ସିଜେପି ଆନ୍ଦୋଳନରେ ମୁଣ୍ଡ ଫଟାଇଥିଲେ- କେମିତି ଧରାପଡ଼ିଲେ ସ୍ୱତନ୍ତ୍ର ଭାରଦ୍ୱାଜ
ଦାବି କରିଥିଲେ ଯେ, ସିଜେପି ଆନ୍ଦୋଳନ ବେଳେ ସେ ସଞ୍ଜୟକୁମାରଙ୍କ ମୁଣ୍ଡ ଫଟାଇଦେଇଥିଲେ। ସଞ୍ଜୟଙ୍କ ମୁଣ୍ଡରେ ୬୦ଟି ଷ୍ଟିଚ୍ ପଡ଼ିଥିଲା। ଗମ୍ଭୀର ଆରୋପ ସତ୍ତ୍ୱେ ତାଙ୍କୁ ଜେଲ୍ ପଠାଗଲାନି। ତାଙ୍କୁ ରାତିତମାମ ବାହାରେ ରଖାଗଲା। ତାଙ୍କର ବଡ଼ ବଡ଼ ନେତାଙ୍କ ସହ ସିଧା ସମ୍ପର୍କ ଥିବାରୁ ପୁଲିସ ଜେଲ୍ ପଠାଇବାକୁ ସାହାସ କଲାନି ବୋଲି କହିଥିଲେ ସ୍ୱତନ୍ତ୍ର।

ୟୁପିର ବୁଲନ୍ଦସରରେ ଧରାପଡ଼ିଲେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭାରଦ୍ୱାଜ। ସିଜେପି ଆନ୍ଦୋଳନରେ ସିଜେପି କାର୍ଯ୍ୟକର୍ତ୍ତା ନିଶୁ ଆଜାଦଙ୍କ ବାପାଙ୍କୁ ପିଟିଥିଲେ ସ୍ୱତନ୍ତ୍ର। ଶୁକ୍ରବାର ନୂଆ ଦିଲ୍ଲୀର ସଂସଦ ମାର୍ଗ ଥାନା ବାହାରେ ସିଜେପି ସମର୍ଥକ ଆନ୍ଦୋଳନ କରିଥିଲେ। ସ୍ୱତନ୍ତ୍ର ଭାରଦ୍ୱାଜଙ୍କ ବିରୁଦ୍ଧରେ କଠୋର ଦଫା ଲଗାଇ ଗିରଫ ଦାବି କରିଥିଲେ ସିଜେପି ସମର୍ଥକ। ପୁଲିସ ବି ୭୨ ଘଣ୍ଟା ଭିତରେ ଗିରଫ କରିବାକୁ ଭରସା ଦେଇଥିଲା। ସ୍ୱତନ୍ତ୍ରକୁ ଗିରଫ କରି ତାଙ୍କ ବିରୁଦ୍ଧରେ ଏସସିଏସଟି ଆକ୍ଟରେ ମାମଲା ରୁଜୁ ହୋଇଛି। ନିଶୁଙ୍କ ବାପାଙ୍କ ଉପରେ ଜନ୍ତରମନ୍ତରରେ ଚାଲିଥିବା ପ୍ରୋଟେଷ୍ଟ ବେଳେ ସ୍ୱତନ୍ତ୍ର ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡ ଫଟାଇଦେଇଥିଲେ। ଏକ ପଡକାଷ୍ଟ ସାକ୍ଷାତକାରରେ ନିଶୁଙ୍କ ବାପା ସଞ୍ଜୟ କୁମାରଙ୍କ ମୁଣ୍ଡ ଫଟାଇଦେଇଥିବା କହିଥିଲେ ସ୍ୱତନ୍ତ୍ର। ଭିଡ଼ିଓରେ ସ୍ୱତନ୍ତ୍ର ଦାବି କରିଥିଲେ ଯେ, ସିଜେପି ଆନ୍ଦୋଳନ ବେଳେ ସେ ସଞ୍ଜୟକୁମାରଙ୍କ ମୁଣ୍ଡ ଫଟାଇଦେଇଥିଲେ। ସଞ୍ଜୟଙ୍କ ମୁଣ୍ଡରେ ୬୦ଟି ଷ୍ଟିଚ୍ ପଡ଼ିଥିଲା। ଗମ୍ଭୀର ଆରୋପ ସତ୍ତ୍ୱେ ତାଙ୍କୁ ଜେଲ୍ ପଠାଗଲାନି। ତାଙ୍କୁ ରାତିତମାମ ବାହାରେ ରଖାଗଲା। ତାଙ୍କର ବଡ଼ ବଡ଼ ନେତାଙ୍କ ସହ ସିଧା ସମ୍ପର୍କ ଥିବାରୁ ପୁଲିସ ଜେଲ୍ ପଠାଇବାକୁ ସାହାସ କଲାନି ବୋଲି କହିଥିଲେ ସ୍ୱତନ୍ତ୍ର। ଏ ବଡ଼ ନେତାଙ୍କ ଭିତରେ ସେ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶଓ୍ୱାନଙ୍କ ନାଁ ନେଇଥିଲେ। ତାଙ୍କ ନାଁର ଅପବ୍ୟବହାର ଓ ଜନତାଙ୍କ ଭିତରେ ଭ୍ରମ ପ୍ରଚାରିତ କରୁଥିବାରୁ ପାଶଓ୍ୱାନଙ୍କ ଦଳ ସ୍ୱତନ୍ତ୍ରଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଇଥିଲା। ଚିରାଗ ପାଶଓ୍ୱାନ ବି କହିଥିଲେ, ସ୍ୱତନ୍ତ୍ରଙ୍କ ଏଭଳି ଗୁଣ୍ଡାଗର୍ଦ୍ଦି ବରଦାସ୍ତ କରାଯିବନି। ପୀଡ଼ିତଙ୍କୁ ନିଶ୍ଚିତ ନ୍ୟାୟ ମିଳିବ। ସାର୍ବଜନୀକ ଭାବେ ଅନେକ ଲୋକ ତାଙ୍କୁ ଭେଟିବାକୁ ଆସନ୍ତି। କିନ୍ତୁ କୌଣସି ଭେଟଘାଟ ଆଧାରରେ ସେ ତାଙ୍କର ଖାସ୍ ଥିଲେ ବା ବ୍ୟକ୍ତିଗତ ପରିଚିତ ବୋଲି କହି ତାଙ୍କ ନାଁର ଦୁରୁପଯୋଗ କରାଯାଇଛି। ସେ ନିଜେ ଦଳିତ ଛାତ୍ରୀଙ୍କ ପିତାଙ୍କୁ ନ୍ୟାୟ ଦେବାକୁ ଉତ୍ତରଦାୟିତ୍ୱ ନେଉଛନ୍ତି ବୋଲି କଥା ଦେଇଥିଲେ ପାଶଓ୍ୱାନ। ଦିଲ୍ଲୀର ବିଜେପି ନେତା କପିଲ ମିଶ୍ରାଙ୍କ ନାଁ ବି ଧରିଥିଲେ ସ୍ୱତନ୍ତ୍ର। ଯିଏ ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ଅଭିଯୁକ୍ତ ଥିଲେ। କପିଲ ମିଶ୍ରା ତାଙ୍କୁ ରକ୍ଷା କରିଦେଇଥିଲେ। ସିଜେପି ମୁଖପାତ୍ର ସୌରଭ ଦାସ କହିଥିଲେ, ସଞ୍ଜୟଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଥିବା ସତ୍ତ୍ୱେ ପୁଲିସ କାହିଁକି ହତ୍ୟା ଉଦ୍ୟମ ସମ୍ୱନ୍ଧିତ ୩୦୭ ଧାରା ଲଗାଇଲାନି। ବିବାଦ ବଢ଼ିବା ପରେ ଗୁରୁବାର ଦିଲ୍ଲୀ ପୁଲିସ କହିଥିଲା, ଗଣ୍ଡଗୋଳ ଓ ଧସ୍ତାଧସ୍ତି ବେଳେ ୩୮ ବର୍ଷୀୟ ସଞ୍ଜୟଙ୍କ ମୁଣ୍ଡ ଫାଟିଥିଲା। ତାଙ୍କର ମୁଣ୍ଡରେ କୌଣସି ଫ୍ରାକଚର ହୋଇନଥିବା ଦାବି କରିଥିଲା ପୁଲିସ। ହେଲେ ଏହା