ପ୍ରେମରୁ ବିବାହ ପରେ ସନ୍ଦେହଜନକ ମୃତ୍ୟୁ: ହତ୍ୟା ନା ଆତ୍ମହତ୍ୟା
ଝୁଲନ୍ତା ଅବସ୍ଥାରେ ମିଳିଲେ ନବବିବାହିତା, ହତ୍ୟା ଅଭିଯୋଗରେ ସ୍ୱାମୀ କୋର୍ଟ ଚାଲାଣ। ବ୍ରହ୍ମପୁରରେ ଯୁବତୀଙ୍କ ମୃତ୍ୟୁକୁ ନେଇ ରହସ୍ୟ, ପୋଲିସର ତଦନ୍ତ ଜାରି।
ବ୍ରହ୍ମପୁର: ପ୍ରେମରୁ ବିବାହ, ଆଉ ବିବାହର କିଛି ମାସ ପରେ ମୃତ୍ୟୁ। ଢେଙ୍କାନାଳର ଜଣେ ଯୁବତୀଙ୍କ ମୃତ୍ୟୁକୁ ନେଇ ଉଠିଛି ଏମିତି ଅନେକ ପ୍ରଶ୍ନ। ପରିବାରର ଅଭିଯୋଗ, ଏହା ଆତ୍ମହତ୍ୟା ନୁହେଁ, ବରଂ ଯୋଜନାବଦ୍ଧ ହତ୍ୟା। ସୂଚନା ଅନୁସାରେ, ମୃତ ଯୁବତୀ ହେଲେ ଶୁଭଲକ୍ଷ୍ମୀ ସାହୁ। ରାଜଧାନୀ ଭୁବନେଶ୍ୱର ଉତ୍ତରା ଅଞ୍ଚଳରେ ଥିବା ଏକ ଅପାର୍ଟମେଣ୍ଟରେ ଭଡ଼ାରେ ରହୁଥିବା ବେଳେ ଗଞ୍ଜାମର ସମ୍ବିତ ପଟ୍ଟନାୟକଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ପଡ଼ୋଶୀରୁ ବନ୍ଧୁତା, ବନ୍ଧୁତାରୁ ପ୍ରେମ ଏବଂ ପରେ ଉଭୟ ବିବାହ କରିଥିଲେ। ତେବେ ବ୍ରହ୍ମପୁରକୁ ବଦଳି ପରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଲାପଲ୍ଲୀ ସାହିରେ ଉଭୟ ଏକାଠି ରହୁଥିଲେ ସମ୍ବିତ ଓ ଶୁଭଲକ୍ଷ୍ମୀ। ତେବେ ଗତ ଜୁଲାଇ ୨୫ ତାରିଖ ରାତିରେ ଭଡ଼ା ଘରୁ ଶୁଭଲକ୍ଷ୍ମୀଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରଦିନ ଅର୍ଥାତ୍ ୨୬ ତାରିଖରେ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ସୂଚନା ମିଳିଥିଲା। ଅନ୍ୟପଟେ ଝିଅକୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତ ଯୁବତୀଙ୍କ ପରିବାର ଲୋକେ। ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ପାଇବା ଲାଗି ଢେଙ୍କାନାଳ କାମାକ୍ଷାନଗର ରୁ ଆସି ବ୍ରହ୍ମପୁର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୃତ ଶୁଭଲକ୍ଷ୍ମୀଙ୍କ ପରିବାର ଲୋକେ। ଘଟଣାକୁ ନେଇ ମୃତ ଯୁବତୀଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗକୁ ଭିତ୍ତି କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ବୈଦ୍ୟନାଥପୁର ଥାନା ପୋଲିସ। ଅନ୍ୟପଟେ ଅଭିଯୁକ୍ତ ସ୍ୱାମୀ ସମ୍ବିତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି।
