ବ୍ୟାଗ୍ରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ
ରାୟଗଡାରୁ ବ୍ୟାଗ୍ରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୋଲିସକୁ ବଡ଼ ସଫଳତା। ଆନ୍ଧ୍ରପ୍ରଦେଶ ପୋଲିସର ସହଯୋଗରେ ମୁଖ୍ୟ ଅଭିଯୁକ୍ତ ସେଟ୍ଟି ସୁରେଶ ଗିରଫ। ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାୟଗଡା ଏସ୍ପି ରାଜ ପ୍ରସାଦ । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ।
ରାୟଗଡା: ରାୟଗଡା ଜିଲ୍ଲାରେ ବନ୍ଦ ବ୍ୟାଗ୍ ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୋଲିସ ବଡ଼ ସଫଳତା ହାସଲ କରିଛି। ଆନ୍ଧ୍ର ପ୍ରଦେଶ ପୋଲିସର ସହଯୋଗରେ ମୁଖ୍ୟ ଅଭିଯୁକ୍ତ ସେଟ୍ଟି ସୁରେଶଙ୍କୁ ଗିରଫ କରାଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାୟଗଡା ଏସ୍ପି ରାଜ ପ୍ରସାଦ । ପୁଲିସ ସୂଚନା ଅନୁଯାୟୀ, ମୃତ ଯୁବତୀଙ୍କ ନାମ ସନ୍ଧ୍ୟା। ସେ ଅଭିଯୁକ୍ତଙ୍କ ଘରେ ଘରୋଇ ସହାୟିକା ଭାବେ କାମ କରୁଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ, ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିଲା। ପରେ ବିବାହକୁ ନେଇ ବିବାଦ ସୃଷ୍ଟି ହେବାରୁ ସନ୍ଧ୍ୟା ଅଭିଯୁକ୍ତଙ୍କ ଘରକୁ ଯାଇ ଝଗଡ଼ା କରିଥିଲେ। ସେହି ସମୟରେ ସୁରେଶ ତାଙ୍କୁ ମାଡ଼ ମାରିଥିବାରୁ ତାଙ୍କ ମୃତ୍ୟୁ ଘଟିଥିବା ନେଇ ପୋଲିସ କହିଛି । ଘଟଣା ପରେ ଅଭିଯୁକ୍ତ ଏକ ବ୍ୟାଗ୍ କିଣି ମୃତଦେହକୁ ସେଥିରେ ଭର୍ତ୍ତି କରି ଇଣ୍ଟରସିଟି ଟ୍ରେନ୍ ଯୋଗେ ରାୟଗଡା ଆଣିଥିଲେ। ପରେ ରାୟଗଡା ରେଳ ଷ୍ଟେସନରୁ ଅଟୋରେ ଖଲିଗୁଡା ନିକଟସ୍ଥ ଏକ ପଡ଼ିଆରେ ବ୍ୟାଗ କୁ ଫିଙ୍ଗି ଦେଇଥିବା ପୋଲିସ କହିଛି। ଅଟୋ ଚାଳକଙ୍କ ସୂଚନାକୁ ଆଧାର କରି ପୋଲିସ ତଦନ୍ତ ଆଗେଇ ନେଇଥିଲା। ତଦନ୍ତ ସମୟରେ ଘଟଣାର ପର୍ଦ୍ଦାଫାସ ହେବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ପରେ ଅଭିଯୁକ୍ତ ସୁରେଶଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।
