ରାଜ୍ୟରେ ବନ୍ୟା ପରିସ୍ଥିତି: ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ
ବନ୍ୟା ପରିସ୍ଥିତି ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସଜାଗ। ନିର୍ଦ୍ଦେଶକ ଓ ସମସ୍ତ ସିଡିଏମଓ ମାନଙ୍କ ସହ ସମୀକ୍ଷା ବୈଠକ, ସମସ୍ତ ସିଡିଏମଓ ମାନଙ୍କୁ ଅଲର୍ଟ ରହିବାକୁ ନିର୍ଦ୍ଦେଶ-ସ୍ୱାସ୍ଥ୍ୟ ମନ୍ତ୍ରୀ।
ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ବିଭାଗ ସଜାଗ ହୋଇଛି। ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶକ ଓ ସମସ୍ତ ସିଡିଏମଓମାନଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଭିଡିଓ କନଫରେନ୍ସ ମାଧ୍ୟମରେ ସମସ୍ତ ଅଧିକାରୀ ଏଥିରେ ଯୋଗ ଦେଇଥିଲେ। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସିଡିଏମଓମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଆବଶ୍ୟକ ସ୍ଥାନରେ ମେଡିକାଲ ଟିମ୍ ମୁତୟନ କରାଯିବ। ବନ୍ୟା ପ୍ରଭାବିତ ଅଞ୍ଚଳରେ ଗର୍ଭବତୀ ମହିଳାମାନଙ୍କୁ ଆବଶ୍ୟକତା ଅନୁସାରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯିବ। ସେହିପରି ସାପ କାମୁଡ଼ା ଘଟଣାକୁ ଦୃଷ୍ଟିରେ ରଖି ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ଆଣ୍ଟି ସ୍ନେକ ଭେନମ୍ ମହଜୁଦ ରଖିବାକୁ ନିର୍ଦ୍ଦେଶ ରହିଛି। ଉତ୍ତର ଓଡ଼ିଶାର ସମସ୍ତ ମେଡିକାଲ କଲେଜରେ ଥିବା ଡାକ୍ତରୀ ଟିମ୍କୁ ମଧ୍ୟ ଆଲର୍ଟ କରାଯାଇଛି। ଯେଉଁଠାରେ ଆବଶ୍ୟକ ପଡ଼ିବ, ସେଠାରେ ଏହି ଟିମ୍ଗୁଡ଼ିକୁ ମୁତୟନ କରାଯିବ। ସେହିପରି, କୋଭିଡ୍ ପରିସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ ଲୋକମାନେ ଭୟଭୀତ ହେବାର ଆବଶ୍ୟକତା ନାହିଁ। କୋଭିଡ୍କୁ ସତର୍କତା ଦୃଷ୍ଟିରେ ରଖାଯାଇଛି ଏବଂ ଭାରତ ସରକାରଙ୍କ ଗାଇଡଲାଇନ୍ ଅନୁସାରେ ପଦକ୍ଷେପ ନିଆଯିବ ଵୋଲି କହିଛନ୍ତି।
