Bihar Blast : ଭଗ୍ନାବଶେଷ ତଳେ ଜୀବନର ସନ୍ଧାନ, ୫ ମୃତ୍ୟୁରେ ଶୋକାକୁଳ ପରିବାର
ବିହାରର ସିୱାନରେ ବାଣ ତିଆରି ଘରେ ଭୟଙ୍କର ବିସ୍ଫୋରଣ | ଆଖି ପିଛୁଳାକେ ଭୁଶୁଡ଼ି ପଡ଼ିଲା ଘରର ଏକ ବଡ଼ ଅଂଶ। ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ, ଆଉ ୨ ଜଣ ନିଖୋଜ। ଭଗ୍ନାବଶେଷ ତଳେ ଜୀବନର ସନ୍ଧାନ ଜାରି... ଏହି ହୃଦୟବିଦାରକ ଘଟଣାରେ ଶୋକର ଛାୟା |

ବିହାରରେ ବାଣ ତିଆରି ହେଉଥିବା ଏକ ଘରେ ଭୟଙ୍କର ବିସ୍ଫୋରଣ ଘଟି ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ବିହାରର ସିୱାନ ଜିଲ୍ଲାର ଆଲମପୁର ଗାଁରେ ଗତକାଲି ସନ୍ଧ୍ୟାରେ ଘଟିଛି। ବିସ୍ଫୋରଣର ପ୍ରଭାବରେ ଘରର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଥିବା ବେଳେ ଘଟଣାସ୍ଥଳରେ ଉଦ୍ଧାର ଓ ତଦନ୍ତ କାର୍ଯ୍ୟ ଚାଲିଛି |
ସୂଚନା ଅନୁଯାୟୀ, ସିୱାନ ଜିଲ୍ଲାର ଜାମୋ ଥାନା ଅନ୍ତର୍ଗତ ଆଲମପୁର ଗାଁରେ ଏକ ଘର ଭିତରେ ବାଣ ତିଆରି କରାଯିବା ସହ ବାଣ ମହଜୁଦ ରଖାଯାଇଥିଲା। ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ୩୦ ମିନିଟ୍ରେ ସେଠାରେ ହଠାତ୍ ବିସ୍ଫୋରଣ ଘଟିଥିଲା। ଘରେ ଗଚ୍ଛିତ ଥିବା ଅନ୍ୟ ବାଣଗୁଡ଼ିକରେ ମଧ୍ୟ ନିଆଁ ଲାଗିବାରୁ ବାରମ୍ବାର ବିସ୍ଫୋରଣ ହୋଇଥିଲା। ପ୍ରାୟ ଦୁଇ ଘଣ୍ଟା ଧରି ମଝିରେ ମଝିରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘରର ଆଗ ଭାଗ ଭୁଶୁଡ଼ି ପଡ଼ିବା ସହ ଭଗ୍ନାବଶେଷ ରାସ୍ତା ଉପରେ ପଡ଼ିଥିଲା। ଘଟଣାରେ ୫ ଜଣଙ୍କ ମୃତ୍ୟୁକୁ ସିୱାନ ପୋଲିସ ଅଧୀକ୍ଷକ ଭାରତ ସୋନି ନିଶ୍ଚିତ କରିଛନ୍ତି। ଅନ୍ୟ କିଛି ଲୋକଙ୍କ ସନ୍ଧାନ ଚାଲିଥିବା ବେଳେ ମୃତାହତଙ୍କ ସଠିକ୍ ସଂଖ୍ୟା ନେଇ ଆରମ୍ଭରେ ଦ୍ୱନ୍ଦ୍ୱ ରହିଥିଲା। ଭଗ୍ନାବଶେଷ ଯାଞ୍ଚ କରାଯାଇଥିଲା। ଫରେନସିକ୍ ଟିମ୍ ବିସ୍ଫୋରଣର କାରଣ ଜାଣିବା ପାଇଁ ନମୁନା ସଂଗ୍ରହ କରିଛି।
ଏହି ବାଣ ତିଆରି ୟୁନିଟ୍ର ଲାଇସେନ୍ସ ବୈଧ ଥିଲା କି ନାହିଁ, ତାହାର ତଦନ୍ତ ଚାଲିଛି। ଘଟଣାରେ ଏଫ୍ଆଇଆର୍ ରୁଜୁ ହୋଇଥିବା ବେଳେ ମହାରାଜଗଞ୍ଜ ଏସ୍ଡିପିଓଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଅବହେଳା ଅଭିଯୋଗରେ ଜାମୋ ବଜାର ଥାନା ଅଧିକାରୀ ଧୀରଜ କୁମାର ଓ ଜଣେ ପୋଲିସ ଚୌକିଦାରଙ୍କୁ ନିଲମ୍ବନ କରାଯାଇଛି। ଅଧିକାରୀଙ୍କ କହିବା ଅନୁଯାୟୀ, ବାଣ କାରବାର ସହ ଜଡ଼ିତ ଘର ମାଲିକ ପ୍ରାୟ ୨୦ ବର୍ଷ ଧରି ଏହି ବ୍ୟବସାୟ କରୁଥିଲେ। ତେବେ ଲାଇସେନ୍ସ ଯାଞ୍ଚରେ ଅବହେଳା ହୋଇଥିଲା କି ନାହିଁ, ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇଛି। ନିଖୋଜ ଲୋକଙ୍କ ସନ୍ଧାନ ଏବଂ ବିସ୍ଫୋରଣର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଛି। ଆଜି ସରକାରୀ ୫ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଥିବା ବେଳେ ୨ ଜଣ ନିଖୋଜ ଥିବା ରିପୋର୍ଟ ଆସିଛି।
