ବନ୍ୟା ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ତତ୍ପରତା
ବନ୍ୟା ପରିସ୍ଥିତିକୁ ନେଇ ରାଜ୍ୟ ସରକାର ତତ୍ପର । ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବନ୍ୟା ପରିଚାଳନା ପାଇଁ ୩ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ।
ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଓ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତିକୁ ନେଇ ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମ 'X' ରେ ଏକ ପୋଷ୍ଟ ମାଧ୍ୟମରେ ବନ୍ୟା ପରିଚାଳନା ଓ ସରକାରୀ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଜୀବନ ଓ ସୁରକ୍ଷା ସରକାରଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନର ବନ୍ୟା ପରିସ୍ଥିତି ଉପରେ ସେ ଓ ତାଙ୍କ ସରକାର ନିରନ୍ତର ନଜର ରଖିଥିବା ସୂଚନା ଦେଇଛନ୍ତି। ବନ୍ୟା ପରିସ୍ଥିତିର ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସହ ଆଲୋଚନା କରାଯାଇଛି। ପ୍ରଭାବିତ ଅଞ୍ଚଳରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ପ୍ରଶାସନକୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି। ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବନ୍ୟା ପରିଚାଳନା, ଲୋକଙ୍କ ସ୍ଥାନାନ୍ତରଣ ଓ ରିଲିଫ୍ କାର୍ଯ୍ୟର ତଦାରଖ ପାଇଁ ୩ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ଜଳସ୍ତର ଓ ପରିସ୍ଥିତିର ସିଧାସଳଖ ନିରୀକ୍ଷଣ ପାଇଁ SRC କାର୍ଯ୍ୟାଳୟ ଓ ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷକୁ ୨୪×୭ କାର୍ଯ୍ୟକ୍ଷମ ରଖାଯାଇଛି। ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ NDRF, ODRAF, ଅଗ୍ନିଶମ ବାହିନୀ ଓ ପୋଲିସ ବାହିନୀକୁ ପ୍ରସ୍ତୁତ ରଖାଯାଇଛି। ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ଆଶ୍ରୟସ୍ଥଳୀ ଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ, ରନ୍ଧା ଖାଦ୍ୟ, ସ୍ୱାସ୍ଥ୍ୟସେବା, ସର୍ପାଘାତ ପ୍ରତିଷେଧକ ଔଷଧ ଓ ଗୃହପାଳିତ ପଶୁଙ୍କ ପାଇଁ ଗୋଖାଦ୍ୟ ବ୍ୟବସ୍ଥା କରାଯାଇଛି। ଏହାସହ ଆଶ୍ରୟସ୍ଥଳୀକୁ ଯାଇଥିବା ଲୋକଙ୍କ ଘର ଓ ଧନସମ୍ପତ୍ତିର ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ରାତ୍ରିକାଳୀନ ପେଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ସେହିପରି ବନ୍ୟାରେ କ୍ଷତିଗ୍ରସ୍ତ ଘରବାଡ଼ି ଓ ଚାଷଜମି ପାଇଁ ପ୍ରଭାବିତ ଲୋକଙ୍କୁ ତ୍ୱରିତ କ୍ଷତିପୂରଣ ପ୍ରଦାନ କରିବାକୁ ସରକାର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଲୋକମାନଙ୍କୁ ଭୟଭୀତ ନହେବାକୁ ଅନୁରୋଧ କରିବା ସହ ପ୍ରଶାସନର ପରାମର୍ଶ ଓ ନିର୍ଦ୍ଦେଶ ପାଳନ କରି ସୁରକ୍ଷିତ ରହିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
