ଅଗଷ୍ଟ ୨୮ରେ ସୁଭଦ୍ରା ଟଙ୍କା
ମହିଳାଙ୍କ ପାଇ ଖୁସି ଖବର, ରାକ୍ଷୀପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା । ନୟାଗଡ଼ରେ ହେବ ରାଜ୍ୟସ୍ତରୀୟ ସୁଭଦ୍ରା ସମାରୋହ । ଏକ କୋଟିରୁ ଅଧିକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା ।
ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୨୮ ତାରିଖରେ ରାକ୍ଷୀପୂର୍ଣ୍ଣିମା ଅବସରରେ ମହିଳାମାନଙ୍କୁ ମିଳିବ ‘ସୁଭଦ୍ରା’ ଯୋଜନାର ଟଙ୍କା। ନୟାଗଡ଼ରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସୁଭଦ୍ରା ସମାରୋହରେ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏଥର ଏକ କୋଟିରୁ ଅଧିକ ମହିଳାଙ୍କୁ ‘ସୁଭଦ୍ରା’ ଯୋଜନାର ଟଙ୍କା ଦିଆଯିବ। ଅଗଷ୍ଟ ୨୮ ତାରିଖ ସୁଦ୍ଧା ଯେଉଁ ମହିଳାମାନେ ଯୋଜନା ପାଇଁ ଆବେଦନ କରିଥିବେ, ସେମାନଙ୍କୁ ଟଙ୍କା ପ୍ରଦାନ କରାଯିବ। ଏହା ସହିତ ପୂର୍ବରୁ ବାଦ ପଡ଼ିଯାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଏକାସଙ୍ଗେ ୫ଟି କିସ୍ତିର ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଫଳରେ ଯୋଗ୍ୟ ହୋଇ ମଧ୍ୟ ପୂର୍ବରୁ ଟଙ୍କା ପାଇନଥିବା ମହିଳାମାନେ ବଡ଼ ଆଶ୍ୱସ୍ତି ପାଇବେ। ରକ୍ଷାବନ୍ଧନ ଅବସରରେ ‘ସୁଭଦ୍ରା’ ଯୋଜନାର ଟଙ୍କା ପ୍ରଦାନକୁ ନେଇ ମହିଳାଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ନୟାଗଡ଼ରେ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରୁ ଏହି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ।
