Ayodhya Ramleela At Delhi:ଦିଲ୍ଲୀରେ ରାମଲୀଳା - ମା ସୀତା ଭୂମିକାରେ ମିସ୍ ୟୁନିଭର୍ସ ଇଣ୍ଡିଆ
ଭାରତୀୟ ସଂସ୍କୃତି ଓ ମର୍ଯାଦା ପୁରୁଷୋତ୍ତମ ପ୍ରଭୂ ଶ୍ରୀରାମଙ୍କ ଗାଥା ଓ ଦର୍ଶନର ବିଶ୍ୱପ୍ରସିଦ୍ଧ ଅଯୋଧ୍ୟାର ରାମଲୀଳା ପ୍ରଥମ ଥର ଦିଲ୍ଲୀରେ ହେବ। ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ର କେଜିୟା ଲିଜ ମେଜୋ ମାତା ସୀତାଙ୍କ ଭୂମିକା ନିର୍ବାହ କରିବେ। ଆଉ ବିଜେପି ସାଂସଦ ତଥା ଅଭିନେତା ରବି କିଶନ ପ୍ରଭୂ ଶ୍ରୀରାମଙ୍କ ଅଭିନୟ ତୁଲାଇବେ

ରାମ ହେବେ ରବି କିଶାନ। ସୀତା ହେବେ ମିସ୍ ୟୁନିଭର୍ସ ଇଣ୍ଡିଆ। ଅଯୋଧ୍ୟାର ବିଶ୍ୱପ୍ରସିଦ୍ଧ ରାମଲୀଳା ଏଥର ଦିଲ୍ଲୀରେ ଭବ୍ୟ ରୂପରେ ଆୟୋଜିତ ହେବ। ଅକ୍ଟୋବର ୧୦ରୁ ୨୦ ଯାଏ କନଷ୍ଟିଚ୍ୟୁସନ କ୍ଲବର ମାଓ୍ୱଲଙ୍କର ହଲରେ ହେବାକୁ ଥିବା ରାମଲୀଳାରେ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ର କେଜିୟା ଲିଜ ମେଜୋ ମାତା ସୀତାଙ୍କ ଭୂମିକା ନିର୍ବାହ କରିବେ। ଆଉ ବିଜେପି ସାଂସଦ ତଥା ଅଭିନେତା ରବି କିଶନ ପ୍ରଭୂ ଶ୍ରୀରାମଙ୍କ ଅଭିନୟ ତୁଲାଇବେ। ମଞ୍ଚରେ ମନୋଜ ତିଓ୍ୱାରୀ, ଅରୁଣ ବକ୍ସି, ବିନ୍ଦୁ ଦାରା ସିଂ,ଅବତାର ଗିଲ୍ ଓ ପୁନୀତ ଇସାର ସମେତ ବହୁ କଳାକାର ଅଲଗା ଅଲଗା ଭୂମିକାରେ ନଜରକୁ ଆସିବେ। ରାବଣ ଭୂମିକାରେ ଅରୁଣ ବକ୍ସି, କୁମ୍ଭକର୍ଣ୍ଣ ଭୂମିକାରେ ବିନ୍ଦୁ ଦାରା ସିଂ, ମେଘନାଦ ଭୂମିକାରେ ଅବତାର ଗିଲ୍ ଓ ପର୍ଶୁରାମ ଭୂମିକା କରିବେ ପୁନୀତ ଇସାର। ଚଳିତ ବର୍ଷ ‘ଅଯୋଧ୍ୟା କି ରାମଲୀଲା’ ପ୍ରଥମ ଥର ପାଇଁ ଦିଲ୍ଲୀରେ ମଞ୍ଚସ୍ଥ ହେବାକୁ ଯାଉଛି। ଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବ୍ ପରିସରରେ ଅକ୍ଟୋବର ୧୦ରୁ ୨୦ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ। ଏହାପରେ ରାମଲୀଲାର ଦ୍ୱିତୀୟ ପର୍ଯ୍ୟାୟ ଅଯୋଧ୍ୟାରେ ଆସନ୍ତା ଜାନୁଆରୀରେ ହେବ। ଜାନୁଆରୀ ୧୫ ରୁ ୨୫, ୨୦୨୭ ଯାଏ ଏହା ଚାଲିବ। ସେପ୍ଟେମ୍ୱର ୨୧ରେ ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବ୍ରେ ଏହି ରାମଲୀଲା ପାଇଁ ଭୂମି ପୂଜନ ମଧ୍ୟ ହୋଇଥିଲା। ରାମଲୀଳାର ସଂସ୍ଥାପକ ତଥା ଅଧ୍ୟକ୍ଷ ସୁବାଷ ମଲିକ କହିଛନ୍ତି, ଗଲା ୭ ବର୍ଷ ଧରି ଅଯୋଧ୍ୟାରେ ରାମଲୀଳାର ଆୟୋଜନା ହେଉଛି। ଦେଶ ବିଦେଶରୁ ଦର୍ଶକଙ୍କ ବେଶ୍ ଭଲ ରେସପନ୍ସ ମିଳିଛି। ଆୟୋଜକଙ୍କ ଅନୁସାରେ, ଗଲା ବର୍ଷ ରାମଲୀଳାକୁ ଅନଲାଇନ ଓ ଅଫଲାଇନ ଜରିଆରେ ପ୍ରାୟ ୬୨ କୋଟି ଲୋକ ଦେଖିଥିଲେ।
