ଭାଙ୍ଗିଲା ବନ୍ଧ, ପାଣିରେ ବୁଡ଼ିଲା ଭଦ୍ରକ ଧାମନଗର ସମେତ ଅନେକ ଅଞ୍ଚଳ
ବୈତରଣୀରେ ବନ୍ୟା ତାଣ୍ଡବ: ଭାଙ୍ଗିଲା ବନ୍ଧ, ପାଣି ଘେରରେ ଭଦ୍ରକ ଜିଲ୍ଲାର ଧାମନଗର ସମେତ ଅନେକ ଗାଁ, ଧାମନଗର-ଯାଜପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ। ପ୍ରଶାସନ ପକ୍ଷରୁ ସତର୍କତା ଜାରି।
ଭଦ୍ରକ: ଓଡ଼ିଶାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଭଦ୍ରକ ଜିଲ୍ଲାର ଧାମନଗର ସମେତ ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବନ୍ଧ ଭାଙ୍ଗିବା ପରେ ବନ୍ୟା ପାଣି ଗାଁ ଅଞ୍ଚଳକୁ ପ୍ରବେଶ କରିଥିବା ବେଳେ ଅନେକ ଗାଁ ଏବେ ଜଳବନ୍ଦୀ ହୋଇଛି। ବନ୍ୟା ନିରୀକ୍ଷଣ ତଥ୍ୟ ଅନୁସାରେ, ବୁଧବାର ସକାଳ ୭ଟା ସମୟରେ ଆଖୁଆପଦା ଆନିକଟ ନିକଟରେ ବୈତରଣୀ ନଦୀର ଜଳସ୍ତର ୨୦.୪୦ ମିଟର ରେକର୍ଡ କରାଯାଇଛି। ଯାହା ବିପଦ ସଙ୍କେତ ୧୮.୩୩ ମିଟର ଓ ସତର୍କ ସଙ୍କେତ ୧୭.୮୩ ମିଟରଠାରୁ ବହୁ ଅଧିକ ରହିଛି। ବନ୍ୟା ପାଣି ଏବେ ଗ୍ରାମାଞ୍ଚଳ ସହ ସହରମୁହାଁ ହୋଇଛି। ଫଳରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇ ଲୋକଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି।
ଧାମନଗର ବ୍ଲକର ଦୋବଲ ବ୍ରିଜ୍ ବନ୍ୟା ପାଣିରେ ବୁଡ଼ିଯିବା ପରେ ଧାମନଗର-ଯାଜପୁର ମଧ୍ୟରେ ସଡ଼କ ଯୋଗାଯୋଗ ଠପ୍ ହୋଇଯାଇଛି। ସେହିପରି ଭଣ୍ଡାରିପୋଖରୀ ବ୍ଲକର ଅନେକ ଗାଁକୁ ଯାତାୟାତ ବିଚ୍ଛିନ୍ନ ହୋଇଛି। ହଜାର ହଜାର ଲୋକ ବର୍ତ୍ତମାନ ବନ୍ୟା ପାଣି ଘେରରେ ରହିଛନ୍ତି। ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରୁ ଲୋକଙ୍କୁ ଉଦ୍ଧାର କରାଯାଇ ଉଚ୍ଚ ସ୍ଥାନକୁ ନିଆଯାଉଛି। ଉଦ୍ଧାର ହୋଇଥିବା ଲୋକଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ ଓ ଆବଶ୍ୟକ ସାମଗ୍ରୀର ବ୍ୟବସ୍ଥା କରାଯାଇଛି। ବୈତରଣୀର ଜଳସ୍ତର ଆହୁରି ବଢ଼ିବା ଆଶଙ୍କା ଥିବାରୁ ନଦୀକୂଳିଆ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସତର୍କତା ଜାରି ରହିଛି।
