Cyclone Arnab:୧୭ ଜିଲ୍ଲା ପ୍ରଭାବିତ, ଜିରୋ କାଜୁଆଲିଟି ଲକ୍ଷ୍ୟରେ ଓଡ଼ିଶା
ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଓଡ଼ିଶାରେ ହାଇଆଲର୍ଟ ! ୧୭ ଜିଲ୍ଲା ପ୍ରଭାବିତ, ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ। ଆଗାମୀ ରାତି ଉପରେ ପ୍ରଶାସନର ନଜର, ବାତ୍ୟା ପରେ ହେବ କ୍ଷୟକ୍ଷତିର ଆକଳନ।
ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ଓ ଶତପ୍ରତିଶତ ସତର୍କତା ଯୋଗୁଁ ଏଯାଏଁ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ ହୋଇଛି। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ଆଗାମୀ ଗୋଟିଏ ରାତି ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଥିବା ବେଳେ ବାତ୍ୟାର ପ୍ରଭାବ ହ୍ରାସ ପରେ କ୍ଷୟକ୍ଷତିର ପ୍ରକୃତ ଆକଳନ କରାଯିବ।
ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଓ ପବନ ଜାରି ରହିଛି। ରାଜ୍ୟର ୧୭ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ଗଜପତି, ଗଞ୍ଜାମ ଓ କନ୍ଧମାଳରେ ଅଧିକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଏଯାଏଁ ହାରାହାରି ୨୦୫ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ରାୟଗଡ଼ାରେ ସର୍ବାଧିକ ୨୨୮ ମିଲିମିଟର ବର୍ଷା ହୋଇଛି।
ମୁତୟନ ହୋଇଥିଲେ ୬୦୦ରୁ ଅଧିକ ଉଦ୍ଧାରକାରୀ ଟିମ୍
ବାତ୍ୟା ମୁକାବିଲା ପାଇଁ ୭ ଜଣ ଆଇଏଏସ୍ ଅଧିକାରୀ ଓ ୮ ଜଣ ମନ୍ତ୍ରୀ ବିଭିନ୍ନ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏଥିସହ ୩୧୩ଟି ରେସ୍ପନ୍ସ ଟିମ୍, ୬୦ଟି ଓଡ୍ରାଫ୍ ଟିମ୍, ୯ଟି ଏନ୍ଡିଆର୍ଏଫ୍ ଟିମ୍ ଓ ୨୪୪ଟି ଅଗ୍ନିଶମ ଟିମ୍ ମୁତୟନ କରାଯାଇଥିଲା।ଲୋକଙ୍କ ସୁରକ୍ଷା ପାଇଁ ୨,୦୩୭ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଥିବା ବେଳେ ୬୩୪ଟି ରିଲିଫ୍ କ୍ୟାମ୍ପରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ସେହିପରି ୨,୨୪୫ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୯୩୧ ଜଣ ଶିଶୁ ଜନ୍ମ ନେଇଛନ୍ତି। ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ୧୯,୧୪୩ଟି ଡଙ୍ଗା ମଧ୍ୟ ସୁରକ୍ଷିତ ଭାବେ କୂଳକୁ ଫେରିଛି।
ରିଲିଫ୍ ପାଇଁ ୧୯ କୋଟି ଟଙ୍କା ଯୋଗାଣ
କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକରେ ରିଲିଫ୍ ସାମଗ୍ରୀ ଭାବେ ଚୁଡ଼ା, ଗୁଡ଼ ଓ ତାରପୋଲିନ୍ ଯୋଗାଇ ଦିଆଯାଇଛି। ଏଥିସହ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ୧୯ କୋଟି ଟଙ୍କା ଯୋଗାଇ ଦିଆଯାଇଛି।ମାଲକାନଗିରିରେ ପୂର୍ବ ଆକଳନ ଅନୁଯାୟୀ ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ। ସେଠାରେ ସ୍ଥିତି ସ୍ୱାଭାବିକ ରହିଥିବା ବେଳେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ସ୍ଥିତି ଉପରେ ନଜର ରଖିଛନ୍ତି। ତଳିଆ ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ପମ୍ପର ବ୍ୟବସ୍ଥା କରାଯାଇଛି। ବାତ୍ୟା ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ସହ କେନ୍ଦ୍ର ସରକାର ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ନିୟମିତ ଯୋଗାଯୋଗ ରଖାଯାଇଥିଲା।
ଆଗାମୀ ରାତି ଉପରେ ନଜର
ଏଯାଏଁ ଭୂସ୍ଖଳନର କୌଣସି ଖବର ମିଳିନାହିଁ। କେତେକ ସ୍ଥାନରେ ପୋଲ ଉପରେ ପାଣି ଚାଲୁଥିବା ଖବର ଆସିଥିଲେ ମଧ୍ୟ କୌଣସି ରାସ୍ତା ବିଚ୍ଛିନ୍ନ ହୋଇନାହିଁ। ବର୍ତ୍ତମାନ ପ୍ରଶାସନର ନଜର ଆଗାମୀ ଗୋଟିଏ ରାତିର ସ୍ଥିତି ଉପରେ ରହିଛି। ବାତ୍ୟାର ପ୍ରଭାବ କମିବା ପରେ ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ଆକଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
