CM Vijay: ଛାତ୍ରଛାତ୍ରୀଙ୍କ ସହ ବସି ଜଳଖିଆ ଖାଇଲେ ବିଜୟ
କାମରାଜର ବ୍ରେକଫାଷ୍ଟ ସ୍କିମ୍ର ସମ୍ପ୍ରସାରଣ ଶୁଭାରମ୍ଭ ପରେ ଛାତ୍ରଛାତ୍ରୀଙ୍କ ସହ ବସି ଜଳଖିଆ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ।
ଚେନ୍ନାଇ: ତାମିଲନାଡୁରେ ଛାତ୍ରଛାତ୍ରୀଙ୍କ ପାଇଁ ଚାଲିଥିବା ପେରୁନ୍ଥଲାଇଭର କାମରାଜର ବ୍ରେକଫାଷ୍ଟ ସ୍କିମ୍ର ପରିସରକୁ ଆହୁରି ବଢ଼ାଯାଇଛି। ମଙ୍ଗଳବାର ଏହାର ସମ୍ପ୍ରସାରଣର ଶୁଭାରମ୍ଭ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ। ଚେନ୍ନାଇର ଗାନ୍ଧୀ ଗ୍ରାମମ୍ସ୍ଥିତ ଚେନ୍ନାଇ ମିଡିଲ୍ ସ୍କୁଲ୍ରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ବିଜୟ ଛାତ୍ରଛାତ୍ରୀଙ୍କୁ ମିଠା ପୋଙ୍ଗଲ ପରିବେଷଣ କରିବା ସହ ସେମାନଙ୍କ ସହ ବସି ଜଳଖିଆ କରିଥିଲେ। ପରେ ସେ ସ୍କୁଲ୍ର ଶ୍ରେଣୀଗୃହ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ଏହି ଯୋଜନାର ସମ୍ପ୍ରସାରଣ ଫଳରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ପ୍ରାୟ ୧୫.୩୦ ଲକ୍ଷ ଅତିରିକ୍ତ ଛାତ୍ରଛାତ୍ରୀ ଉପକୃତ ହେବେ। ରାଜ୍ୟର ୧୫,୪୫୪ଟି ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ସ୍କୁଲ୍ ରେ ଏହି ସୁବିଧା ମିଳିବ। ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. କାମରାଜଙ୍କ ନାମରେ ନାମିତ ଏହି ଯୋଜନାର ଲକ୍ଷ୍ୟ ହେଉଛି ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ପୌଷ୍ଟିକ ଜଳଖିଆ ଯୋଗାଇବା ସହ ସେମାନଙ୍କ ସ୍ୱାସ୍ଥ୍ୟ, ଉପସ୍ଥାନ ଓ ଶିକ୍ଷାରେ ସହାୟତା କରିବ। ଛାତ୍ରଛାତ୍ରୀଙ୍କୁ ଉପମା, କିଚଡ଼ି, ପୋଙ୍ଗଲ ଭଳି ବିଭିନ୍ନ ଖାଦ୍ୟ ପରିବେଷଣ କରାଯିବ। ସପ୍ତାହରେ ଦୁଇ ଦିନ ମିଲେଟ୍ ଆଧାରିତ ଖାଦ୍ୟ ମଧ୍ୟ ମେନୁରେ ରହିବ।
ସ୍କୁଲ୍ ପରିଦର୍ଶନ ସମୟରେ ବିଜୟ ଛାତ୍ରଛାତ୍ରୀଙ୍କ ସହ ବସି ଜଳଖିଆ କରିବା ସହ ଖାଦ୍ୟର ମାନ ଓ ସ୍ୱାଦ ସମ୍ପର୍କରେ ସେମାନଙ୍କ ମତାମତ ଜାଣିଥିଲେ। ଏହାର ଭିଡିଓ ଓ ଫଟୋ ସୋସିଆଲ୍ ମିଡିଆରେ ଆସିବା ପରେ ବିଜୟଙ୍କ ଏହି ପଦକ୍ଷେପକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି।
