ବିଧାୟକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ବଡ ଉପହାର
ତାମିଲନାଡୁରେ ବଡ଼ ଘୋଷଣା: ବିଧାୟକଙ୍କୁ ମିଳିବ ନୂଆ ଗାଡ଼ି, ଚାଳକ ଓ ସହାୟକ; ସ୍ୱାସ୍ଥ୍ୟ ବୀମା ଯୋଜନାରେ ୫ ଲକ୍ଷରୁ ୨୫ ଲକ୍ଷକୁ ବୃଦ୍ଧି ।

ଚେନ୍ନାଇ: ତାମିଲନାଡୁ ବିଧାୟକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କ ବଡ ଉପହାର । ବିଧାନସଭାରେ ବିଧାୟକମାନଙ୍କ ପାଇଁ ଏକାଧିକ ସୁବିଧା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ସମସ୍ତ ବିଧାୟକଙ୍କୁ ନୂଆ ସରକାରୀ କାର ସହ ଜଣେ ଲେଖାଏଁ ଡ୍ରାଇଭର ଯୋଗାଇ ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଘୋଷଣା କରିଛନ୍ତି । ସମସ୍ତ ବିଧାୟକଙ୍କୁ ନିର୍ବାଚନମଣ୍ଡଳୀରେ ଲୋକଙ୍କ ସହ ଅଧିକ ପ୍ରଭାବଶାଳୀ ଭାବେ ଯୋଗାଯୋଗ କରିବା ପାଇଁ ସରକାରୀ ଗାଡ଼ି, ଚାଳକ ଓ ଜଣେ ସହାୟକ ଯୋଗାଇ ଦିଆଯିବ। ଏହା ସହ ଗାଡ଼ି ପାଇଁ ପ୍ରତିମାସ ୭୫,୦୦୦ ଟଙ୍କା ଭତ୍ତା ଦିଆଯିବା ସହ ସହାୟକଙ୍କ ପାଇଁ ଅତିରିକ୍ତ ୨୫,୦୦୦ଟଙ୍କା ଦିଆଯିବ। ଏହାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମସ୍ତ ବିଧାୟକ ନିଜ ନିଜ ବିଧାନସଭା କ୍ଷେତ୍ରରେ ଜନତାଙ୍କ ଅଭିଯୋଗ ଶୁଣାଣି, ସରକାରୀ ଯୋଜନାର ତଦାରଖ ଏବଂ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସରକାରୀ ଗାଡ଼ି ଏବଂ ମାସିକ ଭତ୍ତା ଯୋଗାଇ ଦିଆଯିବ ।

ସେହିପରି ସ୍ୱାସ୍ଥ୍ୟ ବୀମା ଯୋଜନାରେ ମଧ୍ୟ ମୁଖ୍ୟମନ୍ତ୍ରୀ ବିଜୟ ବଡ଼ ଘୋଷଣା କରିଛନ୍ତି । ବାର୍ଷିକ ଚିକିତ୍ସା ବୀମା କଭରେଜକୁ ୫ ଲକ୍ଷରୁ ବଢ଼ାଇ୨୫ ଲକ୍ଷ କରିଛନ୍ତି । ଫଳରେ ହିତାଧିକାରୀମାନେ ପୂର୍ବ ତୁଳନାରେ ପାଞ୍ଚ ଗୁଣା ଅଧିକ ବୀମା ସୁବିଧା ପାଇପାରିବେ । ଉତ୍ତର ଚେନ୍ନାଇର ପେରମ୍ବୁରରେ ₹୩୦୦ କୋଟି ବ୍ୟୟରେ ୪୦୦ ଶଯ୍ୟା ବିଶିଷ୍ଟ ମଲ୍ଟିସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଦୁଗ୍ଧ ଚାଷୀଙ୍କ ପାଇଁ ମଧ୍ୟ ଘୋଷଣା ହୋଇଛି। ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ଅନେକ ସଦସ୍ୟ ସ୍ୱାଗତ କରିଥିବା ଜଣାପଡ଼ିଛି।
