Jagannath Temple : ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ବଡ଼ ପଦକ୍ଷେପ! ଆସୁଛି ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା
ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ହେବ ଅଧିକ ସୁଗମ ଓ ସୁରକ୍ଷିତ ଦର୍ଶନ!

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ସୁବିଧା, ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନକୁ ପ୍ରାଥମିକତା ଦେଇ ପୁରୀ ଶ୍ରୀମନ୍ଦିରରେ ନିର୍ମାଣାଧୀନ ସ୍ୱତନ୍ତ୍ର ଧାଡ଼ି ଦର୍ଶନ ବ୍ୟବସ୍ଥାର ଅଗ୍ରଗତି ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକସନ୍ କର୍ପୋରେସନ୍ (OBCC) ପକ୍ଷରୁ ଚାଲିଥିବା ଏହି ପ୍ରକଳ୍ପର ନିର୍ମାଣସ୍ଥଳ ପରିଦର୍ଶନ କରି ମନ୍ତ୍ରୀ ଭିତ୍ତିଭୂମି ବିକାଶ ଓ ବ୍ୟାରିକେଡ୍ ନିର୍ମାଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉଚ୍ଚ ଗୁଣବତ୍ତା ବଜାୟ ରଖି କାର୍ଯ୍ୟ ସମ୍ପନ୍ନ କରିବା ଉପରେ ସେ ଗୁରୁତ୍ୱାରୋପ କରିବା ସହ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରି ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।
ଶ୍ରୀମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଭକ୍ତ ଯେପରି ସୁଗମ, ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ମହାପ୍ରଭୁଙ୍କ ଦର୍ଶନ ଲାଭ କରିପାରିବେ, ସେଥିପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଏହି ସ୍ୱତନ୍ତ୍ର ଧାଡ଼ି ଦର୍ଶନ ବ୍ୟବସ୍ଥା ଭକ୍ତଙ୍କ ଦର୍ଶନ ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ କରିବା ସହ ଶ୍ରୀମନ୍ଦିରରେ ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କ ସୁରକ୍ଷାକୁ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
