ବଡ଼ ବିଭାଜନ ମୁହାଁ ଟିଏମସି!
ଟିଏମସିର ଲୋକସଭାରେ ୨୮ ସାଂସଦ ଅଛନ୍ତି। ସେଥିରୁ ୨୦ ସାଂସଦ ଯଦି ଏନଡିଏକୁ ସମର୍ଥନ ଦିଅନ୍ତି, ତେବେ ଟିଏମସି ଟଳମଳ ହେବା ଥୟ।ଯେଉଁ କର୍ମୀଙ୍କ ପରିଶ୍ରମରେ ଲୋକସଭା ଯାଇଛ, ସେମାନଙ୍କୁ ବିଜେପି କର୍ମୀ ପିଟିଲେ ଚୁପ୍ ହୋଇ ବସିପାରିବ ତ ବୋଲି ପଚାରିଛନ୍ତି ସାଂସଦ କିର୍ତ୍ତି ଆଜାଦ।

ବଡ଼ ବିଭାଜନ ମୁହାଁ ହେବାକୁ ବସିଲାଣି ଟିଏମସି। ଟିଏମସିର ୨୦ ଲୋକସଭା ସାଂସଦ ଏନଡିଏରେ ମିଶିବାକୁ ଗୋଡ଼ ଟେକି ବସିଛନ୍ତି। ଏନଡିଏକୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେବା ସହ ଲୋକସଭାରେ ଅଲଗା ବସିବାକୁ ବାଚସ୍ପତି ଓମ୍ ବିର୍ଲାଙ୍କୁ ଲେଖିଛନ୍ତି ଚିଠି। ଟିଏମସିର ଲୋକସଭାରେ ୨୮ ସାଂସଦ ଅଛନ୍ତି। ସେଥିରୁ ୨୦ ସାଂସଦ ଯଦି ଏନଡିଏକୁ ସମର୍ଥନ ଦିଅନ୍ତି, ତେବେ ଟିଏମସି ଟଳମଳ ହେବା ଥୟ। ଏହା ଦଳର ସଂସଦୀୟ ଶକ୍ତି ଉପରେ ବଡ଼ ପ୍ରଭାବ ପକାଇପାରେ। ଏହି ସଂଖ୍ୟା ଦଳବଦଳ ଆଇନର ଦୁଇ-ତୃତୀୟାଂଶ ସୀମାଠାରୁ ଅଧିକ ଥିବାରୁ ବିଦ୍ରୋହୀ ସାଂସଦମାନେ ଆଇନଗତ ସୁରକ୍ଷା ପାଇବାକୁ ଚେଷ୍ଟା କରିପାରନ୍ତି। କାକୋଳି ଘୋଷ ଏହାକୁ ଲିଡ୍ କରୁଛନ୍ତି। ବୈଠକରେ ରାଜ୍ୟସଭା ସାଂସଦ ଶୁଖେନ୍ଦୁ ଶେଖର ରାୟ ବି ସାମିଲ୍ ଥିଲେ। ପରେ ଶୁଖେନ୍ଦୁ ଶେଖର ରାୟ ସଭାପତି ସିପି ରାଧାକ୍ରିଷ୍ଣନଙ୍କ ସହ ଭେଟି ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ଆଉ ଟିଏମସି ଛାଡ଼ିବାକୁ ଘୋଷଣା କରିଛନ୍ତି। ମାଆ, ମାଟି ଓ ମାନୁଷର ଦ୍ୱାହି ଦେଇ ଏମାନେ ଜିତିଥିଲେ। ଏବେ ଏନଡିଏକୁ ଡେଇଁବାକୁ ବସିଛନ୍ତି। ଏ ୨୦ ସାଂସଦଙ୍କୁ ବିଶ୍ୱାସଘାତକ ବୋଲି କହିଛନ୍ତି କଲ୍ୟାଣ ବାନାର୍ଜୀ। ଶୁଖେନ୍ଦୁ ତ ଅନ୍ତତଃ ରାଜନୈତିକ ନୈତିକତାକୁ ଅନୁକରଣ କଲେ। ସେ ଇସ୍ତଫା ଦେବା ପରେ ଟିଏମସି ଛାଡ଼ିଲେ। ହେଲେ ବାକି ସାଂସଦଙ୍କ ସତସାହସ ଥିଲେ ସେମାନେ ଇସ୍ତଫା ଦେଇଦିଅନ୍ତୁ। ବିଜେପି ଟିକଟରେ ଲଢ଼ନ୍ତୁ। ଯେଉଁ କର୍ମୀଙ୍କ ପରିଶ୍ରମରେ ଲୋକସଭା ଯାଇଛ, ସେମାନଙ୍କୁ ବିଜେପି କର୍ମୀ ମାରିଲେ ଚୁପ୍ ହୋଇ ବସିପାରିବ ତ ବୋଲି ପଚାରିଛନ୍ତି ସାଂସଦ କିର୍ତ୍ତି ଆଜାଦ।
କାକୋଳି କହିଛନ୍ତି, ଅଭିଷେକଙ୍କ କାମ କରିବା ଶୈଳୀରେ ସେମାନେ ଅସନ୍ତୁଷ୍ଟ। କେନ୍ଦ୍ର ସରକାରଙ୍କ ସ୍କିମକୁ ରାଜ୍ୟରେ ପହଞ୍ଚାଇବାକୁ ବାଧା ଦିଆଯାଉଥିଲା। ସେ ଦୀର୍ଘ ୪୦ ବର୍ଷ ହେଲା ମମତାଙ୍କ ସହ ରହିଥିଲେ। ସେ ଲଢ଼େଇ ଓ ସଂଗ୍ରାମ କରି ଆସିଛନ୍ତି। କେହି ତାଙ୍କୁ ବିଶ୍ୱାସଘାତକ କହିଲେ ସେ ପରବାଏ କରନ୍ତିନି। ମୁଣ୍ଡ କାଟ ହୋଇଯାଉ ପଛେ ସେ କେବେ ବି ନଇଁବେନି। ତାଙ୍କୁ କ୍ରମାଗତ ଅପମାନିତ କରାଯାଇଛି। ମମତା ତାଙ୍କ ସହ ୨ ବର୍ଷ ହେଲା କଥା ହେଉନଥିଲେ। ସେପଟେ ବିଧାନସଭାରେ ଆଗ ଏ ବିଦ୍ରୋହ ଓ ବିଭାଜନର ନିଆଁ ଲଗାଇଥିବା ରିତବ୍ରତ ବାନାର୍ଜୀ କହିଛନ୍ତି, ଗଣତନ୍ତ୍ର ଲାଗି ଏହା ଶୁଭଙ୍କର। ଶୁଖେନ୍ଦୁ କହିଛନ୍ତି, କାହା କଥା ଶୁଣୁନଥିଲେ ଦିଦି ଓ ଅଭିଷେକ। ଗୁଣ୍ଡାଙ୍କୁ ପ୍ରଶ୍ରୟ ଦେଉଥିଲା ଟିଏମସି। ବାଚସ୍ପତିଙ୍କୁ ଚିଠି ଲେଖିବା ଆଗରୁ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଘରେ ବିଦ୍ରୋହୀ ସାଂସଦଙ୍କ ବୈଠକ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବି ବିଦ୍ରୋହୀ ସାଂସଦ ଶତାବ୍ଦୀ ରାୟଙ୍କ ବାସଭବନରେ ପହଞ୍ଚି ବିଦ୍ରୋହୀ ସାଂସଦଙ୍କୁ ଭେଟିଥିଲେ। କଂଗ୍ରେସ କହିଛି, ଟିଏମସି ବି ଅନ୍ୟ ଦଳକୁ ଭାଙ୍ଗିବାକୁ କୌଣସି କସରତ ଛାଡ଼ିନଥିଲା। ଶୁଭେନ୍ଦୁ ଅଧିକାରୀ ଟିଏମସିରେ ଥିଲା ବେଳେ ଏହି ରଣନୀତି ଶିଖିଥିଲେ। ଏବେ ବିଜେପିରେ ତାକୁ କାର୍ଯ୍ୟକାରୀ କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ଗୁଲାମ ଅହମ୍ମଦ ମୀର। ଶିବସେନା ୟୁବିଟି ସାଂସଦ ସଞ୍ଜୟ ରାଉତ କହିଛନ୍ତି, ମହାରାଷ୍ଟ୍ରରେ ଯେମିତି ଶିବସେନାକୁ ଭାଙ୍ଗିବାକୁ ବିଜେପି କୌଶଳ କରିଥିଲା। ବଙ୍ଗରେ ଟିଏମସିକୁ ଭାଙ୍ଗିବାକୁ ସମାନ ଉପାୟ ଆପଣାଇଛି ବିଜେପି।
ଟିଏମସିରେ ବଡ଼ ବିଭାଜନ ଦିଦିଙ୍କ ଅଡ଼ୁଆ ବଢ଼ାଇଛି। ଏହାକୁ କେମିତି ମୁକାବିଲା କରିବେ ଦିଦିଙ୍କ ଲାଗି ବଡ଼ ଆହ୍ୱାନ ସାଜିଛି।
