Cyclone Arnab Effect: ଥମୁନି ବର୍ଷା, ବଢ଼ୁଛି ନଦୀ ଜଳସ୍ତର; ଚିନ୍ତାରେ ଗଞ୍ଜାମବାସୀ
ଗଞ୍ଜାମରେ ବନ୍ୟା ଆଶଙ୍କା , ଜଳମଗ୍ନ ଗାଁ ଓ ରାସ୍ତା। ଆସିକା, ଧରାକୋଟ ଓ ଶେରଗଡ଼ରେ ବଢ଼ୁଛି ବିପଦ, ଅନେକ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ। ଲଗାଣ ବର୍ଷାକୁ ନେଇ ଲୋକଙ୍କ ମନରେ ଛନକା |
ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଲାଗି ରହିଛି । ଏହାରି ପ୍ରଭାବ ଯୋଗୁଁ ଗତକାଲି ସଂଧ୍ୟାରେ ହରଭଙ୍ଗୀ ଜଳସେଚନ ଡିଭିଜନ ଗୋକୁଳପୁର ବ୍ୟାରେଜରୁ ସୋରଡା ପଦ୍ମା ନଦୀକୁ ପ୍ରାୟ ୫ ଶହ କ୍ୟୁସେକ୍ ଜଳ ନିଷ୍କାସନ କରାଯାଇଥିଲା । ଏହି ଜଳ ନିଷ୍କାସନ ଯୋଗୁଁ ଋଷିକୂଲ୍ୟା ନଦୀ ଏବଂ ବଡନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆସିକା ସହରର ସୁନାମ ସାହି, ଲାଲାଗୋର୍ଜି ,ଖମ୍ବେଶ୍ବରୀ ପାଟଣା ଏବଂ କଳିଙ୍ଗରୋଡରେ ନଦୀ ଜଳ ପ୍ରବାହିତ ହେଉଛି । ସେପଟେ ଆସିକା - ଵ୍ରହ୍ମପୁର ମୁଖ୍ୟ ରାସ୍ତା, ଆସିକା ସୋରଡା ମୁଖ୍ୟ ରାସ୍ତା , ଆସିକା ଶେରଗଡ ଏବଂ ଆସିକା କଲେଜ ଛକକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଗତକାଲି ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଲଗାଣ ବର୍ଷା ବନ୍ଦ ହେବାର ନାମ ନେଉନଥିବା ରିପୋର୍ଟରୁ ଜଣାପଡିଛି | ବନ୍ୟା ଜଳ ପ୍ରବାହିତ ହେବା ଯୋଗୁଁ ଲୋକଙ୍କ ମନରେ ଭୟର ବାତାବରଣ ଦେଖାଦେଇଛି । ସେପଟେ ଧରାକୋଟ ବ୍ଲକରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହୋଇଥିବା ବେଳେ ଦଶମାଇଲି, ପୁଟୁ, ନନ୍ଦିଘୋର, ତାଳପାଟଣା , ବରିଡାବିଲି ଏବଂ ହରିପୁର , କୁଶପଡା, ଲକ୍ଷ୍ମୀପୁର, ଜାହାଡା ସିଙ୍ଗିପୁର ଗାଁ ଯୋଗାଯୋଗ ଵିଛିନ୍ନ ହୋଇଛି । ଆସିକା ବ୍ଲକର ଗଙ୍ଗାପୁର, ଭାଲିଆପଲ୍ଲି ,ଏବଂ ରେଡିଦାମୋଦରପଲ୍ଲି ଗାଁରେ ବନ୍ୟା ଜଳ ପ୍ରବାହିତ ହେଉଛି । ସରକାରୀ ସ୍ଥାନୀୟ ପ୍ରଶାସନ ସୂଚନା ଅନୁଯାୟୀ ଆସିକା ଋଷିକୂଲ୍ୟା ନଦୀରେ ୧୪ ଫୁଟ ଜଳସ୍ତର ଓ ବଡନଦୀରେ ୧୧ ଫୁଟ ଜଳସ୍ତରବୃଦ୍ଧି ପାଇଛି । ପ୍ରବଳ ବର୍ଷ ନଦୀର ଜଳସ୍ତର ବଢିବା ଲାଗିଛି | ଏହା ସହିତ ଜଳସ୍ତର ବଢିବା ଯୋଗୁଁ ଆଖପାଖ ଗାଁରେ ବନ୍ୟା ପାଣି ପଶିଛି | ଆସିକା ବ୍ଲକ ବେଣାପାଟ ପଞ୍ଚାୟତ କେଶପୁର ଗ୍ରାମରେ ପ୍ରବଳ ବର୍ଷା ଯୋଗୁଁ ଗ୍ରାମବାସୀଙ୍କ ଘର ଭାଙ୍ଗି ଥିବା ଜଣାପଡିଛି । ହିଞ୍ଜିଳୀକାଟୁ ବ୍ଲକର ବୁରୁପଡା ଓ ପୋଡିଙ୍ଗି ରାସ୍ତାରେ ଘୋଡାହାଡ ନଦୀ ଜଳ ପ୍ରବାହିତ ହୋଇ ବନ୍ୟା ସୃଷ୍ଟି ହୋଇଛି । ଶେରଗଡ ସହର ଏବଂ ତାକରଡା ଗାଁରେ ନଦୀ ଜଳ ବୁଡାଇ ଵନ୍ୟା ସୃଷ୍ଟି ହୋଇଛି । ଧରାକୋଟ ବ୍ଲକ ରେଡି ଦାମୋଦରପଲ୍ଲି ଗାଁରେ ବନ୍ୟା ଜଳ ପଶି ବନ୍ୟା ସୃଷ୍ଟି ହୋଇଛି ।
