ବ୍ରହ୍ମପୁର ମହାନଗର ନିଗମ ବୈଠକରେ ହଙ୍ଗାମା:
ବ୍ରହ୍ମପୁର ମହାନଗର ନିଗମ ବୈଠକରେ ହଙ୍ଗାମା: ଟେଣ୍ଡର ବାତିଲକୁ ନେଇ ଧାରଣାରେ ବସିଲେ ଦୁଇ କର୍ପୋରେଟର | ଇଞ୍ଜିନିଅର ଓ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଶ୍ୱାସନା ପରେ ଉଠିଲା ଧାରଣା

ବ୍ରହ୍ମପୁର ମହାନଗର ନିଗମ (ବିଏମସି)ର ସାଧାରଣ ପରିଷଦ ବୈଠକରେ ସୋମବାର ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି। ଉନ୍ନତିମୂଳକ କାର୍ଯ୍ୟ ପାଇଁ ହୋଇଥିବା ଟେଣ୍ଡର ବାତିଲକୁ ନେଇ ଦୁଇ ଜଣ ମହିଳା କର୍ପୋରେଟର ଧାରଣାରେ ବସିବାରୁ ବୈଠକ କିଛି ସମୟ ପାଇଁ ଅଚଳ ହୋଇପଡ଼ିଥିଲା। ୩୭ ନମ୍ବର ୱାର୍ଡର କର୍ପୋରେଟର ବନିତା ସାହୁ ଓ ୬ ନମ୍ବର ୱାର୍ଡର କର୍ପୋରେଟର ଶ୍ୱେତା ରେଖା ତ୍ରିପାଠୀ ଅଭିଯୋଗ କରିଥିଲେ ଯେ, ଜାଣିଶୁଣି ସେମାନଙ୍କ ୱାର୍ଡର ବିକାଶମୂଳକ କାର୍ଯ୍ୟର ଟେଣ୍ଡର ବାତିଲ କରାଯାଇଛି। ଏହାକୁ ବିରୋଧ କରି ଉଭୟ କର୍ପୋରେଟର ବୈଠକ ମଧ୍ୟରେ ଧାରଣାରେ ବସିଥିଲେ। ଧାରଣା ସମୟରେ କର୍ପୋରେଟର ଶ୍ୱେତା ରେଖା ତ୍ରିପାଠୀ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ। ପରେ ମେୟର ସଂଘମିତ୍ରା ଦଳାଇ ଘଟଣାସ୍ଥଳକୁ ଆସି ତାଙ୍କୁ ବୁଝାସୁଝା କରିଥିଲେ। ମେୟରଙ୍କ ହସ୍ତକ୍ଷେପ ପରେ ଶ୍ୱେତା ରେଖା ଧାରଣାରୁ ଓହରିଥିଲେ। ଏହାପରେ ସମ୍ପୃକ୍ତ ଟେଣ୍ଡର ବାତିଲ ପଛରେ ଥିବା ଇଞ୍ଜିନିଅର, ଏସଡିଓ ଏବଂ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ଆଶ୍ୱାସନା ଦିଆଯାଇଥିଲା। ଏହି ଆଶ୍ୱାସନା ପାଇବା ପରେ କର୍ପୋରେଟର ବନିତା ସାହୁ ମଧ୍ୟ ନିଜର ଧାରଣା ପ୍ରତ୍ୟାହାର କରିଥିଲେ। ଘଟଣାକୁ ନେଇ ବ୍ରହ୍ମପୁର ରାଜନୀତିରେ ଚର୍ଚ୍ଚା ଜୋର ଧରିଥିବା ବେଳେ ବିକାଶମୂଳକ କାର୍ଯ୍ୟରେ ପ୍ରଶାସନିକ ସ୍ୱଚ୍ଛତା ଓ ଜବାବଦେହିତାକୁ ନେଇ ପ୍ରଶ୍ନ ଉଠିଛି।
