ରସିଦ୍ଧ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ, ହାୱଡ଼ା-ଜଗଦଲପୁର ଏକ୍ସପ୍ରେସ ଏବଂ ରାଉରକେଲା-ଜଗଦଲପୁର ଏକ୍ସପ୍ରେସ ରହିଛି । କୋରାପୁଟରୁ ଜଗଦଲପୁର ମଧ୍ୟରେ ଏହି ସେବା ବାତିଲ ରହିବ।
ରେଳବାଇର ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବିକ,ଘଟଣାସ୍ଥଳରେ ରେଳବାଇର ଯାନ୍ତ୍ରିକ ଟିମ୍ ପହଞ୍ଚି ଧାରଣାରୁ ମାଟି ହଟାଇବା କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖିଛନ୍ତି। ଯାତ୍ରାରମ୍ଭ କରିବା ପୂର୍ବରୁ ନ୍ୟାସନାଲ ଟ୍ରେନ ଇନକ୍ୱାରୀ ସିଷ୍ଟମ (NTES) ଆପ୍ କିମ୍ବା ହେଲ୍ପଲାଇନ ମାଧ୍ୟମରେ ଟ୍ରେନର ସ୍ଥିତି ଯାଞ୍ଚ କରିବାକୁ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି।
