Bhagirathi Mandangi Murder Case: ଏନ ଭାସ୍କର ରାଓଙ୍କ ଜାମିନ ସୁପ୍ରିମକୋର୍ଟରେ ଖାରଜ
୧୬ ବର୍ଷର ନ୍ୟାୟିକ ଲଢ଼େଇରେ ବଡ଼ ମୋଡ଼ ! ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲାରେ ଏନ୍. ଭାସ୍କର ରାଓଙ୍କ ସମେତ ଅଭିଯୁକ୍ତଙ୍କ ଜାମିନ ଖାରଜ କଲେ ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟଙ୍କ କଡ଼ା ନିଷ୍ପତ୍ତି | ବହୁଚର୍ଚ୍ଚିତ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ସମେତ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟ ପକ୍ଷରୁ ପ୍ରଦାନ କରାଯାଇଥିବା ସର୍ତ୍ତମୂଳକ ଜାମିନ ଆଦେଶର ପୁନର୍ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏଥିସହ ଅଭିଯୁକ୍ତମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ କୋର୍ଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ମିଳିଛି। ସୂଚନା ଅନୁଯାୟୀ, ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ଘଟଣାକୁ ନେଇ ୨୦୧୦ ଡିସେମ୍ବର ୨୩ ତାରିଖରେ ରାୟଗଡ଼ା ଜିଲ୍ଲାରେ ମାମଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏହାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। ଏହାପରେ କଟକ ସିଆଇଡି ଥାନାରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଅଭିଯୁକ୍ତମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ହାଇକୋର୍ଟ ୨୦୨୬ ଜାନୁଆରୀ ୨୨ ତାରିଖରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ତେବେ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ଭାଗିରଥୀଙ୍କ ଭାଇ ଜଗନ୍ନାଥ ମାଣ୍ଡାଙ୍ଗି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ମାମଲାର ବିଚାର କରି ସୁପ୍ରିମକୋର୍ଟ ଜାମିନ ଖାରଜ କରିବା ସହ ଅଭିଯୁକ୍ତ ଏନ୍. ଭାସ୍କର ରାଓ, କେ. କ୍ରିଷ୍ଣା ରାଓ, ଆଦି ନାରାୟଣ, ଇପିଲି ରାଜୁ ଓ ପି. ଦିଲ୍ଲୀପ କୁମାରଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ମାମଲାର ଅଭିଯୁକ୍ତ ୟେଲା ଏଙ୍କେଟେଶ୍ୱର ରାଓଙ୍କର କିଛି ମାସ ପୂର୍ବରୁ ମୃତ୍ୟୁ ହୋଇସାରିଛି। ସୁପ୍ରିମକୋର୍ଟଙ୍କ ଏହି ରାୟକୁ ସ୍ୱାଗତ କରିଛନ୍ତି ସ୍ୱର୍ଗତ ଭାଗିରଥୀ ମାଣ୍ଡାଙ୍ଗିଙ୍କ ପରିବାର। ଏକ ସାମ୍ବାଦିକ ସମ୍ମିଳନୀରେ ପରିବାର ପକ୍ଷରୁ ଏହାକୁ ଆଦିବାସୀ ମହାସଂଘର ଦୀର୍ଘ ୧୬ ବର୍ଷର ନ୍ୟାୟିକ ଲଢ଼େଇର ବିଜୟ ବୋଲି ଅଭିହିତ କରାଯାଇଛି। ଏହି ରାୟ ପରେ ରାୟଗଡ଼ା ଜିଲ୍ଲାରେ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି।
