ଲଘୁଚାପ ବର୍ଷା ସାଙ୍ଗକୁ ଲୁଣି ଜୁଆର, ଉଜୁଡ଼ିଲା ଏକର ଏକର ଚାଷଜମି
ସୋରରେ ଚାଷଜମିକୁ ମାଡ଼ିଲା ଲୁଣିପାଣି, ନଷ୍ଟ ଧାନତଳି । ଋଣ ସୁଝିବା ଚିନ୍ତାରେ ଚାଷୀ ପରିବାର, କ୍ଷତିପୂରଣ ଦାବି କଲେ ଚାଷୀ ।
ସୋର: ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ସାଙ୍ଗକୁ ସମୁଦ୍ରର ଲୁଣି ଜୁଆର ଚାଷୀଙ୍କ ଚିନ୍ତା ବଢ଼ାଇଦେଇଛି। ବର୍ଷାଜଳରେ ଚାଷଜମି ଜଳବନ୍ଦୀ ହୋଇଥିବା ବେଳେ ଲୁଣିପାଣି ମାଡ଼ି ଆସି ଏକର ଏକର ଜମିରେ ଧାନତଳି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଖରାଶାହାପୁର ପଞ୍ଚାୟତ ଅଞ୍ଚଳର ଚାଷୀମାନେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଯେଉଁ ଜମିରେ ସୁନାର ଫସଲ ଫଳାଇବାର ସ୍ୱପ୍ନ ଦେଖିଥିଲେ ଚାଷୀ, ସେହି ଜମିରେ ଏବେ ଦେଖାଯାଉଛି କେବଳ ପାଣି। ଲଗାଣ ବର୍ଷା ଯୋଗୁଁ ଜମିରେ ବନ୍ୟାପାଣି ଜମି ରହିଥିବା ବେଳେ ସମୁଦ୍ର ଜୁଆରର ଲୁଣିପାଣି ମଧ୍ୟ ଚାଷଜମିକୁ ପ୍ରବେଶ କରିଥିବା ଚାଷୀମାନେ କହିଛନ୍ତି। ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ, ଚାଷ ପାଇଁ ସେମାନେ ଦୁଇରୁ ତିନିଥର ହଳ କରିବା ସହ ବିହନ, ସାର ଓ ଧାନତଳି ପାଇଁ ଅର୍ଥ ଖର୍ଚ୍ଚ କରିଥିଲେ। ନିଜ ଶ୍ରମ ସହ ଧାରକରଜ କରି ଚାଷରେ ଟଙ୍କା ଲଗାଇଥିଲେ। ଭଲ ଅମଳ ହେଲେ ଋଣ ପରିଶୋଧ କରିବେ ବୋଲି ଆଶା ରଖିଥିଲେ।
ହେଲେ ବର୍ଷା ଓ ଲୁଣିପାଣି ସେମାନଙ୍କ ସେହି ଆଶାକୁ ଭାଙ୍ଗି ଦେଇଛି। ଏବେ ଚାଷ ନଷ୍ଟ ହେବା ପରେ ଧାରକରଜ କିପରି ସୁଝିବେ, ସେନେଇ ଚାଷୀ ପରିବାର ଚିନ୍ତାରେ ପଡ଼ିଛନ୍ତି। କ୍ଷତିଗ୍ରସ୍ତ ଚାଷଜମିର ତୁରନ୍ତ ଆକଳନ କରିବା ସହ ଲୁଣିପାଣି ଚାଷଜମିକୁ ପ୍ରବେଶ କରିବାର କାରଣ ଖୋଜି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବାକୁ ଚାଷୀମାନେ ଦାବି କରିଛନ୍ତି। ଏଥିସହ ନଷ୍ଟ ହୋଇଥିବା ଧାନତଳି ଓ ଫସଲ ପାଇଁ କ୍ଷତିପୂରଣ ଦେବାକୁ ମଧ୍ୟ ସେମାନେ ଦାବି କରିଛନ୍ତି।
