ନଦୀରେ ଫସିଲା ଟ୍ରାକ୍ଟର, ସାହାସ ଦେଖାଇଲେ ଯୁଵକ
ନାଗାବଳୀ ନଦୀର ପ୍ରବଳ ସ୍ରୋତରେ ଫସିଲା ଟ୍ରାକ୍ଟର, ସାହସୀ ଯୁବକଙ୍କ ଉଦ୍ୟମରେ ଡ୍ରାଇଭର ଓ ନାବାଳକ ଉଦ୍ଧାର। ସ୍ଥାୟୀ ପୋଲ ନିର୍ମାଣ ନେଇ ଉଠିଲା ଦାଵୀ।
ରାୟଗଡା: ରାୟଗଡା ଜିଲ୍ଲା କୋଲନରା ବ୍ଲକ ଇମାଲିଗୁଡା ଅଞ୍ଚଳରେ ନାଗାବଳୀ ନଦୀର ପ୍ରବଳ ବନ୍ୟାଜଳ ସ୍ରୋତରେ ଏକ ଟ୍ରାକ୍ଟର ଫସିଯିବାରୁ ଡ୍ରାଇଭର ଓ ଜଣେ ନାବାଳକ ଦୀର୍ଘ ସମୟ ଧରି ନଦୀ ମଝିରେ ଅଟକି ରହିଥିଲେ। ପରେ ସ୍ଥାନୀୟ ଜଣେ ସାହସୀ ଯୁବକ ନିଜ ଜୀବନକୁ ବିପଦରେ ପକାଇ ଉଭୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ସୂଚନା ଅନୁଯାୟୀ, ଇମାଲିଗୁଡା ଗ୍ରାମର ପ୍ରକାଶ ପେଦେଣ୍ଟି ନିଜ ଟ୍ରାକ୍ଟରରେ ନାଗାବଳୀ ନଦୀ ପାର ହୋଇ ଚାଷ ଜମିକୁ ଯାଇଥିଲେ। ଫେରୁଥିବା ବେଳେ ହଠାତ୍ ବର୍ଷାଜଳ ଯୋଗୁଁ ନଦୀରେ ପ୍ରବଳ ସ୍ରୋତ ସୃଷ୍ଟି ହୋଇଥିଲା। ସେତେବେଳେ ତାଙ୍କ ସହ ତାଙ୍କର ନାବାଳକ ସମ୍ପର୍କୀୟ ହରି ପେଦେଣ୍ଟି ମଧ୍ୟ ଥିଲେ। ପ୍ରବଳ ସ୍ରୋତ ମଧ୍ୟରେ ଟ୍ରାକ୍ଟର ଫସିଯିବାରୁ ଉଭୟେ ନଦୀ ମଝିରେ ଅସହାୟ ଭାବେ ଅଟକି ରହିଥିଲେ। ନଦୀର ପ୍ରଖର ସ୍ରୋତ ଥିବାରୁ କେହି ମଧ୍ୟ ଉଦ୍ଧାର ପାଇଁ ନଦୀ ଭିତରକୁ ଯିବାକୁ ସାହସ କରିନଥିଲେ।
ଏହି ସମୟରେ ଇନ୍ତାଲିଗୁଡାର ଜଣେ ସାହସୀ ଯୁବକ ପାଣିରେ ପଶି ଡ୍ରାଇଭର ଓ ନାବାଳକଙ୍କୁ ସୁରକ୍ଷିତ ଭାବେ କୂଳକୁ ଆଣିଥିଲେ। ତାଙ୍କର ଏହି ସାହସିକ ପଦକ୍ଷେପକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। ଅନ୍ୟପଟେ, ଇନ୍ତାଲିଗୁଡା ନିକଟରେ ନାଗାବଳୀ ନଦୀ ପ୍ରବାହିତ ହେଉଥିବାରୁ ଏହାର ଉଭୟ ପାର୍ଶ୍ୱରେ ଅନେକ ଗ୍ରାମ ଓ ଚାଷ ଜମି ରହିଛି। ପ୍ରତିବର୍ଷ ବର୍ଷା ଋତୁରେ ନଦୀ ପାର ସମୟରେ ଗ୍ରାମବାସୀ ଜୀବନକୁ ବିପଦରେ ପକାଇ ଯାତାୟାତ କରୁଛନ୍ତି। ତେଣୁ ଏହି ସ୍ଥାନରେ ଏକ ସ୍ଥାୟୀ ପୋଲ ନିର୍ମାଣ କରାଗଲେ ପ୍ରାୟ ୧୦ଟି ଗ୍ରାମର ଲୋକ ଉପକୃତ ହେବେ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।
