ସପ୍ତାହକରେ ୩ଟି ମାମଲା- ହତ୍ୟା ମାମଲାର ଦୋଷୀଙ୍କୁ ମୁକ୍ତ କଲେ ସୁପ୍ରିମକୋର୍ଟ..
ତଳ କୋର୍ଟର ଫୈସଲାକୁ ରଦ୍ଦ କରିଦେଲେ ସୁପ୍ରିମକୋର୍ଟ। ଗୋଟିଏ ଅପହରଣ ଓ ହତ୍ୟା ମାମଲା ସହ ଜଡ଼ିତ ମୁଦ୍ଦା ଥିଲା ବେଳେ ଦ୍ୱିତୀୟ ମାମଲା ଦୁଷ୍କର୍ମ ଓ ତୃତୀୟ ମାମଲା ମର୍ଡର କେସ୍। ତିନୋଟି ଯାକ ମାମଲାରେ ପ୍ରମାଣ ଅଭାବରୁ ଅଭିଯୁକ୍ତଙ୍କ ମୁକ୍ତି ସବୁଠୁ ବଡ଼ ଆଧାର ସାଜିଲା।

ଗୋଟିଏ ସପ୍ତାହରେ ତିନୋଟି ମାମଲାରେ ବଦଳିଲା ରାୟ। ହତ୍ୟା ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେଲା। ତଳ କୋର୍ଟର ଫୈସଲାକୁ ରଦ୍ଦ କରିଦେଲେ ସୁପ୍ରିମକୋର୍ଟ। ଗୋଟିଏ ଅପହରଣ ଓ ହତ୍ୟା ମାମଲା ସହ ଜଡ଼ିତ ମୁଦ୍ଦା ଥିଲା ବେଳେ ଦ୍ୱିତୀୟ ମାମଲା ଦୁଷ୍କର୍ମ ଓ ତୃତୀୟ ମାମଲା ମର୍ଡର କେସ୍। ତିନୋଟି ଯାକ ମାମଲାରେ ପ୍ରମାଣ ଅଭାବରୁ ଅଭିଯୁକ୍ତଙ୍କ ମୁକ୍ତି ସବୁଠୁ ବଡ଼ ଆଧାର ସାଜିଲା। ଗୋଟିଏ ସପ୍ତାହରେ ଏମିତି ତୃତୀୟ ଥର ହେଲା, ଯେଉଁଠି ତଳକୋର୍ଟରେ ସଜ୍ଜା ପାଇଥିବା ଅଭିଯୁକ୍ତଙ୍କୁ ଖଲାସ କରିଦେଲେ ସୁପ୍ରିମକୋର୍ଟ। ସର୍ବୋଚ୍ଚ ଅଦାଲତ ତଦନ୍ତ ଏଜେନ୍ସିର ତ୍ରୁଟିକୁ ଧରିଥିଲେ। ତଦନ୍ତ ଥିଓରୀରେ ବଳିଷ୍ଠ ତଥ୍ୟ ପାଇଲେନି। ଯାହା ଜରିଆରେ ଅଭିଯୁକ୍ତଙ୍କୁ ଅପରାଧ ସହ ଯୋଡ଼ାଯାଇଥିଲା। ୨୦୧୨ରେ ତେଲେଙ୍ଗାନାର ଜଣେ ବ୍ୟକ୍ତିଙ୍କ ଅପହରଣ ହୋଇଥିଲା। ଅପହରଣକାରୀ ୨୩ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ। ହେଲେ ଅପହର୍ତ୍ତାଙ୍କ ବାପା କେବଳ ଦେଢ଼ ଲକ୍ଷ ଟଙ୍କା ଦେଇପାରିଥିଲେ। ଏଥିରେ କ୍ଷୁବ୍ଧ ଅପହରଣକାରୀ ତାକୁ ମାରିଦେଲେ। ଆଉ ଶବକୁ ଏକ ଫ୍ଲାଟରେ ଥିବା ଫ୍ରିଜରେ ରଖିଦେଲେ। ତେବେ ଏ ମାମଲାର ଶୁଣାଣୀ ବେଳେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଛି। ଏହାରି ଭିତରେ ଟ୍ରାଏଲ କୋର୍ଟ ବାକି ୫ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ। ତେଲେଙ୍ଗାନା ହାଇକୋର୍ଟ ପ୍ରମାଣର ସମୀକ୍ଷା ପରେ ୪ଜଣଙ୍କୁ ଦୋଷମୁକ୍ତ କରି ଛାଡ଼ିଦେଲେ ଓ ଜଣକୁ ଦୋଷୀ ସାବ୍ୟସ୍ତ କଲେ। ହେଲେ ଏଭଳି ଅପହରଣ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ନିଜ ଆଦେଶରେ କହିଲେ, ଗଳା ଚିପି ହତ୍ୟା କରିବାର ଶବବ୍ୟବଛେଦ ରିପୋର୍ଟ ଓ ଶବ ଠାବ ବ୍ୟତୀତ ଅଭିଯୁକ୍ତ ହତ୍ୟାରେ ସଂପୃକ୍ତ ଥିବାର କୌଣସି ଠୋସ୍ ପ୍ରମାଣ ନାହିଁ। ଜଷ୍ଟିସ ଜେବି ପର୍ଦ୍ଦିଓ୍ୱାଲା ଓ କେ.ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଦୋଷସିଦ୍ଧି ଓ ସଜ୍ଜାକୁ ରଦ୍ଦ କରି କହିଛନ୍ତି ଯେ, ଅଟୋପ୍ସି ରିପୋର୍ଟରେ ଏହା ପ୍ରମାଣିତ ଯେ, ପୀଡ଼ିତଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ଓ ଗଳା ଚିପିବାରୁ ହୋଇଛି। ଶବକୁ ବି ଆପାର୍ଟମେଣ୍ଟର ଭିତରେ ଫ୍ରିଜରେ ଲୁଚାଇ ରଖାଯାଇଥିଲା। କିନ୍ତୁ ଏହା ବ୍ୟତୀତ ୬ ଅଭିଯୁକ୍ତଙ୍କୁ ହତ୍ୟା ବା ସେହି ଫ୍ଲାଟ୍ ସହ ଯୋଡ଼ିବା ଭରସାଯୋଗ୍ୟ କୌଣସି ପ୍ରମାଣ ନାହିଁ। ଦ୍ୱିତୀୟ ମାମଲାରେ ଏକ ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ଦୋଷୀକୁ ମୁକ୍ତ କରିଛନ୍ତି। ସ୍ନାକ୍ସର ପ୍ରଲୋଭନ ଦେଇ ଜଣେ ପୁଅକୁ ଦୁଷ୍କର୍ମ କରାଯାଇଥିଲା। ଅଭିଯୁକ୍ତକୁ ଅମ୍ୱାଲା ଅଦାଲତ ମାର୍ଚ୍ଚ ୨୦୦୭ରେ ଅପ୍ରାକୃତିକ ଯୌନସମ୍ୱନ୍ଧ ଓ ହତ୍ୟା ଅପରାଧରେ ଏପ୍ରିଲ ୨୦୧୦ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲର ସଜ୍ଜା ଶୁଣାଇଥିଲେ। ପଞ୍ଜାବ ଓ ହରିଆଣା ହାଇକୋର୍ଟ ଅକ୍ଟୋବର ୨୦୨୨ରେ ତାହାର ଅପିଲ୍ ଖାରଜ କରିଦେଇଥିଲେ। ଜଷ୍ଟିସ ସଞ୍ଜୟ କୁମାର ଓ ଜଷ୍ଟିସ ସଞ୍ଜୀବ ସଚ୍ଚଦେବାଙ୍କ ଖଣ୍ଡପୀଠ କହିଥିଲେ, ଅଭିଯୁକ୍ତର ଅଣ୍ଡରଗାର୍ମେଣ୍ଟରୁ ମିଳିଥିବା ସିମେନର ଡିଏନଏ ଟେଷ୍ଟ କରିବାରେ ପୁଲିସ ବିଫଳ ହୋଇଥିଲା। ପୀଡ଼ିତଙ୍କ ଅଣ୍ଡରଗାର୍ମେଣ୍ଟସରୁ ନିଆଯାଇଥିବା ରେକ୍ଟଲ ସ୍ୱାବ୍ ସହ ମେଳ କରାଯାଇଥାଆନ୍ତା। ଶେଷ ଥର ପୀଡ଼ିତ ସହ ଅଭିଯୁକ୍ତ ଦେଖାଯାଇଥିବା ସନ୍ଦେହର ଥିଓରୀରେ ଦୋଷୀ କରାଯାଇପାରିବନି। କୋର୍ଟ ସେ ବ୍ୟକ୍ତିକୁ ଦୋଷମୁକ୍ତ କରିଛନ୍ତି। ଯିଏ ୧୭ ବର୍ଷ ଜେଲରେ କାଟିଥିଲେ। ଏ ମାମଲାର ଅନ୍ତ ବେଶ୍ ଦୁଃଖଦ ରହିଲା। କାରଣ ଜଣେ ବ୍ୟକ୍ତି ଏଭଳି ଅପରାଧରେ ନିଜର ଛୋଟ ପୁଅକୁ ହରାଇଦେଲେ ଯେଉଁ ମାମଲାରେ କାହାକୁ ବି ସଜ୍ଜା ମିଳିଲାନି। ଆଉ ସେପଟେ ଭୁଲରେ ଦୋଷୀ ସଜାଇ ଜଣେ ବ୍ୟକ୍ତି ଜୀବନର ୧୭ ବର୍ଷ ମୂଲ୍ୟବାନ ସମୟ ଜେଲରେ ଚାଲିଗଲା। ତୃତୀୟ ମାମଲା ବିହାରରେ ୨୫ ବର୍ଷ ପୁରୁଣ ଏକ ମର୍ଡର ମାମଲାର। ଏଥିରେ ଟ୍ରାଏଲ କୋର୍ଟ ଓ ପାଟନା ହାଇକୋର୍ଟ ୬ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଜଷ୍ଟିସ ପର୍ଦ୍ଦିଓ୍ୱାଲା ଓ ଜଷ୍ଟିସ ଚନ୍ଦ୍ରନଙ୍କ ଖଣ୍ଡପୀଠ ଦୋଷୀଙ୍କୁ ନିର୍ଦୋଷ ସାବ୍ୟସ୍ତ କରି ପ୍ରମାଣ ଅଭାବରୁ ଓ ସାକ୍ଷୀଙ୍କ ବୟାନରେ ଭରସାଯୋଗ୍ୟ ନଥିଲା।
