ଦକ୍ଷିଣ ରାଜ୍ୟର ବଡ଼ ବୈଠକ ଡିଲିମିଟେସନ୍ ନେଇ ତେଜିଲା ଦାବି
ଦକ୍ଷିଣ ଭାରତର ରାଜନୀତିରେ ଆଜି ବଡ଼ ଚର୍ଚ୍ଚା । ତାମିଲନାଡୁର ମହାବଳୀପୁରମରେ ବସିଛି ୩୧ତମ Southern Zonal Council ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଡିଲିମିଟେସନ୍, କାବେରୀ ଜଳ ବଣ୍ଟନ, NEET ଓ କେନ୍ଦ୍ର-ରାଜ୍ୟ ସମ୍ପର୍କ ଭଳି ଅନେକ ବଡ଼ ପ୍ରସଙ୍ଗ ଉଠିଛି ।

ବୈଠକର ସବୁଠାରୁ ବଡ଼ ଚର୍ଚ୍ଚା ହୋଇଛି ଲୋକସଭା ସିଟ୍ ଡିଲିମିଟେସନ୍କୁ ନେଇ । କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ଦାବି—୧୯୭୧ ଜନଗଣନାକୁ ଆଧାର କରି ଡିଲିମିଟେସନ୍ କରାଯାଉ ଏବଂ ଆସନ୍ତା ୨୫ ବର୍ଷ ପାଇଁ ଲୋକସଭାର ୫୪୩ଟି ଆସନ ସଂଖ୍ୟା ଅପରିବର୍ତ୍ତିତ ରହୁ । ମହିଳା ସଂରକ୍ଷଣକୁ ମଧ୍ୟ ଏହି ୫୪୩ଟି ଆସନ ଭିତରେ ସମାଯୋଜିତ କରିବାକୁ ସେ ଦାବି କରିଛନ୍ତି ।
ବୈଠକରେ କାବେରୀ ଜଳ ବଣ୍ଟନ ପ୍ରସଙ୍ଗ ମଧ୍ୟ ପ୍ରମୁଖ ହୋଇଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ କାବେରୀ ଜଳ ପରିଚାଳନା ପ୍ରାଧିକରଣ ଓ ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ସମୟୋଚିତ ଭାବେ କାର୍ଯ୍ୟକାରୀ କରିବା ଉପରେ ଜୋର ଦେଇଛନ୍ତି । କର୍ଣ୍ଣାଟକର ମେକେଦାତୁ ପ୍ରକଳ୍ପକୁ ନେଇ ମଧ୍ୟ ଦୁଇ ରାଜ୍ୟ ମଧ୍ୟରେ ମତଭେଦ ରହିଛି । ତାମିଲନାଡୁ ପକ୍ଷରୁ NEETରୁ ରାଜ୍ୟକୁ ଛାଡ଼ ଦେବା ଦାବି ମଧ୍ୟ ଉଠିଛି । ମୁଖ୍ୟମନ୍ତ୍ରୀ ବିଜୟ ଯୁକ୍ତି ରଖିଛନ୍ତି ଯେ ଗ୍ରାମାଞ୍ଚଳ ଏବଂ ସାମାଜିକ-ଆର୍ଥିକ ଭାବେ ଦୁର୍ବଳ ଛାତ୍ରଛାତ୍ରୀଙ୍କ ପାଇଁ NEET ସମସ୍ୟା ସୃଷ୍ଟି କରୁଛି । ତେଣୁ ରାଜ୍ୟ କୋଟାର MBBS, BDS ଓ AYUSH ଆଡମିଶନ୍ ପାଇଁ ଦ୍ୱାଦଶ ଶ୍ରେଣୀ ମାର୍କକୁ ଆଧାର କରିବାକୁ ପ୍ରସ୍ତାବ ରଖାଯାଇଛି । ବୈଠକରେ ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ କେରଳର ନେତାମାନେ ଯୋଗ ଦେଇଥିଲେ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର, କେରଳର ଭି.ଡି. ସତୀଶନ ଓ ତେଲେଙ୍ଗାନାର ଉପମୁଖ୍ୟମନ୍ତ୍ରୀ ଭଟ୍ଟି ବିକ୍ରମାର୍କ ମଲ୍ଲୁଙ୍କ ସମେତ ବିଭିନ୍ନ ପ୍ରତିନିଧି ଉପସ୍ଥିତ ଥିଲେ । ଡିଲିମିଟେସନ୍ ଠାରୁ ଆରମ୍ଭ କରି ଜଳ ବଣ୍ଟନ, ଶିକ୍ଷା, ଭିତ୍ତିଭୂମି ଓ ରାଜ୍ୟଗୁଡ଼ିକର ଆର୍ଥିକ ଅଧିକାର ପର୍ଯ୍ୟନ୍ତ ଅନେକ ପ୍ରସଙ୍ଗରେ ଦକ୍ଷିଣ ରାଜ୍ୟଗୁଡ଼ିକ ନିଜ ମତ ରଖିଛନ୍ତି । ଅର୍ଥନୈତିକ ଅବଦାନ ଅନୁପାତରେ ରାଜନୈତିକ ପ୍ରତିନିଧିତ୍ୱ ଓ ନୀତି ନିର୍ଦ୍ଧାରଣରେ ଅଧିକ ଭୂମିକା ଦାବି ମଧ୍ୟ ଉଠିଛି । ତେବେ ଡିଲିମିଟେସନ୍ ଓ ଜଳ ବିବାଦକୁ ନେଇ ଦକ୍ଷିଣ ରାଜ୍ୟଗୁଡ଼ିକର ଆଭିମୁଖ୍ୟ ଆଗାମୀ ଦିନରେ କେନ୍ଦ୍ର-ରାଜ୍ୟ ସମ୍ପର୍କ ଉପରେ କି ପ୍ରଭାବ ପକାଇବ, ତାହା ଉପରେ ରହିଛି ନଜର । Southern Zonal Council ବୈଠକ ଦକ୍ଷିଣ ରାଜ୍ୟଗୁଡ଼ିକର ସାମୂହିକ ଦାବିକୁ ଜାତୀୟ ମଞ୍ଚରେ ଆହୁରି ଚର୍ଚ୍ଚାକୁ ଆଣିଛି ।
