ଟିଏମସି ମହାସଙ୍କଟ: ବିଦ୍ରୋହୀ ଗୋଷ୍ଠୀରେ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜନୀତିରେ ବଢୁଛି ପାରଦ। ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଲାଗିଛି ବଡ ଝଟକା।

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜନୀତିରେ ବଢୁଛି ପାରଦ। ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଲାଗିଛି ବଡ ଝଟକା। ଦଳର ବରିଷ୍ଠ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ମଧ୍ଯ ବିଦ୍ରୋହୀ ସାଂସଦଙ୍କ ଗୋଷ୍ଠୀରେ ସାମିଲ ହୋଇଛନ୍ତି। ଯାହାକୁ ନେଇ ଏବେ ଟିଏମସିରେ ବଡ଼ ସଙ୍କଟ ଦେଖା ଦେଇଛି। ଦିଲ୍ଲୀରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଭେଟିଛନ୍ତି ସୁଦୀପ। ତାଙ୍କ ସହ ବିଦ୍ରୋହୀ ସାଂସଦ ଶତାବ୍ଦୀ ରାୟ ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକ ପରେ ଏବେ ଦିଲ୍ଲୀରୁ କୋଲକାତା ପର୍ଯ୍ୟନ୍ତ ରାଜନୀତି ତେଜିଯାଇଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ମମତା ବାନାର୍ଜୀଙ୍କୁ ଲାଗିଛି ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଝଟ୍କା। ଟିଏମସି ସଂସଦୀୟ ଦଳରେ ଦେଖାଦେଇଥିବା ବିଦ୍ରୋହ ଏବେ ଚରମ ସୀମାରେ ପହଞ୍ଚିଛି। ଦୀର୍ଘ ଦିନ ଧରି ଲୋକସଭାରେ ଟିଏମସିର ଚେହେରା ସାଜିଥିବା ବରିଷ୍ଠ ନେତା ସୁଦୀପ ବନ୍ଦୋପାଧ୍ୟାୟ ଏବେ ବିଦ୍ରୋହୀଙ୍କ ହାତ ଧରିଛନ୍ତି। ସୂଚନା ଅନୁସାରେ, ଟିଏମସିର ପ୍ରାୟ ୧୯ ଜଣ ସାଂସଦ ଏବେ ଦଳ ବିରୋଧରେ ବିଦ୍ରୋହ କରିଛନ୍ତି। ସେମାନେ ନିଜକୁ ଏକ ଅଲଗା ଗୋଷ୍ଠୀ ଭାବେ ଘୋଷଣା କରିବା ପାଇଁ ଲୋକସଭା ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି। ଏହି ବିଦ୍ରୋହୀ ସାଂସଦମାନେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ NDA ସରକାରକୁ ସମର୍ଥନ ଦେବା ସପକ୍ଷରେ ରହିଛନ୍ତି। କୁହାଯାଉଛି , ଟିଏମସି ସଂସଦୀୟ ଦଳର ନେତା ପଦରୁ ହଟାଯିବା ପରେ ସୁଦୀପ, ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ଏବେ ଚର୍ଚ୍ଚା ଜୋର୍ ଧରିଛି ଯେ ସୁଦୀପଙ୍କୁ ହିଁ ଏହି ନୂଆ ବିଦ୍ରୋହୀ ଗୋଷ୍ଠୀର ନେତା କରାଯାଇପାରେ। ସେପଟେ ସୁଦୀପଙ୍କ ପତ୍ନୀ ନୟନା ବନ୍ଦୋପାଧ୍ୟାୟ ମଧ୍ୟ ଟିଏମସିର ଜଣେ ବଡ଼ ନେତ୍ରୀ ହୋଇଥିବାରୁ, ଏହି ସଙ୍କଟ ମମତାଙ୍କ ପାଇଁ ଡବଲ୍ ଝଟ୍କା ସଦୃଶ ହୋଇଛି । ତେବେ ମମତା ଏହି ବଡ଼ ରାଜନୈତିକ ସଙ୍କଟରୁ ନିଜ ଦଳକୁ କେମିତି ବଞ୍ଚାଉଛନ୍ତି, ତାହା ଉପରେ ଏବେ ସାରା ଦେଶର ନଜର।
