Mayurbhanj News : ଫର୍ମ ଫିଲପ୍ ଫି’କୁ ନେଇ ଉଠିଲା ପ୍ରଶ୍ନ, ଅଭିଯୋଗ ଆଣିଲେ ଛାତ୍ରଛାତ୍ରୀ
କପ୍ତିପଦା ଲୁଇପା ଡିଗ୍ରୀ କଲେଜରେ ଫର୍ମ ଫିଲପ୍ ନାଁରେ ଅଧିକ ଟଙ୍କା ଆଦାୟ ଅଭିଯୋଗକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ। ୨,୯୦୦ରୁ ୩,୦୦୦ ଟଙ୍କା ଆଦାୟ ଅଭିଯୋଗ ମଧ୍ୟରେ ଘଟଣାର ତଦନ୍ତ ଓ ପ୍ରଶାସନିକ ପଦକ୍ଷେପ ଦାବି ହୋଇଛି।
ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହୁଛି କପ୍ତିପଦା ଉପଖଣ୍ଡର ଏକ ପ୍ରମୁଖ ଡିଗ୍ରୀ କଲେଜ। କିଛି ଦିନ ପୂର୍ବରୁ ଏହି ମହାବିଦ୍ୟାଳୟର ବିଭିନ୍ନ ଅନିୟମିତତାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବାଲେଶ୍ୱରରୁ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ (Regional Director) ଆସି ତଦନ୍ତ କରି ଫେରିଥିଲେ। ତେବେ ସେହି ତଦନ୍ତ ରିପୋର୍ଟ ଏଯାଏଁ ଲୋକଲୋଚନକୁ ଆସି ନ ଥିବା ବେଳେ, ବର୍ତ୍ତମାନ ପୁଣିଥରେ କଲେଜର ମନମୁଖୀ କାର୍ଯ୍ୟକାଳକୁ ନେଇ କ୍ୟାମେରା ଆଗରେ ମୁହଁ ଖୋଲିଛନ୍ତି ଛାତ୍ରଛାତ୍ରୀ । ବର୍ତ୍ତମାନ ମହାବିଦ୍ୟାଳୟରେ ଯୁକ୍ତ ତୃତୀୟ (Degree) ୫ମ ସେମିଷ୍ଟର ଫର୍ମ ଫିଲପ୍ ଚାଲିଛି । ଆଖପାଖର ଅନ୍ୟାନ୍ୟ ମହାବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ୍ରମେ ୯୬୦ ଟଙ୍କା ଏବଂ ସର୍ବାଧିକ ୧,୦୦୦ ରୁ ୧,୫୦୦ ଟଙ୍କା ମଧ୍ୟରେ ଫର୍ମ ଫିଲପ୍ ଖର୍ଚ୍ଚ ସୀମିତ ରହୁଥିବା ବେଳେ, କପ୍ତିପଦା ଉପଖଣ୍ଡର ଲୁଇପା ଡିଗ୍ରୀ କଲେଜରେ ଏହାର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । କ୍ୟାମେରା ଆଗରେ ଛାତ୍ରଛାତ୍ରୀ ଅଭିଯୋଗ କରି କହିଛନ୍ତି ଯେ, ସେମାନଙ୍କଠାରୁ ନିୟମ ବିରୁଦ୍ଧରେ ୨,୯୦୦ ରୁ ୩,୦୦୦ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଆଦାୟ କରାଯାଉଛି । କପ୍ତିପଦା ଉପଖଣ୍ଡ ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ଅଧିକାଂଶ ଗରିବ ଶ୍ରେଣୀର ପିଲା ଅଧ୍ୟୟନ କରନ୍ତି । କିନ୍ତୁ ଏଭଳି ଚରମ ଅର୍ଥ ଶୋଷଣ ଯୋଗୁଁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ସମ୍ବନ୍ଧରେ କଲେଜ ଅଧ୍ୟକ୍ଷଙ୍କ ପଚରାଯାଇଥିବା ବେଳେ ସେ କହିଥିଲେ , "ମୋର ଶରୀର ଅସୁସ୍ଥ ଅଛି, ମୁଁ କିଛି କହିପାରିବିନି" | ଏହା କହି ସେ ଘଟଣାକୁ ଏଡ଼ାଇ ଦେଇ ଯାଇଥିଲେ। ସେହିପରି ଉପଖଣ୍ଡ ଉପଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର ଅନୁପସ୍ଥିତି ଯୋଗୁଁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ଛାତ୍ରଛାତ୍ରୀମାନେ ଖୁବ୍ଶୀଘ୍ର ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏହି ଦୁର୍ନୀତି ବିରୁଦ୍ଧରେ ଲିଖିତ ଅଭିଯୋଗ ଜଣାଇବେ ବୋଲି ପ୍ରକାଶ କରିଛନ୍ତି । ବର୍ତ୍ତମାନ ପ୍ରଶ୍ନ ଉଠୁଛି, କେବେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଘଟଣାର ସଠିକ୍ ତଦନ୍ତ କରିବେ ଏବଂ ଏହି ଦୁର୍ନୀତିରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ?
