ବିବାହର ମାସେ ନପୂରୁଣୁ ପତ୍ନୀଙ୍କୁ ହତ୍ୟା, ସ୍ୱାମୀ ଫେରାର
ବିବାହର ମାସେ ନପୂରୁଣୁ ନବବିବାହିତାଙ୍କ ମୃତ୍ୟୁ। ସ୍ୱାମୀ ଟାଙ୍ଗିଆରେ ଆକ୍ରମଣରେ ସ୍ତ୍ରୀ ମୃତ, ଘଟଣାସ୍ଥଳରେ ପୋଲିସର ଛାନଭିନ୍ ଜାରି ।
ସାଲେପୁର: କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ସହଦେବପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହର ମାସେ ନପୂରୁଣୁ ଜଣେ ନବବିବାହିତାଙ୍କ ମୃତ୍ୟୁ ଘଟିଛି। ସ୍ୱାମୀ ଟାଙ୍ଗିଆରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଗତ ମାସ ୧୨ ତାରିଖରେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବାଲିସାହି ଗାଁର ରୋଜାଳିନ ମଲ୍ଲିକ ସହଦେବପୁର ଗାଁର ଶୈଳେନ୍ଦ୍ର ମଲ୍ଲିକଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ମୃତ ଝିଅର ବାପାଙ୍କ ଅଭିଯୋଗ ଅନୁସାରେ, ପାରିବାରିକ କଳହ ଓ ଯୌତୁକକୁ କେନ୍ଦ୍ର କରି ତାଙ୍କ ଝିଅଙ୍କୁ ସ୍ୱାମୀ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିଛନ୍ତି।
ଅନ୍ୟପକ୍ଷରେ, ଅଭିଯୁକ୍ତଙ୍କ ସାନଭାଇ କହିଛନ୍ତି ଯେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ପରେ ବିଳମ୍ବିତ ରାତିରେ ତାଙ୍କ ବଡ଼ଭାଇ ଭାଉଜଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ, ଯାହାଫଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଥିବା ବେଳେ ନେମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
