ନବୀନ ନିବାସ ବନ୍ଦ- ଖୋଲିବ ଶଙ୍ଖଭବନରେ ସୁଜାତାଙ୍କ ଦରବାର!
ବ୍ୟାକଡୋରରେ କ୍ଷମତା ଓ ପତିଆରା ପୂର୍ବଭଳି ପାଣ୍ଡିଆନ ଦେଖାଇବେ। ଆଉ ଜରିଆ ସାଜିବେ ସୁଜାତା ରାଉତ। ଏଭଳି ଆଶଙ୍କାକୁ ନେଇ ବିଜେଡିର ବରିଷ୍ଠ ନେତାଙ୍କ ଭିତରେ ଭାଳେଣି ପଡ଼ିଲାଣି। ବଦ୍ରି, ରାଜା, ପ୍ରସନ୍ନ, ଭୁପିନ୍ଦରଙ୍କ ଭଳି ଅନେକ ନେତା ରକ୍ତଚାଉଳ ଚୋବେଇଲେଣି। ଅରୁଣ ସାହୁଙ୍କ ଭଳି ଅନୁଭବୀ ନେତାଙ୍କ ବହି ସାଇତା ସତରେ ଥିବା ଅନେକ କଥା ବି ଏଭଳି ଦୃଶ୍ୟପଟ୍ଟରେ ଆପେ ଆପେ ମନକୁ ଚାଲିଆସୁଛି।

କର୍ମୀଙ୍କ ପାଇଁ ନବୀନ ନିବାସର ଦ୍ୱାର ସବୁବେଳେ ଖୋଲା। ଏକଦା କର୍ମୀଙ୍କ ପ୍ରତି ଏଭଳି ଅପିଲ୍ କରି ଏକପ୍ରକାର ଜୋସ୍ ଭରିଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ହେଲେ ବାସ୍ତବତା ଥିଲା ଭିନ୍ନ। ନା କୌଣସି କର୍ମୀ ବା ନେତାଙ୍କ ଅବାଧ ପ୍ରବେଶ ହେଲା ନା ସେମାନେ ନିଜ ନେତାଙ୍କୁ ଭେଟିବାକୁ ସୌଭାଗ୍ୟ ମିଳିଲା। କାରଣ ନବୀନ ନିବାସରେ ଚାଲିଥିଲା ଅସଲ ରାଜା ଭିକେ ପାଣ୍ଡିଆନଙ୍କ ଦରବାର। ପାଣ୍ଡିଆନଙ୍କ ବିନା ବିଜେଡିରେ ପତ୍ର ହଲେନା। ପାଣ୍ଡିଆନଙ୍କ ବିନା ଅନୁମତିରେ ନବୀନଙ୍କୁ ଭେଟିବା ସାଜୁଥିଲା ସ୍ୱପ୍ନ। ଯେଉଁ କଥା ଦେବାଶୀଷ ସାମନ୍ତରାୟଙ୍କ ଭଳି ଅନେକ ନେତା କହିସାରିଛନ୍ତି। କ୍ଷମତାରୁ ଗଲା ପରେ ବି ନବୀନ କି ନବୀନ ନିବାସର ସେ ଆଦବକାଏଦା ଏବେ ବି ପୂର୍ବଭଳି ଅତୁଟ ରହିଛି। ପାଣ୍ଡିଆନ ସିନା ରାଜନୀତିରୁ ସନ୍ୟାସ ନେଇଗଲେ। ହେଲେ ପ୍ରଛଦପଟ୍ଟରେ ତାଙ୍କ ଦବଦବା କାଏମ ରହିଲା। ନିର୍ବାଚନର ବିପର୍ଯ୍ୟୟ ସମେତ ବିଜେଡିରେ ବିବାଦ, ବିଦ୍ରୋହ ଓ ବିଭାଜନ ପଛରେ ପାଣ୍ଡିଆନ ଦାୟୀ କରି ଅନେକ ବିସ୍ଫୋରକ ବୟାନ ଆସିଲା। ଆଉ ଏବେ ବ୍ୟାକଡୋରରେ କ୍ଷମତା ଓ ପତିଆରା ପୂର୍ବଭଳି ପାଣ୍ଡିଆନ ଦେଖାଇବେ। ଆଉ ଜରିଆ ସାଜିବେ ସୁଜାତା ରାଉତ। ଏଭଳି ଆଶଙ୍କାକୁ ନେଇ ବିଜେଡିର ବରିଷ୍ଠ ନେତାଙ୍କ ଭିତରେ ଭାଳେଣି ପଡ଼ିଲାଣି। ବଦ୍ରି, ରାଜା, ପ୍ରସନ୍ନ, ଭୁପିନ୍ଦରଙ୍କ ଭଳି ଅନେକ ନେତା ରକ୍ତଚାଉଳ ଚୋବେଇଲେଣି। ଅରୁଣ ସାହୁଙ୍କ ଭଳି ଅନୁଭବୀ ନେତାଙ୍କ କବିତା ବହି ସାଇତା ସତରେ ବି ପରୋକ୍ଷରେ ପାଣ୍ଡିଆନଙ୍କୁ ନେଇ କିଛି ଏମିତି ପୂର୍ବାନୁମାନ କରାଯାଇଥିଲା। ସାମନ୍ତବାଦ ଚିନ୍ତାଧାରା, ଅମଲାତନ୍ତ୍ରର ହାକିମାତିକୁ ନେଇ ବର୍ଷିଥିଲେ ଅରୁଣ। ବିଜେଡିରେ ସୁଜାତାଙ୍କ ଦମଦାର ଏଣ୍ଟ୍ରି ଏବେ ବିଜେଡିର ଭବିଷ୍ୟତକୁ ନୂଆ ମୋଡ଼ ଦେବ ନା ଦଳ ଲାଗି ଏହା ଆତ୍ମଘାତୀ ସାଜିବ। କାରଣ ବିଜେଡିରେ ପାଣ୍ଡିଆନଙ୍କ ଭଳି ଅମଲାଙ୍କର ପ୍ରଭାବ ଦଳକୁ ଯେତିକି ଶୀଖରକୁ ନେଇଥିଲା। ୨୪ ନିର୍ବାଚନରେ ସେତିକି ଅପବାଦ ଦେଇ ତଳକୁ କରିଦେଲା। ହେଲେ ସୁଜାତାଙ୍କ ଯୋଗଦାନକୁ କିଏ କହୁଛି ସେ ଦଳର ଆସେଟ୍ ତ କିଏ କହୁଛି ସେ ଶଙ୍ଖଭବନରେ ଦରବାର ଖୋଲିବେ। କିଏ କହୁଛି ବିଜେଡିର ମହିଳା ସଶକ୍ତିକରଣ ଟ୍ୟାଗଲାଇନକୁ ମଝଭୁତ କରିବେ ତ ପୁଣି ନବୀନଙ୍କ ଷ୍ଟାଇଲରେ କଥା କମ୍ କାମ ବେଶୀ ନ୍ୟାୟରେ ଦଳକୁ ଆଗକୁ ନେଇଯିବେ। ମନ୍ମଥ ରାଉତରାୟଙ୍କଠୁ ନେଇ ସୁବାଷ ସିଂଙ୍କ ଯାଏ ନେତା। ଆଉ ବିଜେଡି ନେତାଙ୍କ ଏଭଳି ଗୁଣଗାନ, ଆତ୍ମହରା ମୁଦ୍ରା ଓ ଭବିଷ୍ୟବାଣୀ ଦେଖି କଟାକ୍ଷ କଲେଣି ବିଜେପିର ଜୟନାରାୟଣ ମିଶ୍ର। ସୁଜାତାଙ୍କ ଜରିଆରେ ପାଣ୍ଡିଆନଙ୍କୁ ବିଜେଡିର ହର୍ତ୍ତାକର୍ତ୍ତା ସଜାଇବାକୁ ମସୁଧା ହେଉଛି। ପାଣ୍ଡିଆନ ପରିଚାଳନା କରିବେ, ସୁଜାତା କେବଳ କା ସାଜିବେ। ରାତାରାତି ଆସି ଗୋଟିଏ ଲୋକ ପାର୍ଟିର ନେତୃତ୍ୱ ନେଇଯିବ। ଏକଥାକୁ ବଦ୍ରି, ରାଜାଙ୍କ ଭଳି ତୁଙ୍ଗ ନେତା ଗ୍ରହଣ କରିପାରିବେ ତ ବୋଲି ପଚାରିଛନ୍ତି। ପାଣ୍ଡିଆନ ବିରୋଧୀ ମେଳିକୁ ନେଇ ବିଜେଡିରେ କମ୍ପନ ଚାଲିଥିଲା। ହେଲେ ନବୀନଙ୍କ ବ୍ଲୁଆଏଡ ବୟ ପାଣ୍ଡିଆନଙ୍କୁ ସବୁବେଳେ ସୁରକ୍ଷା ଦେଇ ଆସୁଛନ୍ତି ନବୀନ। କଥା ପଡ଼ିଛି। ବିଜେଡି ଜଣକୁ ନେଇ ନା ଗଣକୁ ନେଇ। ଅନୁଶାସନ ଆଳରେ ବ୍ୟକ୍ତିଶ୍ରେଷ୍ଠ ଦଳରେ କର୍ମୀଙ୍କୁ ଗୌଣ କରି ଅଫିସରରାଜ ଓ ନାଲିଆଖିର ଯେଉଁ ଟ୍ୟାଗଲାଇନରେ ଚାଲୁଥିଲା ବିଜେଡି। ସେଥିରେ କେତେ ପରିବର୍ତ୍ତନ ହେବ। କାରଣ ପୁଣି ଜଣେ ଅମଲାଙ୍କ ହାତରେ ବିଜେଡିର ପରିଚାଳନା ଓ ନିୟନ୍ତ୍ରଣ। ଯଦିଓ ନେତୃତ୍ୱ ନବୀନଙ୍କ ହାତରେ। ପାଣ୍ଡିଆନ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଭିତରେ ସମନ୍ୱୟ ରଖିବାରେ ଥିଲେ ଧୁରନ୍ଧର। ଯେଉଁ ପାଣ୍ଡିଆନଙ୍କୁ ନେଇ ନିର୍ବାଚନୀ ମାହୋଲ ସରଗରମ ଥିଲା। କ୍ଷମତାକୁ ଆସିବା ମାତ୍ରେ ପାଣ୍ଡିଆନଙ୍କ ଦୁର୍ନୀତିର ଆଗ ଫାଇଲ ଖୋଲିବ ବୋଲି ଜୋରଦାର ପ୍ରଚାର ଚାଲିଥିଲା। ୨ ବର୍ଷ ପରେ ବି ସେ ବାବଦରେ ବିଜେପି ସରକାର ଚୁପ୍। କାରଣ କେନ୍ଦ୍ରର ଟପ ଲିଡରଙ୍କ ସହ ପାଣ୍ଡିଆନଙ୍କ ସମ୍ପର୍କ କାହାରିକୁ ଅଛପା ନାହିଁ। ଏବେ ବିଜେଡିର ସେହି ଭୂମିକାକୁ ଆସିଲେ ସୁଜାତା। ସୁଜାତା ଆଗରେ ରହିବେ। ଆଉ କେନ୍ଦ୍ର ସହ କେମିତି ଡିଲ୍ କରି ଦଳକୁ ସୁରକ୍ଷା ଦିଆଯିବ, ସେଥିରେ ମାଷ୍ଟର ପାଣ୍ଡିଆନ ଖେଳ କରିବେ ପଛରେ ବୋଲି ଚର୍ଚ୍ଚା ହେଉଛି। କଥା ପଡ଼ିଛି। ଟିମ୍ ଲିଡର ନବୀନ। କିନ୍ତୁ ଅସଲରେ ଲିଡ୍ ଆଉ କେହି କରିବ, ତାକୁ ବୋଧହୁଏ ବରଦାସ୍ତ କରିବା ମୁଡ଼ରେ ନାହାନ୍ତି କିଛି ବରିଷ୍ଠ। କିନ୍ତୁ ୨ ବର୍ଷର ମୋହନ ସରକାରଙ୍କ କାମ ଦେଖି ଗ୍ରାଉଣ୍ଡରେ ଏବେଠୁ ନିଜକୁ ପୂର୍ବଭଳି ସଶକ୍ତ କଲେ ବିଜେଡି ନିଜର ପୂର୍ବ ପତିଆରା ଓ ଜନତାଙ୍କ ଆସ୍ଥା ଫେରିପାଇବ ବୋଲି ବିପଦ ବେଳେ କୂଟାଖିଅକୁ ଆଶ୍ରା କଲା ଭଳି ସୁଜାତାଙ୍କ କାନ୍ଧରେ ଡଙ୍ଗାପାରି ହେବେ ବୋଲି ଆଶା ରଖିଛି।