ରାଜନୈତିକ ତାତିକୁ ଖୋରାକ ଯୋଗାଇଲା ଯେତେବେଳେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିଶୁ ଆଜାଦଙ୍କ ସମର୍ଥନରେ ଏକ୍ସ-ରେ ପୋଷ୍ଟ କରିଥିଲେ। ନିଶୁ ଓ ତାଙ୍କ ପରିବାର ଦଳିତ ହେତୁ ତାଙ୍କୁ ଟାର୍ଗେଟ କରାଗଲା ବୋଲି ଆରୋପ ଲଦିଥିଲେ ରାହୁଲ। ଦିଲ୍ଲୀ ପୁଲିସ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଜବାବ ମାଗିଥିଲେ। ଆକ୍ରମଣକାରୀ ଖୋଲା ବୁଲୁଛି। ତାଙ୍କୁ କାହାର ରାଜନୀତିକ ସଂରକ୍ଷଣ ମିଳୁଛି ବୋଲି ପଚାରିଥିଲେ। ଭାଇରାଲ ପଡକାଷ୍ଟକୁ ନେଇ ଶୁକ୍ରବାର ନିଜର ପକ୍ଷ ପରିବର୍ତ୍ତନ କରିଦେଇଥିଲେ ସ୍ୱତନ୍ତ୍ର। ସେ କହିଥିଲେ, ଦଳିତ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିବାରୁ ସେ ଆତ୍ମରକ୍ଷା ଲାଗି ଏଭଳି ପଦକ୍ଷେପ ନେଲେ। ପୁଲିସ ଗିରଫଦାରିରୁ ବର୍ତ୍ତିବାକୁ ବିହାରର ମୂଳବାସିନ୍ଦା ସ୍ୱତନ୍ତ୍ର ଭାରଦ୍ୱାଜ ଶୁକ୍ରବାର ବୁଲନ୍ଦସରର ନୈଥଲା ଗାଁରେ ପହଞ୍ଚିଥିଲା। ସେଠାରେ ହରିଶଙ୍କର ଶର୍ମା ନାମକ ଜଣେ କ୍ୟାବ୍ ଡ୍ରାଇଭର ଘରେ ରହିଥିଲା। କ୍ୟାବ୍ ଡ୍ରାଇଭର ସହ ଆଗରୁ ପରିଚିତ ଥିଲା। ହରିଶଙ୍କରଙ୍କ କହିବା କଥା, ଭାରଦ୍ୱାଜ ସକାଳେ ତାଙ୍କ ଜଣେ ସାଥୀ ସହ ତାଙ୍କ ଘରକୁ ଆସିଥିଲେ। ଦ୍ୱିପ୍ରହରରେ ଯେବେ ମିଡିଆକର୍ମୀ ଗାଁରେ ପହଞ୍ଚିଲେ, ଭାରଦ୍ୱାଜ ତାଙ୍କଠୁ ବାଇକ୍ ମାଗି ୫ ମିନିଟ ଭିତରେ ଫେରିବି କହି ବାହାରିଯାଇଥିଲେ। ଆଉ ଦ୍ୱିପ୍ରହର ୨ଟା ବେଳେ ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ ଟିମ୍ ସାଦା ପୋଷାକରେ ଗାଁରେ ପହଞ୍ଚିଥିଲେ। ଭାରଦ୍ୱାଜଙ୍କୁ ଧମେଡ଼ା ନାରାଗାଁରୁ ଗିରଫ କରିଥିଲା। ନିଶୁଙ୍କୁ ଧମକ ଓ ଉତ୍ପୀଡ଼ନ ମାମଲାରେ ବି ସ୍ୱତନ୍ତ୍ରଙ୍କ ବିରୁଦ୍ଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି ପୁଲିସ।
